ନିଶ୍ଚିତକୋଇଲି,୧୯ା୧୦(ସନ୍ଧାନ ନିୟୁଜ):-ଦିନକୁ ଦିନ ହଜି ଯାଉଛି ଚାଷୀର ଅର୍ଥକାରୀ ଫସଲ । କୃଷି ଓ କୃଷକର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଅଙ୍ଗୀକାର ବଦ୍ଧ ଏବଂ ଏଥିପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଲୋକାଭୀମୁଖୀ ଯୋଜନା ମାନ କାର୍ଯ୍ୟକାରୀ କରୁଅଛନ୍ତି ।ପରନ୍ତୁ ତାହାର କୈାଣସି ସୁଫଳ ନେମାଳ ଥାନା ଅନ୍ତର୍ଗତ ଲୁଣାଚିତ୍ରୋତ୍ପଳା ଦ୍ୱିପାଞ୍ଚଳରେ ଦେଖିବାକୁ ମିଳୁନାହିଁ । କଳକାରଖାନା ବିହୀନ ଲୁଣାଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ଏକ କୃଷି ପ୍ରବଣ ଅଞ୍ଚଳ । ଏହି ଅଞ୍ଚଳର ପ୍ରାୟ ସମସ୍ତ ପଞ୍ଚାୟତର ଲୋକଙ୍କ ଜୀବିକା ନିର୍ବାହର ଏକମାତ୍ର ପନ୍ଥା କୃଷି , ଧାନ ଠାରୁ ଆରମ୍ବ କରି ପନିପରିବା ସମେତ ବିରି,ମୁଗ,କୋଳଥ,ଚଣା ଆଦି ଡାଲି ଜାତୀୟ ଫସଲ ଏଠାକାର ଚାଷୀମାନେ କରିଥାନ୍ତି । ସେହିପରି ଏଠାକାର ଚାଷୀମାନେ ବିଶେଷ କରି ନଳିତା ଭଳି ଅର୍ଥକାରୀ ଫସଲ ଚାଷ କରୁଥିଲେ ହେଁ ସମ୍ପ୍ରତି ପ୍ରୋସôାହନ ଅଭାବରୁ ଏହି ଚାଷ ବୁଡିବାକୁ ବସିଲାଣି ।ଏପରିକି ଗାଁ ଗହଳିରେ କାଉଁରିଆ ମିଳିବା ସାତ ସପନ ହୋଇଯାଇଛି । ଏପରିକି ଆଗକୁ ଆସୁଥିବା ଦିପାବଳିରେ ବଡବଡିଆ ଡାକିବା ପାଇଁ କାଉଁରିଆର ଅଭାବି ଦେଖାଦେଇଛି ।ହିନ୍ଦୁ ସମ୍ପ୍ରଦାୟର ବଡ ପର୍ବ ଦୀପାବଳି ।ଏହି ଦିନ ପୂର୍ବଜମାନଙ୍କୁ ମନେପକାଇବା ପାଇଁ ପରିବାର ଲୋକେ କାଉଁରିଆ କାଠି ଜଳାଇ କହନ୍ତି ଯେ ବଡବଡିଆ ହୋ…. ଅନ୍ଧାରରେ ଆସ ଆଲୋକରେ ଯାଅ…… । ତେବେ ଉକ୍ତ ଉକ୍ତି କହିବା ପାଇଁ କାଉଁରିଆ କାଠି ମିଳିବ କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚି ହୋଇଛି ।ରେ ସବୁପରେବି ବାତ୍ୟା ଓ ବନ୍ୟା ଭଳି ଦୈବି ଦୁର୍ବିପାକର ସମୁଖୀନ ହୋଇ ଚାଷୀକୁ ଚାଷ କାର୍ଯ୍ୟ କରିବାକୁ ପଡିଥାଏ ।ଖରାଦିନେ ରବି ଜାତୀୟ ଫସଲ ସାଙ୍ଗକୁ ଶୀତ ଦିନେ ପନିପରିବା ଚାଷରୁ ବେଶ ଫାଇଦା ଉଠାଉଥିବା ଚାଷୀ ବର୍ଷା ଦିନେ ନଳିତା ଚାଷ ଉପରେ ଗୁରୁତ୍ୱ ଦେଇଥାନ୍ତି । ସେଥିପାଇଁ ବର୍ଷା ଦିନ ଆସିବା ପୂର୍ବରୁ ନଳିତା ମଞ୍ଜି ବିଲରେ ବୁଣି ଦେଇଥିବା ବେଳେ ବନ୍ୟା ଆସିବା ପୂର୍ବରୁ ନଳିତା ବିଲରେ ବଢିଯାଇଥାଏ ।