୨୦୨୦: ରାଉରକେଲା ପାଇଁ ଥିଲା ‘ଅପରାଧ’ର ବର୍ଷ!

Spread the love

ରାଉରକେଲା:( ସନ୍ଧାନ ନିୟୁଜ/ ସୁବୋଧ ନାୟକ): ବୈଶ୍ୱିକ ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ, ସ୍ମାର୍ଟସିଟି ରାଉରକେଲା ମଧ୍ୟ ଏଥିରୁ ବାଦ ପଡ଼ି ପାରିନଥିଲା । କରୋନାରେ ପିଡ଼ୀତ ହୋଇ ବହୁ କରୋନା ଯୋଦ୍ଧା,ବରିଷ୍ଠ ଡାକ୍ତର ସ୍ୱର୍ଗତଃ ରାହାସ ବିହାରୀ ମହାପାତ୍ର , ପୁଲିସ କର୍ମୀ ଓ ବିଶିଷ୍ଟ ବ୍ୟକ୍ତି ଚାଲି ଯାଇଥିଲେ ଅଜଣା ରାଇଜକୁ! ଏମାନେ ସବୁଦିନ ପାଇଁ ପାଲଟିଗଲେ ଏକ ଅଭୁଲା ସ୍ମୃତି । ସେହିପରି ରାଉରକେଲାରେ ରାଜନିତୀ, ସାଂସ୍କୃତିକ ଓ ସାମାଜିକ ଘଟଣାବଳୀ ୨୦୨୦ ବର୍ଷକୁ ଚର୍ଚ୍ଚାର ପରିସରରେ ରଖିଥିଲା । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଝିଅ ବିଭାଘର, ବରିଷ୍ଠ କଂଗ୍ରେସ ନେତା ଜର୍ଜ ତିର୍କୀ ରାଉରକେଲା ଜିଲା କଂଗ୍ରେସ କମିଟିର ସଭାପତି ହେବା, ଦୀର୍ଘ ୯ ମାସ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବ ରାଉରକେଲା ବିଧାୟକଙ୍କ ରାଉରକେଲାକୁ ଆସିବା, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କୋଭିଡ଼ ମୁକାବିଲାରେ ସକ୍ରିୟ ଭୂମିକା ନିର୍ବାହ କରି ପ୍ଲାଜମା ଦାନ କରିବାକୁ ଲୋକଙ୍କୁ ଆହ୍ୱାନ କରିବା, ରାଉରକେଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯେପରି ମାନବିକତାର ଅଧ୍ୟକ୍ଷ ପ୍ରଶାନ୍ତ ସେଠୀ ଓ ହୋପ ଅଫ ଲାଇପର ପ୍ରତିଷ୍ଠାତା ଦିଲୀପ ବାରିକଙ୍କ  ସମେତ ଅନ୍ୟ ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନର ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସାଧାରଣରେ  ଉଚ୍ଚ ପ୍ରଶଂସିତ ହୋଇଥିଲା । ସର୍ବୋପରି ରାଉରକେଲାର ବିଭିନ୍ନ ଥାନା ଓ ଫାଣ୍ଡିରେ ଥିବା ପୁଲିସ କର୍ମୀ ଓ ହସ୍ପିଟାଲର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ମାନେ ସୁରକ୍ଷା କବଚ ସାଜି  ମହାମାରୀ କରୋନା ବିପତିରେ  ରାଉରକେଲାବାସୀଙ୍କୁ ଯୋଗାଇଥିଲେ ନିସ୍ୱାର୍ଥପର ଓ ନିରନ୍ତର ସେବା । ଏହି କୋଭିଡ଼ ଯୋଦ୍ଧା ମାନଙ୍କ ପାଇଁ ସେବା ହିଁ ହୋଇଥିଲା ଜୀବନର ବ୍ରତ । କରୋନା ବେଳାର ଲକଡାଉନ ଓ ସଟଡାଉନ ସମୟରେ କୋଭିଡ଼ ନିୟମ ମାନୁନଥିବା ଅମାନିଆ ମାନଙ୍କୁ ସାବାଡ଼ କରିଥିଲା ରାଉରକେଲା ପୁଲିସ । ମାସ୍କ ପିନ୍ଧିବାକୁ  ଛକ ଓ ବଜାରରେ ସଚେତନ ଓ ଅନୁରୋଧ କରିଥିଲେ ପୁଲିସ କର୍ମୀ ।

