ଲିଡସ,୬/୭ (ସନ୍ଧାନ ନିୟୁଜ ) : ବିଶ୍ୱକପକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୀତି ବଢିଚାଲିଛି । ଚଳିତ ବିଶ୍ୱକପରେ ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ ବେଳେ ଗୋଟିଏ ବିମାନରେ ଜଷ୍ଟିସ ଫର ବେଲୁଚିସ୍ତାନ (ବେଲୁଚିସ୍ତାନ ପାଇଁ ନ୍ୟାୟ) ଲେଖାଥିବା ବ୍ୟାନର ଲଗାଯାଇ ପ୍ରଦର୍ଶନ କରାଯାଇଥିଲା । ଏହାକୁ ନେଇ ବିବାଦ ଦେଖାଯାଇଥିଲା । ଆଜି (ଶନିବାର) ଦିନ ଲିଡ୍ସର ହେଡିଙ୍ଗଲେଠାରେ ଭାରତ-ଶ୍ରୀଲଙ୍କା ମ୍ୟାଚ ଚାଲିଥିବାବେଳେ ଏକ ବିମାନରେ “ ଭାରତ ଗଣହତ୍ୟା ବନ୍ଦ କରୁ, କାଶ୍ମୀରକୁ ମୁକ୍ତ କରୁ” ଲେଖାଥିବା ଏକ ବ୍ୟାନର ଏକ ବିମାନ ମାଧ୍ୟମରେ ଉଡାଯାଉଥିବା ଦେଖିବାକୁ ମିଳିଥିଲା ।
ଏହି ଘଟଣାକୁ ନେଇ ଆଇସିସି ଅସନ୍ତୋଷ ପ୍ରକାଶ କରିଛି । ଗତ ଥର ଘଟିଥିବା ଏପରି ଘଟଣା ସଂପର୍କରେ ପୁଲିସର ଦୃଷ୍ଟିଆକର୍ଷଣ କରାଯାଇଥିଲା । ଆଇସିସି ଇଭେଣ୍ଟରେ କୌଣସି ପ୍ରକାରର ରାଜନୈତିକ ବୟାନବାଜୀ ବା କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଆଯାଏ ନାହିଁ । କିନ୍ତୁ ଏହା ସତ୍ତ୍ୱ ପୁଣିଥରେ ଏପରି ହେବା ଦୁର୍ଭାଗ୍ୟଜନକ ବୋଲି ଆଇସିସି କହିଛି ।



