ହ୍ରାସ ପାଉଛି ତାଳଗଛ ସଂଖ୍ୟା, ବୃଦ୍ଧିପାଉଛି ବଜ୍ରପାତଜନିତ ମୃତୁ୍ୟହାର

Spread the love

ଧର୍ମଶାଳା, ୧୯/୧୧ (ସନ୍ଧାନ ନିଉଜ) : ଏବେ ତାଳଗଛ ଲୋପ ପାଇବାକୁ ବସିଲାଣି । ସେ ଗଛ ଆଉ ପୂର୍ବ ଭଳି ଦେଖିବାକୁ ମିଳୁନାହିଁ । ଅନେକ ସ୍ଥାନରେ ତାଳଗଛର ଜଙ୍ଗଲ ଦେଖିବାକୁ ମିଳୁଥିଲା । ବର୍ତମାନ ଏହି ଗଛ ଗୁଡିକ କାଁ ଭାଁ ଦୃଷ୍ଟିଗୋଚର ହେଉଛି । ଏବେ ସଡକ ଦୁର୍ଘଟଣାରେ ବହୁଲୋକଙ୍କ ଜୀବନହାନୀ ଘଟୁଥିବା ପରି ବଜ୍ରପାତରେ ମଧ୍ୟ ବହୁଲୋଙ୍କ ଜୀବନ ଯାଉଛି । ବିଜ୍ଞାନ ମତରେ ପୂର୍ବରୁ ତାଳଗଛ ଗୁଡିକ ଅଧିକାଂଶ ସ୍ଥାନରେ ରହିଥିବାରୁ ବଜ୍ରପାତ ଲୋକଙ୍କ ଉପରେ ନପଡି ଗଛରେ ମାଡ ହେଉଥିଲା । ଯାହାଦ୍ୱାରା ବଜ୍ରପାତଜନିତ ମୃତୁ୍ୟ ସଂଖ୍ୟା ନଗନ୍ୟ ରହିଥିଲା । ଏବେ ବଜ୍ରପାତଜନିତ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଗଛ ଗୁଡିକ ଲୋକଙ୍କ ଜୀବନ ରକ୍ଷାକାରୀ ହୋଇଥିବା ବେଳେ ଏହାକୁ ଅଦରକାରୀ ଭାବି ଲୋକମାନେ ବିଲବାଡି, ରାସ୍ତା କଡରୁ କାଟି ଦେଉଥିବା ଦେଖିବାକୁ ମିଳୁଛି । ତାଳଗଛଟି ଉଚ୍ଚତା ବିଶିଷ୍ଟ ହୋଇଥିବାରୁ ବଜ୍ରପାତ ପ୍ର୍ଥମେ ତାଳଗଛରେ ମାଡ ହୋଇଥାଏ । ଫଳରେ ଧନ ଜୀବନ ସୁରକ୍ଷିତ ରହିଥାଏ । ବର୍ତମାନ ସମାଜକୁ ସବୁଜ ସୁନ୍ଦର କରିବାକୁ ଯାଇ ବିଭିନ୍ନ ଅନୁଷ୍ଠାନ ଓ ସରକାରୀ ସ୍ତରରେ ସବୁଠି ଚାରା ରୋପଣ କରାଯାଉଛି । ଏଥବରେ ନଡିଆ, ଆମ୍ବ, ପଣସ, ଲିଚୁ , ବଉଳା ,ଆକାଶି, ଜାମ୍ମୁ, ଶାଗୁଆନ, ବେଲ, ନିମ୍ବ, ସପେଟା, କରଞ୍ଜ, ଗୁଆ, ଦେବଦାରୁ ଆଦି ଚାରାରୋପଣ କରାଯାଉଛି । ହେଲେ ଦୀର୍ଘ ଉଚ୍ଚତା ବିଶିଷ୍ଟ ନଡିଆ ଚାରାକୁ ଛାଡିଦେଲେ ତାଳଚାରା କରାଯାଉନାହିଁ । ଯାହାଦ୍ୱାରା ତାଳଗଛ ଲୋପ ପାଇବାକୁ ବସିଲାଣି । ତାଳଗଛ ଲୋପ ପାଇବା ଫଳରେ ବିରଳ ଘରଚଟିଆ ଚଢ଼େଇ ମଧ୍ୟ ଲୋପ ପାଇଗଲେଣି । ଏହି ଚଢ଼େଇ ତାଳଗଛ ବାହୁଙ୍ଗାରେ ବସା ବାନ୍ଧି ରହିଥାଏ । ସୁଲୁସୁଲିଆ ପବନ ଦେଲେ ତାର ବସା ଦୋହଲୁ ଥାଏ । ତାହା ଅତି ମନୋରମ ଦୃଶ୍ୟ ପାଲଟିଥାଏ । ସେ ବସାକୁ ଏବେ ଦେଖିବା ସାତ ସପନ ହୋଇପଡିଛି । ବିରଳ ପ୍ରଜାତିର ଅନେକ ଚଢ଼େଇ ଏବେ ଦେଖିବାକୁ ମିଳୁନାହାଁନ୍ତି । ତାହା ମାନବ ସମାଜ ପାଇଁ ହିତକର ନୁହେଁ । ଯେଉଁଭଳି ଭାବରେ ଜଙ୍ଗଲ ସଫା କରାଯାଉଛି ସେହି ଧାରାରେ ରାସ୍ତାକଡ, ଜମିବାଡି ଓ ଖାଲିପଡିଥିବା ସ୍ଥାନରୁ ଅହେତୁକ ଭାବେ ଗଛ ସଫା କରାଯାଉଛି । ସେହିଭଳି ଭାବରେ ଚାରାରୋପଣ କରାଯାଇ ନାହିଁ । ସେଥିପାଇଁ ପ୍ରଦୂଷଣ ବଢ଼ିବାରେ ଲାଗିଛି । କେବଳ ସବୁଠି କଙ୍କ୍ରିଟ ଜଙ୍ଗଲ ଦେଖିବାକୁ ମିଳୁଛି । ଯଦି ଏହିଭଳି ଭାବରେ ବଡବଡ ଗଛ ଗୁଡିକୁ କାଟି ଦିଆଯାଏ ତେବେ ଆଗକୁ ବଜ୍ରପାତଜନିତ ମୃତଜୀବି ବଢ଼ିବ ଏଥିରେ ସନେ୍ଦହ ନାହିଁ । ସେହିପରି ବିଭିନ୍ନ ପ୍ରଜାତିର ଚଢ଼େଇ ମଧ୍ୟ ଲୋପ ପାଇଯିବେ । ଏହାକୁ ରୋକିବା ମଧ୍ୟ ସହଜ ହେବନାହିଁ । ଏବେ ପ୍ରାଥମିକତା ଭିତିରେ ବିଭିନ୍ନ ସ୍ଥାନରେ ତାଳ ଚାରା ଓ ନଡିଆ ଚାରା ରୋପଣ କରିବା ଜରୁରୀ ହୋଇପଡିଛି । ଏବେ ସରକାରୀ ସ୍ତରରେ ତାଳ ଚାରାକୁ ଗୁରୁତ୍ୱ ସହକାରେ ରୋପଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ବର୍ଷା ଦିନରେ ବନ୍ଧକଡ, ଜାତୀୟ ରାଜପଥ, ନଦୀପଠା ଓ ପାହାଡ ପାଦଦେଶରେ ତାଳ ଚାରା ରୋପଣ କରାଯିବା ଆବଶ୍ୟକ । ଏହାକୁ ଗୁରୁତର ସହକାରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଗୁଡିକ ବିଚାରକୁ ନେଇ ତାଳଗଛ ଜଙ୍ଗଲ ସୃଷ୍ଟି କଲେ ମାନବ ସମାଜ ପାଇଁ ଏକ ବିଜ୍ଞ କାର୍ଯ୍ୟହେବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Related Posts

About The Author

Add Comment