ସେହିଭଳି ୨୦୨୦ ବର୍ଷ ରାଉରକେଲା ପାଇଁ ଥିଲା ଦୁର୍ଘଟଣା ଓ ଅପରାଧର ବର୍ଷ ।  ରାଉରକେଲାର ଘଟିଥିବା ଲୁଟ,  ଛିନତାଇ, ପୂର୍ବତନ କାଉନସିଲର ଉପରେ ବୋମା ମାଡ଼,  ଏସଟିଆଇ ଓଭରବ୍ରିଜରେ ସୁନା ବ୍ୟବସାୟୀଙ୍କ ଉପରେ ଗୁଳି ମାଡ଼ , ରାଉରକେଲାରୁ ଶିଶୁ ଚୋରି, ୩ ହଜାର ଟଙ୍କାର ଜିଏସଟି ଠକେଇରେ ୧୫ ଗିରଫ, ଆରଏସପିରୁ ଚୋରି ଅଭିଯୋଗରେ ୫ ଗିରଫ ଘଟଣା ଚର୍ଚ୍ଚାରେ ରହିଥିଲା । ସେହିପରି  ରାଉରକେଲା ଆରଟିଓ କାର୍ଯ୍ୟାଳୟରେ ଚଢଉ କରି ପୁଲିସ ୩୩ ଜଣ ଏଜେଂଟକୁ ବାନ୍ଧିଥିଲା । ୨୦୨୦ରେ ରାଉରକେଲା ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ ମାଓ ଦମ୍ପତି । ସେହିଭଳି ଚଳିତ ଡିସେମ୍ବର ମାସରେ ପିକନିକ ଯାଇ ୩ ଛାତ୍ରଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ, ହେକେଟ ରୋଡ଼ରେ ଏକ ସ୍କ୍ରପିଓକୁ ଜାଳି ଦେଇଥିଲେ କିିଛି ଯୁବକ । ପରେ ପୁଲିସ ତଦନ୍ତ କରି ଏହି ଯୁବକ ମାନଙ୍କୁ ଗିରଫ କରିଥିଲା । ଚଳିତ ଡିସେମ୍ବରରେ ଦକ୍ଷିଣ ରାଉରକେଲା ନିକଟ ଏକ ଖାଦାନ ନିକଟରୁ ବିନୋଦ କୈବର୍ତ ନାମକ  ଯୁବକଙ୍କ ଉଲଂଗ୍ନ ଶବ ଉଦ୍ଧାର କରିଥିଲା ପୁଲିସ । ବନ୍ଧମୁଣ୍ଡାରେ ଜଣେ ରେଳବାଇ କର୍ମଚାରୀଙ୍କୁ  ପଥରରେ ଛେଚି ହତ୍ୟା କରାଯାଇଥିବା ବେଳେ, ଜଣେ ଖାସି ଦୋକାନୀ ବାକି ୩ ହଜାର ଟଙ୍କା ପାଇଁ ଜଣେ ବୟସ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ସବୁ ଅପରାଧିକ ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିବା ସହ ଚର୍ଚ୍ଚା ପରିସରରେ ରହିଥିଲା ।

ରାଉରକେଲାରେ ସଡ଼କ ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ ବ୍ୟକ୍ତି ମୃତୁବରଣ କରିଥିବା ବେଳେ ୭୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ବିଶେଷ କରି ଜାତୀୟ ରାଜପଥ-୧୪୩ରେ ଗତ ଜାନୁଆରୀ ଓ ଚଳିତ ଡିସେମ୍ବର ମାସରେ ବସ ଦୁର୍ଘଟଣା ଘଟି ମୋଟ ୩୦ ଯାତ୍ରୀ ଆହତ ହେବା ସହ ୨ ଜଣଙ୍କ ଜୀବନ ଚାଲି ଯାଇଥିଲା । ଏହା ବ୍ୟତୀତ ରାଉରକେଲାର ବିଭିନ୍ନ ଥାନାରେ ରୁଜୁ ହୋଇଥିଲା ଅପମୃତ୍ୟୁ, ଚୋରି, ଲୁଟ, ଠକାମୀର ମାମଲା । କିଛି ମାମଲା ଉପରୁ ପର୍ଦ୍ଦା ଉଠି ସାରିଥିବା ବେଳେ, ଆଉ କିଛିର ତଦନ୍ତ ଜାରି ରଖିଛି ରାଉରକେଲା ପୁଲିସ । ଗତ କିଛି ଦିନ ତଳେ ନୂତନ ରାଉରକେଲାର ଏପସି ଭାବେ ମୁକେଶ କୁମାର ଭାମୋ ଯୋଗଦାନ କଲାପରେ ନୂଆବର୍ଷ-୨୦୨୧ରେ ସ୍ମାର୍ଟ ସିଟି ରାଉରକେଲାରେ ଅପରାଧ ମାତ୍ରାରେ କିଛିଟା ହ୍ରାସ ପାଇବାରେ ବୋଲି ଆଶା ବାନ୍ଧି ରହିଛନ୍ତି ରାଉରକେଲା ଜନତା ।

Related Posts

About The Author

Add Comment