ନୂଅଆଦିଲ୍ଲୀ, ୧୪/୭( ସନ୍ଧାନ ନିଉଜ) : ଦୀର୍ଘ ୪୫ ଦିନ ଏବଂ ୪୭ ମ୍ୟାଚ୍ ପରେ ଆଜି ଖେଳାଯିବ ବିଶ୍ୱକପ୍ କ୍ରିକେଟର ଫାଇନାଲ ମୁକାବିଲା । ଲଣ୍ଡନ୍ ରବିବାର ଆୟୋଜକ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ଲର୍ଡସ ପଡ଼ିଆରେ ଖେଳାଯିବ ଚଳିତ ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ । ଆୟୋଜକ ଇଂଲଣ୍ଡ ଫାଇନାଲ୍ ଖେଳୁଥିବାରୁ ସ୍ଥାନୀୟ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିଯାଇଛି । ପୂର୍ବରୁ ଘରୋଇ ଦର୍ଶକମାନେ ଟିକେଟ୍ କିଣି ନଥିବା ବେଳେ ଏବେ ଟିକେଟ୍ ମିଳୁ ନାହିଁ ।
ଏହାର ଫାଇଦା ନେଇ କିଛି କଳାବଜାରି ପ୍ରକୃତ ମୂଲ୍ୟଠାରୁ ଢେର ଅଧିକ ଦାମରେ ଟିକେଟ୍ ବିକ୍ରି କରୁଥିବା ସୂଚନା ମିଳିଛି । ୨୫୦୦୦ ଟଙ୍କା ମୂଲ୍ୟର ଟିକେଟ୍ ଏବେ କଳାବଜାରରେ ପ୍ରାୟ ୧୪ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଯାହା ପ୍ରକୃତ ମୂଲ୍ୟଠାରୁ ୫୦ ଗୁଣ ଅଧିକ ରହିଛି । ଅନ୍ୟ ପକ୍ଷରେ ଭାରତ ଫାଇନାଲ୍ ଖେଳିବ ବୋଲି ଆଶା ବାନ୍ଧି ଟିକେଟ କିଣି ସାରିଥିବା ଭାରତୀୟ ପ୍ରଶଂସକମାନେ ଦଳ ବିଦା ହୋଇଯିବା ପରେ ଏବେ ଟିକେଟ ପୁନଃବିକ୍ରି କରୁଥିବା ଦେଖାଯାଉଛି ।