ନିଉଦିଲ୍ଲୀ , ୩୦/୧୧ (ସନ୍ଧାନ ନିଉଜ) : ଦିଲ୍ଲୀର ନିର୍ଭୟା କାଣ୍ଡ ଭଳି ହାଇଦ୍ରାବାଦ୍ରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ବର୍ବରତାର ସବୁ ସୀମା ଟପିଗଲା ମଣିଷ। ଜାନୱର ଭଳି ଇଜ୍ଜତ ଲୁଟି ରାସ୍ତାକଡ଼ରେ ଜୀଅନ୍ତା ଜାଳି ମାରିଦେଲା। ରାସ୍ତାକଡ଼ରେ ପୋଡ଼ି ପାଉଁଶ ହୋଇଯାଇଥିବା ଭେଟେରିନାରୀ ଡାକ୍ତର ଥିବା ଯୁବତୀଙ୍କ ଶରୀରକୁ ଆମେ ଆପଣଙ୍କୁ ଦେଖାଇପାରୁ ନାହୁଁ।
ବୁଧବାର ସମୟ ରାତି ପ୍ରାୟ ୯ଟା। ଡ୍ୟୁଟି ସାରି ସ୍କୁଟିରେ କୋଲ୍ଲୁରୁରୁ ଘରକୁ ଫେରୁଥିଲେ ୨୭ ବର୍ଷିୟା ଏହି ଭେଟେରିନାରୀ ଡାକ୍ତର। କିଛି ବାଟ ଗଲା ପରେ ଶମଶାହବାଦ୍ ଟୋଲଗେଟ୍ ନିକଟରେ ଜାଣିଲେ ତାଙ୍କ ବାଇକ୍ ପମ୍ପଚର୍ ହୋଇଯାଇଛି। ଯାହାର ଚିତ୍ର କଏଦ୍ ହୋଇଛି ଟୋଲଗେଟ୍ର ସିସିଟିଭିରେ।
ଏହାପରେ କିଛି ଦୁର୍ବୃତ୍ତ ତାଙ୍କୁ ପ୍ରଥମେ ସହାୟତାର ହାତ ବଢ଼ାଇଥିଲେ। ଆଉ କିଛି ଦୂରକୁ ନେଇ ଦୁଷ୍କର୍ମ କରିବା ସହ ତଣ୍ଟି ଚିପି ମାରିବା ପରେ କମ୍ବଳ ଘୋଡ଼ାଇ ଜାଳିଦିଆଯାଇଥିବା ଆଶଙ୍କା କରାଯାଉଛି।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟ୍ରକ ଡ୍ରାଇଭର ମହମ୍ମଦ ପାଶା ସହ ୪ ଜଣଙ୍କୁ ଗିରଫ କରି ଘଟଣା ତଦନ୍ତ କରୁଛି ପୁଲିସ। ସେହିପରି ଜାତୀୟ ମହିଳା କମିଶନ ମଧ୍ୟ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରି ଅନୁଧ୍ୟାନ ପାଇଁ ଏକ ଟିମ୍ ପଠାଇଛନ୍ତି।
ସେପଟେ ଏଭଳି ସମ୍ବେଦନଶୀଳ ଘଟଣାରେ ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମ୍ମୁଦ ଅଲ୍ଲୀ ପ୍ରତିକ୍ରିୟା ଦେଇ କହିଛନ୍ତି, ମୃତ ଭେଟେରିନାରୀ ଡାକ୍ତର ତାଙ୍କ ଭଉଣୀଙ୍କ ବଦଳରେ ଯଦି ପୁଲିସକୁ ଫୋନ କରିଥାନ୍ତେ, ତାହେଲେ ତାଙ୍କ ଜୀବନ ବଞ୍ଚିଯାଇଥାନ୍ତା। ଯାହାକୁ ନେଇ ବହୁ ସମାଲୋଚନା ହେଉଛି।