
ଭଦ୍ରକ, ୧୯/୫ (ସନ୍ଧାନ ନିୟୁଜ) ଆଜି ସକାଳେ ଆମ୍ବ ଗୋଟାଇବାକୁ ଯାଉଥିବା ବେଳେ ହାତୀ ଆକ୍ରଣରେ ଜଣେ ମହିଳା ମୃତ୍ୟୁ ବରଣ କରିବା ଘଟଣା ସଂପୃକ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ ଏଠାରୁ ୩ କି:ମି ଦୁର ସୋସୋ ଥାନା କାନପୁର ଗ୍ରାମର ଆନନ୍ଦ ଚନ୍ଦ୍ର ରାଉତଙ୍କ ସ୍ତ୍ରୀ ସଞ୍ଜୁଲତା ରାଉତ(୫୨) ଭୋର ସମୟରେ ଆମ୍ବ ଗୋଟାଇବାକୁ ତାଙ୍କ ପାଳକୁ ଯାଉଥିଲେ। ତାଙ୍କ ସହିତ ଗ୍ରାମର ନିରଞ୍ଜନ ରାଉତ, ଦୁର୍ଗାପ୍ରସାଦ ବେହେରା ଯାଇଥିବା ବେଳେ ସାଳନ୍ଦୀ ନଦୀ ପାରିହୋଇ ପାଳ ପାଖରେ ପହଞ୍ଚିବା କ୍ଷଣି ଛକି ରହିଥିବା ଏକ ଦନ୍ତାହାତୀ ସଞ୍ଜୁଲତାଙ୍କୁ ଆକ୍ରମଣ କରିଥିଲା। ଏହା ଦେଖି ସଙ୍ଗରେ ଯାଇଥିବା ଅନ୍ୟ ଦୁଇ ବ୍ୟକ୍ତି ଦଉଡ଼ି ପଳାଇ ଆସି ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ପରେ ଖବର ପାଇ ହଦଗଡ଼ ଜଙ୍ଗଲ ବିଭାଗ କର୍ମ·ରୀଙ୍କ ସମେତ ଗ୍ରାମରୁ ଶତାଧିକ ଲୋକେ ବାଡ଼ି, ଠେଙ୍ଗା, ଧରି କୋଳାହଳ କରି ଘଟଣାସ୍ଥଳରେ ପହଞ୍ଚି ଗୁରୁତର ସଞ୍ଜୁଲତାଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ପରେ ଆନନ୍ଦପୁର ନିଆଯାଇ ଶବ ବ୍ୟବଚ୍ଛେଦ କରାଯାଇଥିଲା। ମୃତ୍ୟ ଖବର ପାଇ ପ୍ରାକ୍ତନ ସରପଞ୍ଚ ବୈଲୋଚନ ନାୟକ, ୱାର୍ଡ଼ସଭ୍ୟ ଶତୃଘ୍ନ ରାଉତ, ବିଜେପି ନେତା ସୁଶାନ୍ତ ଶତପଥୀ, ବିଜୟ କୃଷ୍ଣ ଧଳ, ଉପେନ୍ଦ୍ର ବେହେରା ପ୍ରମୁଖ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ମହିଳାଙ୍କ ମୃତ୍ୟୁରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସନ୍ଧ୍ୟାପରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି। କିଛିବର୍ଷ ପୂର୍ବେ ଉକ୍ତ ସ୍ଥାନରେ ଏହି ଗ୍ରାମର ରଙ୍ଗାଧର ଖମାରୀଙ୍କୁ ଏକ ମାଇହାତୀ ବିଭିତ୍ସ ଭାବେ ମାରିଦେଇଥିବା ଦେଖାଯାଇଥିଲା। ପ୍ରକାଶ ଯେ ନିକଟରେ ଥିବା ହଦଗଡ଼ ଅଭୟାରଣ୍ୟରୁ କାଠ ମାଫିଆମାନେ ବଡ଼ବଡ଼ ଗଛ କାଟିନେଇ ଜଙ୍ଗଲ ସଫା କରିଦେଉଥିବା ବେଳେ କୋଇଲା ସଂଗ୍ରହ ପାିଁ ଜଙ୍ଗଲରେ ନିଅାଁ ଲଗାଇ ଦେବା ଯୋଗୁଁ କ୍ରମଶଃ ବଣ୍ୟଜନ୍ତୁମାନେ ଏବେ ଗ୍ରାମାଭିମୁଖୀ ହେଉଛନ୍ତି। ଯାହା ଫଳରେ ପ୍ରତ୍ୟେକ ବର୍ଷ ଏହିଭଳି ଦୁର୍ଘଟଣାମାନ ଦେଖିବାକୁ ମିଳୁଛି।

Related Posts
About The Author
Add Comment