ଭୁବନେଶ୍ୱର, ୨୯/୦୩ (ସନ୍ଧାନ ନିୟୁଜ) : ଭୁବନେଶ୍ୱର ଚିହ୍ନଟ ହୋଇଥିବା ତୃତୀୟ କରୋନା ଆକ୍ରାନ୍ତ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଭିତରୁ ୧୫ ଜଣଙ୍କର ପତ୍ତା ମିଳିନି। ସନ୍ଧିଗ୍ଧଙ୍କ ମଧ୍ୟରୁ ୧୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଇଛି। ଜଣଙ୍କର ନେଗେଟିଭ୍ ଆସିଛି। ୧୦ ଜଣଙ୍କ ରିପୋର୍ଟକୁ ରହିଛି ଅପେକ୍ଷା। ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍ଚୀ।
ଆଜି ଶ୍ରୀ ବଗଚୀ କହିଛନ୍ତି ମାର୍ଚ୍ଚ ୧୦ ତାରିଖରେ ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ନୂଆଦିଲ୍ଲୀରୁ ହରିୟାନର ରିୱାଡି ଦେଇ ପତ୍ନୀ ଓ ଝିଅ ସହିତ ଇଣ୍ଡିଗୋ ବିମାନରେ ଓଡ଼ିଶା ଆସିଥିଲେ। ବିମାନରେ ସେ ୩୨ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ଭୁବନେଶ୍ୱର ବିମାନବନ୍ଦରରୁ ଘରକୁ କାର୍ରେ ଯାଇଥିଲେ। ଏହି ସମୟରେ ସେ କାର ଚାଳକଙ୍କ ସଂସ୍ପର୍ଶରେ ଆସିଥିଲେ। ଘରେ ପହଞ୍ଚିଲା ପରେ ଘରୋଇ ସହାୟିକାଙ୍କ ସଂସ୍ପର୍ଶରେ ଆସିଥିଲେ। ଆକ୍ରାନ୍ତ ଜଣକ ବ୍ୟାଙ୍କ କର୍ମଚାରୀ। ସେ ୪୪ ଜଣ ବ୍ୟାଙ୍କ ସହକର୍ମୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ଓଡ଼ିଶା ବିଧାନସଭାର ୭ ଜଣ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ତା’ପରେ ଅସୁସ୍ଥ ହୋଇ ଏକ କ୍ଲିନିକ୍କୁ ଯାଇଥିଲେ। ସେଠାରେ ୨୧ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପାଥୋଲ୍ୟାବ୍କୁ ରକ୍ତ ପରୀକ୍ଷା ପାଇଁ ଯାଇ ୩ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ଏପରି ମୋଟ୍ ୧୧୨ ଜଣ ଲୋକଙ୍କ ସଂସ୍ପର୍ଶରେ ସେ ଆସିଥିଲେ। ଏବେ ୧୧୨ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କ ଭିତରୁ ୧୫ ଜଣଙ୍କ ସହିତ ଯୋଗାଯୋଗ ହୋଇନି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ସନ୍ଦିଗ୍ଧଙ୍କ ଭିତରୁ ୧୧ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ଗୋଟିଏ ରିପୋର୍ଟ ନେଗେଟିଭ ଆସିଛି। ୧୦ଟି ଆସିନାହିଁ। ତୃତୀୟ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ମଧ୍ୟ ସ୍ଥିର ଥିବା ଶ୍ରୀ ବାଗ୍ଚୀ କହିଛନ୍ତି।


