ଲକ୍ଷ୍ନୌ, ୨୩/୨(ସନ୍ଧାନ ନିଉଜ) : ଉତ୍ତରପ୍ରଦେଶର ଭଦୋହିଠାରେ ଏକ ଗ୍ରାମରେ ଶନିବାର ସ୍ଥାନୀୟ ବାଣ ତିଆରି କମ୍ପାନିରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ଜୀବନ ଯାଇଛି। ଏହି ବିସ୍ଫୋରଣରେ ୧୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛିି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପୂରା ବିଲ୍ଡିଂ ସ୍ତବ୍ଧ ହୋଇ ଯାଇଥିଲା। ବିସ୍ଫୋରଣ କାରଣରୁ ପାଖଆଖ କିଛି ବିଲ୍ଡିଂ ମଧ୍ୟ ଦୋହଲି ଯାଇଥିଲା।
ମୃତକମାନଙ୍କ ମଧ୍ୟରେ କାରଖାନା ମାଲିକ ଏବଂ ତାଙ୍କର ୩ ସଂପର୍କୀୟ ଥିବା ସୂଚନା ରହିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ କାରଖାନାରେ ଅନେକ ସମୟ ପୂର୍ବରୁ ବାଣ ଫୁଟିବା ଶବ୍ଦ ହେଉଥିଲା। ଏହି କାରଖାନାରେ ଅନେକ ଲୋକ ନିୟମିତ ଭାକେ କାମ କରିଥାନ୍ତି। ବିସ୍ଫୋରଣ ସମୟରେ କର୍ମଚାରୀମାନେ କାରଖାନାରେ କାମ କରୁଥିଲେ। ସେହି ସମୟରେ ଅଚାନକ ବିସ୍ଫୋରଣ ଘଟିଥିବାରୁ ଲୋକମାନେ ବାହାରକୁ ଦୌଡ଼ି ପଳାଇ ଆସିବା ପାଇଁ ବି ସୁଯୋଗ ପାଇପାରି ନଥିଲେ।
ଘଟଣାସ୍ଥଳରେ ପ୍ରଶାସନ ଅଧିକାରୀ ପହଞ୍ଚିବା ପୂର୍ବରୁ ହିଁ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ। ଏହି ଦୁର୍ଘଟଣା କାରଣରୁ ସଡ଼କରେ ଯିବାଆସିବା ବାଧାପ୍ରାପ୍ତ ହୋଇଛି। ସୁରକ୍ଷା କାରଣୁରୁ ଲୋକଙ୍କୁ ସେହି ବାଟ ଦେଇ ଯିବା ପାଇଁ ବାରଣ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।



