ସୁନ୍ଦରଗଡ ତା:୨୨/୧୦/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ବ୍ଲକ ତଲସରା ଥାନା ଅନ୍ତର୍ଗତ ତେନ୍ତୁଳି ଝରିଆ ଗ୍ରାମରେ ହାତୀ ଘଉଡାଇବା ପଡିଲା ମହଙ୍ଗା । ଗତକାଲି ଅପରାହ୍ନରେ ହାତୀ ଘଉଡାଇବା ସମୟରେ ଜଣେ ଯୁବକ ତାର ଶିକାର ହୋଇଥିଲେ । ତାଙ୍କୁ ସମ୍ବଲପୁର ବୁର୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ନିକୋଳାସ ଜୋଜୋ(୩୫ବର୍ଷ) ବୋଲି ରାଉଳଡେଗା ବନଖଣ୍ଡ ଅଧିକାରୀ ମିତ୍ରଭାନୁ ପଟେଲଙ୍କ ସୁତ୍ରରୁ ପ୍ରକାଶ । ବନଖଣ୍ଡ ତରଫରୁ ମୃତକଙ୍କ ପରିବାରଙ୍କୁ ଚାରିଲକ୍ଷ ମିଳିବାର ପ୍ରାବଧାନ ଥିବାବେଳେ ପ୍ରଥମ ପର୍ଯାୟରେ ଚାଳିଶ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପଟେଲଙ୍କ ସୂଚନା ଅନୁସାରେ ଉକ୍ତ ଅଞ୍ଚଳର ସଂଗରଖିତ ଜଙ୍ଗଲରେ କେତେକ ହାତୀପଲ ସହ ହାତୀ ଛୁଆ ମଧ୍ୟ ଥିବାର ଜଣାପଡିଥିଲା । ହାତୀଙ୍କୁ ରାତ୍ରି ସମୟରେ ଘଉଡାଇବାର ନିୟମ ଥିବାବେଳେ ଦିନ ଦି’ପହରରେ ଘଉଡାଇବା ସମୟରେ ନିକୋଳାସ ଜୋଜୋ ଆହତ ହୋଇ ପ୍ରାଥମିକ ଚିକିତ୍ସା ପାଇଁ ସବଡେଗା ନିଆଯାଇ ସେଠାରୁ ସୁନ୍ଦରଗଡ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରାଯାଇଥିଲା ହେଲେ ତାଙ୍କର ଅଵସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ନେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ତାଙ୍କ ଶବକୁ ଵ୍ୟଵଛେଦ କରି ଘରଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।
ହାତୀ ଆକ୍ରମଣରେ ଯୁବକର ମୃତ୍ୟୁ
|
October 23, 2021 |
