ହାଏରେ କରୋନା ବେଳା: ଭିକ୍ଷୁକଙ୍କ ଥାଳ ପୁରୁନି!

Spread the love

ରାଉରକେଲା, ୨୫/୦୭/୨୦ (ସନ୍ଧାନ ନିଉଜ/ସୁବୋଧ ନାୟକ): ରାଜ୍ୟରେ ବଢିବାରେ ଲାଗିଛି କରୋନା କଲୋପ । ଏବେ ରାଉରକେଲା ସହରରେ ଚାଲିଛି ୫.୦ ଲକ ଡାଉନ । କରୋନା ଯୋଗୁ ଶିକ୍ଷା ବ୍ୟବସ୍ଥା ଠାରୁ ଅର୍ଥନୈତିକ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି । ଛୋଟ ବେପାରୀ ଠାରୁ ଆରମ୍ଭ କରି ମଲ୍ ମାଲିକ, ଅଟୋ ଚାଳକଙ୍କ ଠାରୁ ଆରମ୍ଭ କରି ବସ ମାଲିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଦୀର୍ଘଦିନର ଲକ୍ ଡାଉନର ପ୍ରଭାବ ଭିକ୍ଷୁକ ମାନଙ୍କ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପଡ଼ିଛି । ଭିକ୍ଷୁକ ମାନଙ୍କ ଆୟ ପୂର୍ବ ଅପେକ୍ଷା ହ୍ରାସ ପାଇଛି । ଭିକ୍ଷୁକଙ୍କ ଥାଳରେ ବାଜିଛି କରୋନା ଛାଟ୍‌!
କରୋନା ଲକ୍ ଡାଉନ ଯୋଗୁ ପ୍ରମୁଖ ମନ୍ଦିରସ୍ଥଳ ଗୁଡ଼ିକ ପ୍ରାୟତଃ ଭକ୍ତଶୂନ୍ୟ ହୋଇ ପଡ଼ିବା କାରଣରୁ ଭିକ୍ଷୁକ ମାନେ ହାତ ବାନ୍ଧି ବସିଛନ୍ତି । ମନ୍ଦିର ଉପରେ ଭରସା ନରଖି ଭିକ୍ଷୁକ ମାନେ ଦୁଆର ଦୁଆର ବିଚରଣ କରି ଭିକ୍ଷା ବୃତି କରିବା ଦେଖିବାକୁ ମିଳୁଛି । ଦକ୍ଷିଣ ରାଉରକେଲା ତରକେରା କୁଷ୍ଠ ବସ୍ତିରେ ରହୁଥିବା ଭିକ୍ଷୁକ ମାନେ ସାଧାରଣତଃ ସାରନଗରୀ ଅଂଚଳରେ ଥିବା ମା’ ମଙ୍ଗଳା ମନ୍ଦିର, ମା’ ତାରିଣୀ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ଅନ୍ୟ ଦେବାଳୟ ନିକଟରେ ବସି ଭିକ୍ଷା ବୃତି କରିଥାନ୍ତି । ମାତ୍ର ମାର୍ଚ୍ଚ ମାସ ମଧ୍ୟଭାଗରୁ ମନ୍ଦିର ଗୁଡ଼ିକରେ ଭକ୍ତଙ୍କ ଗହଳି ନଥିବାରୁ ଭିକ୍ଷୁକ ମାନଙ୍କ ଥାଳ ମଧ୍ୟ ପୁରୁ ନାହିଁ, ଯାହାକି ସେମାନଙ୍କ ତେଲଲୁଣ ସଂସାର ଉପରେ ପ୍ରଭାବ ପକାଇଛି । କେତେକାଂଶରେ ଘରଘର ବୁଲି ଭିକ୍ଷାବୃତି କରିବା ସମୟରେ ଭିକ୍ଷୁକ ମାନଙ୍କୁ ଅନେକ ପ୍ରକାର ବାଧାବିଘ୍ନର ସାମନା କରିବାକୁ ପଡୁଛି । ପର୍ବପର୍ବାଣୀ ଗୁଡ଼ିକ ନିରାଡମ୍ବର ଭାବରେ ପାଳନ କରାଯାଉଥିବାରୁ ଭିକ୍ଷୁକ ମାନଙ୍କୁ ଦାତାଙ୍କ ଦାନ ମଧ୍ୟ ସେତେଟା ମିଳି ପାରୁନାହିଁ । ଏବେ ଭିକ୍ଷୁକ ମାନଙ୍କ ଭାଗ୍ୟ ମଧ୍ୟ କରୋନା ମହାମାରୀରେ ସତେ ଯେପରି ଲକ୍ ଡାଉନ ହୋଇଯାଇଛି ।

Related Posts

About The Author

Add Comment