ପ୍ରଥମତଃ ଅର୍ଥକାରୀ ଫସଲ ନଳିତା ହୋଇଥିବା ବେଳେ ବନ୍ୟାଜଳକୁ ସାମ୍ନା କରିବାର ଦକ୍ଷତା ଗଛର ରହିଛି । ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ନେମାଳ,ନଗସପୁର,ସାନ୍ତପୁର,ବାବୁଜଙ୍ଗ, ନିଶ୍ଚିନ୍ତକୋଇଲି,ନତକାଇ, ରାମକୃଷ୍ଣପୁର, ଜିଗ୍ନିପୁର, ବରାଦୋ, ଜୟରାମପୁର, କେନ୍ଦୁପାଟଣା, ବୁହାଳୋ, କୋଲଣପୁର, ବାଲିଆପଦା, ବନ୍ଧକାଟିଆ, ଅସୁରେଶ୍ୱର, କଟରପଡା ,ସୁକରପଡ.ନରେନ୍ଦ୍ରପୁର, ଝାଡେଶ୍ୱରପୁର,କଳମିଶ୍ରୀ, ବନ୍ଧୁପୁର,ଜନାର୍ଦ୍ଧନପୁର, ତିଲକଣା ପ୍ରଭୃତି ବହୁ ପଞ୍ଚାୟତର ଶହ ଶହ ଚାଷୀ ବିଗତ ଦିନରେ ଅର୍ଥକାରୀ ଫସଲ ନଳିତା ଉପରେ ଅଧିକ ଗୁରୁତ୍ୱାରୋପ କରୁଥିଲା ବେଳେ ଗତ କିଛି ବର୍ଷ ହେଲା ଏହି ଅଞ୍ଚଳର ଚାଷୀମାନେ ଦିନକୁ ଦିନ ନଳିତା ଚାଷ ପ୍ରତି ବିମୁଖ ହେଉଥିବାର ଅନୁସନ୍ଧାନରୁ ଜଣାଯାଇଛି । ଦିନକୁ ଦିନ ଶ୍ରମିକ ମଜୁରୀ ବୃଦ୍ଧି ପାଇବା ସହ ଶ୍ରମିକଙ୍କର ଘୋର ଅଭାବ ଦେଖାଦେଇଛି । ଗାଁରେ କାମ ମିଳୁନଥିବାରୁ ବହୁ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ରୂପେ କାର୍ଯ୍ୟକରିବା ପାଇଁ ପଳାଇଯାଉଛନ୍ତି । ଫଳରେ ଗାଁ ଗହଳିରେ କୃଷି କ୍ଷେତ୍ରରେ କାମ କରିବା ପାଇଁ ଉପଯୁକ୍ତ ପରିମାଣରେ ଶ୍ରମିକ ମିଳୁନାହାଁନ୍ତି । ଏହା ସତ୍ତ୍ୱେ ଚାଷୀ ତାର ଚାଷ କାର୍ଯ୍ୟ ଅବ୍ୟାହତ ରଖିଛି । ଏପରିକି ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ସେବା ସମବାୟ ସମିତି, ଘରୋଇ ଋଣ ଲଗାଣକାରୀ ସଂସ୍ଥା ଏବଂ ଗାଁ ମହାଜନଙ୍କଠାରୁ ହାତ ଉଦ୍ଧାରୀ ଆଣି ନଳିତା ଚାଷ କରୁଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ନଳିତା ଚାଷ ପାଇଁ ପାଣିର ସଂକଟ ଦେଖାଦେଇଛି । ଏପରିକି ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ଚଢା ଦରରେ ନଳିତା ବିହନ କିଣି ମୋଟର ସାହାଯ୍ୟରେ ବିଲରେ ପାଣି ମଡାଇ ନଳିତା ଚାଷ କରୁଛନ୍ତି । ଏପରିକି ନକଲି ଘାସ ମାରା ଔଷଧ ପ୍ରୟୋଗ ଓ ସରକାରଙ୍କ ତରଫରୁ ନିମ୍ନମାନର ବିହନ ଯୋଗାଇ ଦିଆଯାଉଥିବା ଯୋଗୁ ଚାଷୀ ଘୋର ଆର୍ଥକ ସଂକଟର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ମାତ୍ର ପ୍ରତିକୂଳ ବାତାବରଣ ସତ୍ତ୍ୱେ ଚାଷୀ ଯେଉଁ ନଳିତା ଝୋଟ କରିଥିଲା । ଅମଳ ପରେ ତାର ଉପଯୁକ୍ତ ମୂଲ୍ୟ ପାଉ ନାହିଁ । ବଜାରରେ ସାର, ଔଷଧ ଏପରିକି ବିହନ ମଧ୍ୟ ଚଢା ଦରରେ ବିକ୍ରୟ କରାଯାଉଛି । ସରକାରଙ୍କ ତରଫରୁ ଯେଉଁ ସାର, ବିହନ ,ଔଷଧ ଯୋଗାଇ ଦିଆଯାଉଛି ତାହା ଚାଷୀଙ୍କ ନିକଟରେ ପହଞ୍ଚôବା ପୂର୍ବରୁ ବାଟରେ କଳାବଜାରରେ ବିକ୍ରୟ ହୋଇଯାଉଛି । ସେହିପରି ଭାବରେ ସରକାରଙ୍କ ଦ୍ୱାରା ସ୍ଥାନୀୟ କୃଷି ବିଭାଗକୁ କୃଷକ ତାଲିମ ନିମନ୍ତେ ଆସୁଥିବା ଅର୍ଥ କୁଆଡେ ଯାଉଛି ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଫଳରେ ଚାଷୀ ଠିକ୍ ଭାବେ ଉନ୍ନତ ପ୍ରଣାଳୀରେ ଚାଷ କରିବାର କଳ କୌଶଳ ପାଇପାରୁ ନାହିଁ । ଯାହାଦ୍ୱାରାକି ଉତ୍ପାଦନ କମ୍ ହେବା ଯୋଗୁ ଚାଷୀ ତାର ଉପଯୁକ୍ତ ପ୍ରାପ୍ୟ ପାଇପାରୁ ନାହିଁ । ଅପରପକ୍ଷରେ ସରକାରୀ ଭାବେ ଝୋଟ କୁଇଣ୍ଟାଲ ମାତ୍ର ୧୫ଶହ ଟଙ୍କା ରଖାଯାଇଥିଲା ବେଳେ ଝୋଟ ବିକ୍ରୟ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଚାଷୀ ବାଧ୍ୟ ହୋଇ ବେପାରୀକୁ କୁଣ୍ଟାଲ ପିଛା ୧୦୦୦ ରୁ ୧୨୦୦ ଟଙ୍କାରେ ବିକ୍ରୟ କରିବା ପାଇଁ ବାଧ୍ୟ ହେଉଛନ୍ତି । କେନ୍ଦ୍ରାପଡା ଜିଲ୍ଳାର ଦାନପୁର ଝୋଟ ସମବାୟ ଓ କେନ୍ଦୁପାଟଣାରେ ଥିବା ଭାରତୀୟ ଝୋଟ ନିଗମ ଏକ ରକମ ଅଚଳ ହୋଇଯାଇଥିବାରୁ ଚାଷୀ ଠିକ୍ ଭାବେ ଝୋଟ ବିକ୍ରୟ କରିପାରୁନାହିଁ । ଫଳରେ ଏହି ଅଞ୍ଚଚଳରେ ଦିନକୁ ଦିନ ନଳିତା ଚାଷ ହ୍ରାସ ପାଉଥିବାରୁ ବୁଦ୍ଧିଜୀବୀ ମହଲରେ ଚିନ୍ତା ଓ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ ନଳିତାରୁତିଆରି ଝୋଟରୁ ଦଉଡି, ଅଖା, ଶାଢୀ,ବ୍ୟାଗ, ପ୍ରଭୃତି ବହୁ ମୂଲ୍ୟବାନ ଦ୍ରବ୍ୟ ତିଆରି ହେଉଥିଲା ବେଳେ କାଉଁରିଆକୁ ଲୋକମାନେ ଜାଳେଣୀ ରୂପେ ବ୍ୟବହାର କରୁଥିଲେ । ଏବେ ନଳିତା ଚାଷ କମିଯିବା ଯୋଗୁ ଗାଁ ଗହଳିରେ କାଉଁରିଆ ମିଳିବା ମଧ୍ୟ ସାତ ସପନ ହେଲାଣି । ସରକାର ଚାଷୀମାନଙ୍କର ପ୍ରକୃତ ଅବସ୍ଥାକୁ ହୃଦୟଙ୍ଗମ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦୃଢ ଦାବି ହୋଇଛି ।
ହଜି ଯାଉଛି ଚାଷୀର ଅର୍ଥକାରୀ ଫସଲ ଦୀପାବଳିରେ ବଡବଡିଆ ଡାକ ପାଇଁ କାଉଁରିଆ କାଠି ମିଳିବା ସାତ ସପନ
|
October 21, 2019 |