ବେତନଟୀ,୧୯.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):-ସୋମବାର ଅପରାହ୍ନରେ ୧୮ ନଂ ଜାତୀୟ ରାଜପଥର ଯୁଗଳଛକ ନିକଟରେ ରାସ୍ତା ଅତିକ୍ରମ କରୁଥିବା ଜଣେ ପଥଚାରୀର ଅଜଣାଗାଡି ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଏହି ଖବର ପ୍ରଚାରିତସ ହେବାପରେ ଯୁଗଳ ସମେତ ଆଖପାଖ ଉତ୍ୟକ୍ତ ଜନତା ଜାତୀୟରାଜପଥ ଅବରୋଧ କରିଥିଲେ। ଯୁଗଳଛକରେ ଡାଇଭର୍ସନ କରିବା ସହିତ ଯାତ୍ରୀ ବିଶ୍ରାମାଗାର ଓ କ୍ଷତିପୂରଣ ଦାବି କରିଥିଲେ । ଘଟଣାସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ଉତ୍ୟକ୍ତ ଜନତାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା । ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଉତ୍ୟକ୍ତ ଜନତାଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଦାବି ପୂରଣ ନିମନ୍ତେ ସେ ଜାତୀୟ ରାଜପଥ କହୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ରାସ୍ତା ଅବରୋଧ ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଛିଡା ହୋଇ ରହିଥିଲା । ମୃତକ ଜଣକ ହେଉଛନ୍ତି ଯୁଗଳ ନିକଟ ହଳଦିପଦା ଗ୍ରାମର ସ୍ବର୍ଗତଃ ସୁଫଲ ମହାନ୍ତଙ୍କ ପୁଅ ନିତ୍ୟାନନ୍ଦ ମହାନ୍ତ(୫୫) ବୋଲି ଜଣାଯାଇଛି ।
୧୮ ନମ୍ବର ଜାତୀୟ ରାଜପଥ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
|
January 19, 2021 |
