୧୦ ଘଣ୍ଟା ମଧ୍ୟରେ ୨୦ଟି ଭୂମିକମ୍ପ ଝଟକା ଅନୁଭୂତ; ଚିନ୍ତାରେ ଭାରତୀୟ ଭୂତତ୍ତ୍ୱବିତ୍‌

Spread the love

ପୋର୍ଟବ୍ଲେୟାର/ନୂଆଦିଲ୍ଲୀ,୧/୪ (ସନ୍ଧାନ ନିୟୁଜ) : ଗୋଟିଏ କିମ୍ବା ଦୁଇଟି ନୁହେଁ; ଆଜି (ସୋମବାର) ୧୦ ଘଣ୍ଟା ମଧ୍ୟରେ ମଧ୍ୟମ ତୀବ୍ରତାର ୨୦ଟି ଭୂମିକମ୍ପ ଦେଶର କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବାର ବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଆଜି ପ୍ରତ୍ୟୁଷ ୫ଟା ୧୪ ମିନିଟରୁ ଅପରାହ୍ଣ ୩ଟା ୪୪ ମଧ୍ୟରେ ଆଣ୍ଡାମାନ ଓ ନିକୋବାର ଦ୍ୱୀପାଞ୍ଚଳରେ ରିଚର ସ୍କେଲ୍‌ରେ ୪.୫ରୁ  ୫.୫ ତୀବ୍ରତାର ୨୦ଟି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂତ୍ରରୁ ଜାଣିବାକୁ ମିଳିଛି।

ଆଇଏମ୍‌ଡି ସୂତ୍ରରୁ ହସ୍ତଗତ ରପୋର୍ଟରୁ ପ୍ରକାଶ, ଆଜି ସକାଳ ୫ଟା ୧୪ ମିନିଟରେ ଆଣ୍ଡାମାନ ଓ ନିକୋବାରରେ ଭୂମିକମ୍ପର ପ୍ରଥମ ଝଟକା ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ଥିଲା ୪.୯। ଏହାର ଠିକ୍‌ ୨ ମିନିଟ ପରେ ଅନୁଭୂତ ହୋଇଥିଲା ୫.୦ ତୀବ୍ରତାର ଦ୍ୱିତୀୟ ଝଟକା। ଏହାପରେ ସକାଳ ୫ଟା ୧୬ରୁ ୯.୩୯ ମଧ୍ୟରେ ପରକୁ ପର ଅନୁଭୂତ ହୋଇଥିଲା ୧୩ଟି ଭୂମିକମ୍ପର ଝଟକା।

ଏହାର କିଛି ଘଣ୍ଟାର ବ୍ୟବଧାନ ପରେ ଅପରାହ୍ଣ ୧ଟା ୪୧ରେ ଅନୁଭୂତ ହୋଇଥିଲା ପରବର୍ତ୍ତୀ ଭୂମିକମ୍ପ ଯାହାର ତୀବ୍ରତା ସବୁଠାରୁ ଅଧିକ ୫.୫ ରେକର୍ଡ କରାଯାଇଥିଲା। ଏହାପରେ ଆଉ ୭ଟି ଭୂକମ୍ପ ଆଣ୍ଡାମାନ ଓ ନିକୋବାରରେ  ଅନୁଭୂତ ହୋଇ ଯାଇଛି। ଶେଷ ୨୦ ନମ୍ବର ଭୂକମ୍ପଟି ଅପରାହ୍ଣ ୩ଟା ୪୪ ମିନିଟରେ ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ରହିଥିଲା ୪.୮। ତେବେ, ଆଜିର ଏହି ଲଗାତାର ଭୂମିକମ୍ପରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇ ନଥିଲେ ସୁଦ୍ଧା ସ୍ଥାନୀୟ ଅଞ୍ଚଳବାସୀ ଆଜିର ଘଟଣାରେ ଆତଙ୍କତ ହୋଇ ପଡ଼ିଛନ୍ତି।

ଆଣ୍ଡାମାନ ଓ ନିକୋବାର ଦ୍ୱୀପାଞ୍ଚଳ ବାସୀଙ୍କ ପାଇଁ  ଭୂମିକମ୍ପ କୌଣସି ନୂଆକଥା ନୁହେଁ। ନିୟମିତ ବ୍ୟବଧାନରେ ଏଠାରେ ଭୁମିକମ୍ପ ଅନୁଭୂତ ହୋଇଥାଏ। ତେବେ, ଆଜି ୧୦ ଘଣ୍ଟା ମଧ୍ୟରେ ମଧ୍ୟମ ତୀବ୍ରତାର ୨୦ଟି ଭୂମିକମ୍ପ କେବଳ ଆଣ୍ଡାମାନ ଓ ନିକୋବାର ବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟ କରିନାହିଁ; ଭାରତୀୟ ଭୂତତ୍ତ୍ୱବିତ୍‌ମାନଙ୍କୁ ମଧ୍ୟ ଚିନ୍ତିତ କରି ପକାଇଛି।

Related Posts

About The Author

Add Comment