ଭୁବନେଶ୍ୱର,୧୮/୦୪ (ସନ୍ଧାନ ନିଉଜ): ମହାମାରୀ କରୋନା ସଂକ୍ରମଣ ରୋକିବାକୁ ଦେଶରେ ମଇ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିବ। କିନ୍ତୁ ଚଳିତମାସ ୨୦ତାରିଖରୁ ରାଜ୍ୟରେ ସ୍ଵାଭାବିକ ଭାବେ କାର୍ଯ୍ୟ କରିବ ସରକାରୀ ଅଫିସ୍। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ପୂର୍ବ ନିର୍ଦ୍ଦେଶ ଗୁଡିକୁ ରଦ୍ଦ କରାଯାଇଛି। ତେବେ ବିଭାଗ କେତେକ କଟକଣା ଜାରି ରହିବ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଲକଡାଉନ୍ କଟକଣା ବଳବତ୍ତର ରହିଥିବା ବେଳେ ୧୧ଟି ବିଭାଗକୁ କ୍ରିଟିକାଲ ବର୍ଗ ଭାବେ ଚିହ୍ନଟ କରି ଅନ୍ୟ ସମସ୍ତ ବିଭାଗକୁ ଆଂଶିକ କ୍ରିଟିକାଲ ବର୍ଗରେ ବର୍ଗୀକୃତ କରାଯାଇଛି। ପୂର୍ବରୁ ଯେଉଁ ୧୧ଟି ବିଭାଗକୁ କ୍ରିଟିକାଲ ଚିହ୍ନଟ କରାଯାଇଥିଲା ସେହି ବିଭାଗ ଗୁଡ଼ିକର ସମସ୍ତ ଗ୍ରୁପ୍-ଏ ବର୍ଗର ଅଫିସରମାନେ ନିଶ୍ଚିତ ଭାବେ ଅଫିସ୍ ଆସିବେ। ତେବେ ଏହି ବିଭାଗ ଗୁଡ଼ିକରେ କାର୍ଯ୍ୟରତ ଗ୍ରୁପ୍-ବି, ସି, ଡି ଅଧିକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଅଫିସ୍ ଆସିବେ। ସେମାନେ ରୋଷ୍ଟର ବେସିସରେ କାର୍ଯ୍ୟ କରିବେ। ଫିଲଡ୍ ଅଫିସରମାନଙ୍କ କାର୍ଯ୍ୟ ସମ୍ପର୍କରେ ପ୍ରଶାସନିକ ବିଭାଗର ମୁଖ୍ୟମାନେ ନିଷ୍ପତ୍ତି ନେବେ। ୧୧ଟି କ୍ରିଟିକାଲ ବର୍ଗର ବିଭାଗ ହେଲା-ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱରାଷ୍ଟ୍ର ବିଭାଗ, ଏସଆରସି ଓ ଓସଡମା ସମେତ କୃଷି ଓ କୃଷକ କଲ୍ୟାଣ, ସମବାୟ, ମତ୍ସ୍ୟ ଓ ପଶୁପାଳନ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ରହିଛି।