ମୁମ୍ବାଇ, ୨୧/୧୨ (ସନ୍ଧାନ ନିଉଜ) : ବୃହନ ମୁମ୍ବାଇ ମହାନଗର ନିଗମ (ବିଏମସି) ନିଜର କର୍ମଚାରୀମାନଙ୍କ ଲାଗି କ୍ୟାଣ୍ଟିନରେ ଗତକାଲିଠାରୁ ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ କରିଥିବା ଜଣାଯାଇଛି । ଏଠାରେ ଦିଆଯାଉଥିବା ଥାଳିରେ ଭାତ, ଡାଲି ଓ ୨ଟି ତରକାରି ପରଷାଯାଉଛି । ଗୋଟିଏ ଥାଳି ଖାଦ୍ୟ ପାଇଁ ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଥିରୁ ମହାରାଷ୍ଟ୍ର ସରକାର ୪୦ ଟଙ୍କା ବହନ କରିବେ । ଏହି ଭୋଜନ ବ୍ୟବସ୍ଥା କେବଳ ବିଏମସି କର୍ମଚାରୀ ଏବଂ ଏଠାକୁ ଆସୁଥିବା ଆଗନ୍ତୁକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଜଣାଯାଇଛି ।
ମହାରାଷ୍ଟ୍ରର ଅନ୍ୟ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଏଭଳି ଯୋଜନା ଆରମ୍ଭ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ସୂଚନା ଅନୁସାରେ ଖୁବ୍ ଶୀଘ୍ର ଏହି ଯୋଜନା ମହାରାଷ୍ଟ୍ରର ଅନ୍ୟ ୫ଟି ସହରରେ ମଧ୍ୟ କାର୍ଯ୍ୟକାରୀ ହେବ ।
ସୂଚନାଯୋଗ୍ୟ, ଶିବସେନା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କମ ଟଙ୍କାରେ କର୍ମଚାରୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଘୋଷଣା କରିଥିଲା ।