୨୦୨୧ ପଦ୍ମ ସମ୍ମାନ: ଓଡ଼ିଶାରୁ ୬ ଜଣ ସମ୍ମାନିତ

Spread the love

ଭୁବନେଶ୍ୱର, 09/11/2021 (ସନ୍ଧାନ ନ୍ୟୁଜ) : ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୦ ବର୍ଷ ପାଇଁ ଘୋଷଣା ହୋଇଥିବା ପଦ୍ମ ସମ୍ମାନ ପ୍ରଦାନ କରିଥିବା ବେଳେ ଆଜି ୨୦୨୧ – ୨୨ ବର୍ଷ ପାଇଁ ଘୋଷଣା ହୋଇଥିବା ପଦ୍ମ ସମ୍ମାନ ପ୍ରଦାନ କରାଯିବ। ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ ସେହିପରି ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି । ଓଡ଼ିଶାର ୬ ଜଣ ପଦ୍ମ ପୁରସ୍କାର ଗ୍ରହଣ କରିବେ । କଳା କ୍ଷେତ୍ରରେ ଓଡ଼ିଶାର ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ଗ୍ରାଫିକ୍ସ କଳା କ୍ଷେତ୍ରରେ ଓଡିଶାର ସୁଦର୍ଶନ ସାହୁ ପାଇବେ ପଦ୍ମ ବିଭୂଷଣ । ସେହିଭଳି ଓଡିଶାରୁ ସମାଜସେବା ପାଇଁ ଶାନ୍ତି ଦେବୀ, କଳାପାଇଁ ପୂର୍ଣ୍ଣମାସୀ ଜାନି , ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର ପାଇବେ ପଦ୍ମଶ୍ରୀ ସମ୍ମାନ ।

ଏହାଛଡା ମେଡିସିନ ପାଇଁ ଡକ୍ଟର କ୍ରିଷ୍ଣ ମୋହନ ପାଠୀ, ଶିକ୍ଷା ଓ ସାହିତ୍ୟ ପାଇଁ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ଦେବାକୁ ଘୋଷଣା କରାଯାଇଛି। ୧୯୩୯ ମସିହାରେ ଜନ୍ମଲାଭ କରିଥିଲେ, ସୁଦର୍ଶନ ସାହୁ । ୧୯୭୭ରେ ପୁରୀରେ ଆରମ୍ଭ କରିଥିଲେ ସୁଦର୍ଶନ କ୍ରାଫ୍ଟ ମ୍ୟୁଜିୟମ । ୧୯୯୧ରେ ଓଡିଶା ସରକାରଙ୍କ ସହାୟତାରେ ଭୁବନେଶ୍ୱରେ ପ୍ରତିଷ୍ଠା କରିଥିଲେ ସୁଦର୍ଶନ ଆର୍ଟ୍ସ ଆଣ୍ଡ କ୍ରାଫ୍ଟ ଭିଲେଜ୍ । ଏଠାରେ ପଥର, କାଠ ଓ ଫାଇବର ଗ୍ଲାସରୁ କିଭଳି ମୂର୍ତ୍ତି ନିର୍ମାଣ କରାଯିବ ସେହି ପ୍ରଶିକ୍ଷଣ ଦିଆଯାଏ ।

ସେହିପରି ସମାଜ ସେବା ପାଇଁ ଓଡ଼ିଶାର ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ହେଉଛନ୍ତି ଶାନ୍ତି ଦେବୀ । ରାୟଗଡ଼ା ଜିଲ୍ଲା ଗୁଣପୁରରେ ୧୮ ଏପ୍ରିଲ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଛନ୍ତି ଶାନ୍ତି ଦେବୀ । ୨୦୧୪ରେ ମାଆ ଘର ଫାଉଣ୍ଡେସନ ପକ୍ଷରୁ ମାତୃ ଦିବସରେ ପ୍ରଥମ ମହିଳା ଶାନ୍ତି ପ୍ରତିଷ୍ଠାକାରୀ ଆଓ୍ବାଡ୍ ରେ ସମ୍ମାନିତ ହୋଇଛନ୍ତି ଶାନ୍ତି ଦେବୀ । ଗୁଣପୁରୁର ସେବା ସମାଜ ନାମକ ଏକ ଅନୁଷ୍ଠାନର ସ୍ବେଚ୍ଛାସେବୀ ଭାବେ ଓଡ଼ିଶା ଓ ଛତିଶଗଡ଼ ଭିତରେ ମାଓ ହିଂସାରେ ଶାନ୍ତି ପ୍ରତିଷ୍ଠା ପାଇଁ ଅଂଶଗ୍ରହଣ କରିଥିଲେ ଶାନ୍ତି ଦେବୀ ।

ସେବା ସମାଜ ନାମକ ସଂସ୍ଥା ଗଠନ କରିଥିଲେ ଶାନ୍ତି ଦେବୀ । ଏଥିରେ ଶିଶୁ ଓ ବାଳିକାମାନଙ୍କର ବିକାଶ କରୁଥିଲେ ଶାନ୍ତି ଦେବୀ । ଏହାସହ ୧୯୯୪ ମସିହାରେ ଶିଶୁ ଓ ମହିଳା ବିକାଶ ପାଇଁ ଜମନାଲାଲ ବାଜାଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର କ୍ରିଷ୍ଣମୋହନ ପାଠୀଙ୍କୁ ମିଳିବ ପଦ୍ମ ପୁରସ୍କାର । ସେ ହେଉଛନ୍ତି ବ୍ରହ୍ମପୁରର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ । ଏଥିସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ । ସେହିପରି ଶିକ୍ଷା ପାଇଁ ରଜତ କୁମାର କର ପାଇବେ ପଦ୍ମଶ୍ରୀ ସମ୍ମାନ । ୧୯୩୪ ମସିହାରେ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ରଜତ କୁମାର କର ଜଣେ ଶିକ୍ଷାବିତ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ପରିଚିତ । ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିବା ରଜତ କର ଓଡିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରି ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।

ଶିକ୍ଷା ଓ ସାହିତ୍ୟ ପାଇଁ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ଦେବାକୁ ଘୋଷଣା କରାଯାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ମାଟିର ବର୍ଷିୟାନ ଚାଟଶାଳୀ ଶିକ୍ଷକ ନନ୍ଦକିଶୋର ପୃଷ୍ଟି ଦୀର୍ଘ ୭୪ବର୍ଷ ଧରି ଗଛମୂଳେ ଗାଁ ଛୁଆଙ୍କୁ ପାଠ ପଢାଇ ଆସୁଛନ୍ତି । ୩ରୁ ୬ବର୍ଷର ଶିଶୁମାନେ ତାଙ୍କ ଛାତ୍ରଛାତ୍ରୀ । ଆଖପାଖରେ ଚାଟଶାଳୀ ମାଷ୍ଟ୍ରେ ଭାବେ ସେ ପରିଚିତ । ୧୯୩୯ ମସିହାରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ନନ୍ଦ ସାର ପରିବାରର ଆର୍ଥିକ ଦୁସ୍ଥିତି ପାଇଁ ଅଧିକ ପଢିପାରିନଥିଲେ ।

Related Posts

About The Author

Add Comment