ମୟୁରଭଞ୍ଜ, ୯/୫ (ସନ୍ଧାନ ନିୟୁଜ) ହଜି ଗଲା ମାନବିକତା ,ନିର୍ଦ୍ଦୟ ହୋଇଗଲେ ଆମ୍ବୁଲାନ୍ସ କର୍ମଚାରୀ ବଡ ମେଡ଼ିକାଲ ସ୍ଥାନାନ୍ତର ସମୟରେ ଅଧାରାସ୍ତାରେ ଅସୁସ୍ଥ ଶିଶୁର ମୃତ୍ୟୁ ଘଟିଥିବାର ଜଣାପଡିଛି । ମୃତ୍ୟୁ ପରେ ଉକ୍ତ ରାସ୍ତା ମଧ୍ୟରେ ଶିଶୁର ମୃତ ଦେହ ଓ ପରିବାର ଲୋକମାନଙ୍କୁ ଉହ୍ଲାଇ ଦେଲେ ଆମ୍ବୁଲାନ୍ସ କର୍ମଚାରୀ । ଏହିଭଳି ଏକ ଅଭାବନୀୟ ତଥା ଅମାନବିକ ଘଟଣା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଗତକାଲି ରାତିରେ ଜାମଦା ଥାନା ଅନ୍ତର୍ଗତ ତାରଣା ଗ୍ରାମର ଗଣେଶ ମହାକୁଡ଼ଙ୍କ ଏକମାତ୍ର ପୁଅର କୌଣସି କାରଣରୁ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ସ୍ବାସ୍ଥ୍ୟ ଅବସ୍ଥାକୁ ଦେଖି ପରିବାର ଲୋକମାନେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟ ଅବସ୍ଥା ଅତି ସଂକଟାପନ୍ନ ଥିବାରୁ ୧୦୨ ଆମ୍ବୁଲାନ୍ସ ଯୋଗେ ବାରିପଦା ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଯିବା ବାଟରେ ବିଶୋଇ ନିକଟରେ ଅସୁସ୍ଥ ଶିଶୁଟିର ମୃତ୍ୟୁ ଘଟିଥିଲା । ତେବେ ଶିଶୁଟିର ମୃତ୍ୟୁ ଘଟିଥିବାର ଆମ୍ବୁଲାନ୍ସ କର୍ମଚାରୀ ଜାଣିପାରିବା ପରେ ମାନବିକତାକୁ ବଳିପକାଇ ଶିଶୁର ମୃତ ଦେହ ସହ ପରିବାର ଲୋକମାନଙ୍କୁ ସେଠାରେ ଉହ୍ଲାଇ ଦେଇ ପଳାଇଥିଲେ । ଆମ୍ବୁଲାନ୍ସଟି ପଳାଇବା ପରେ ପରିବାର ଲୋକମାନେ କିଛି ଉପାୟ ନପାଇ ହତାଶ ହୋଇ ଏକଗଛ ମୂଳରେ ମୃତଦେହକୁ ଧରି କାନ୍ଦୁ ଥିଲେ । ନିକଟର ଲୋକମାନେ କାନ୍ଦ ଶୁଣି ଘଟଣାସ୍ଥଳକୁ ଦୌଡି ଯାଇଥିଲେ, ସେଠାରେ ପରିବାରଙ୍କ ଠାରୁ ଘଟଣା ବାବଦରେ ସବୁ ଶୁଣିଥିଲେ ।ଏଭଳି ଦାୟିତ୍ବହୀନ ଅମାନବିକ ଘଟଣାକୁ ଗ୍ରାମବାସୀ ନିନ୍ଦା କରିବା ସହ ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉପସ୍ଥିତ ଥିବା ଲୋକମାନେ ସହାନୁଭୂତିରେ ଅସହାୟ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ପରିବେଶ ଫାଟି ପଡିଥିଲା । ଏହି ଘଟଣା ବାବଦରେ ଲୋକମାନଙ୍କ ହସ୍ତକ୍ଷେପରେ ଘଟଣା ସମ୍ପର୍କରେ ପ୍ରଶାସନକୁ ଖବର ଦେବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ଶବବାହକ ଗାଡ଼ି ଯୋଗାଇ ଦିଆଯାଇଥିଲା । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହି ଅମାନବିକ ଆମ୍ବୁଲାନ୍ସ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଅଞ୍ଚଳର ଜନସାଧାରଣଙ୍କ ଦାବି ହୋଇଛି ।
Report- P das