ଭୁବନେଶ୍ବର, ୭/୮ (ସନ୍ଧାନ ନିଉଜ) : ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ଜରିଆରେ ଆଜି ୨୦୧୩୬.୩୯ କୋଟି ଟଙ୍କାର ସାତଟି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ସବୁ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୭୭୮ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜି ଲୋକସେବା ସଦନରେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ପ୍ରଦାନ କରାଯାଇଛି।
ଆଜିର ବୈଠକରେ ଖାଦ୍ୟ ପ୍ରକ୍ରିୟାକରଣ, ପ୍ଲାଷ୍ଟିକ୍, ପର୍ଯ୍ୟଟନ ଓ ଧାତୁ କ୍ଷେତ୍ରର ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ପ୍ଲାଷ୍ଟିକ୍ ଶିଳ୍ପ କ୍ଷେତ୍ରର ଅଗ୍ରଣୀ କଂପାନି ସୁପ୍ରିମ୍ ଇଣ୍ଡଷ୍ଟ୍ରିଜ୍ ଖୋର୍ଦ୍ଧାଠାରେ ୧୫୧.୩୦ କୋଟି ଟଙ୍କା ବିନିଯୋଗରେ ଏକ କାରଖାନା ସ୍ଥାପନ କରିବ। ସେହି କାରଖାନାରେ ପ୍ଲାଷ୍ଟିକ୍ ପାଇପ, ପିଭିସି ପାଣି ଟାଙ୍କି ଓ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ କରାଯିବ। ଏହି ପ୍ରକଳ୍ପରେ ୨୩୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଫୋଗ୍ଲା ଗ୍ରୁପ୍ର ଏକ ସହଯୋଗୀ ସଂସ୍ଥା ଭାଗିରଥୀ ପ୍ୟାକେଜିଂ ପକ୍ଷରୁ ଭଦ୍ରକରେ ୬୦.୨୯ କୋଟି ଟଙ୍କା ବିନିଯୋଗରେ ଏକ ପଲିପ୍ରୋପଲିନ ଓଭେନ୍ ବ୍ୟାଗ୍ ପ୍ରସ୍ତୁତି କାରଖାନା ସ୍ଥାପନ କରାଯିବ। ଏହି ପ୍ରକଳ୍ପରେ ୫୦୦ ଲୋକ ନିଯୁକ୍ତି ପାଇବେ। ଭୁବନେଶ୍ବରରେ ୩୦୦ କୋଟି ଟଙ୍କା ବିନିଯୋଗରେ ୪୦୦୦ ଲୋକଙ୍କ ସୁବିଧା ଥିବା ଏକ କନ୍ଭେନ୍ସନ୍ ସେଣ୍ଟର୍ ସ୍ଥାପନ କରିବା ଲାଗି ମେ’ଫେୟାର ହୋଟେଲସ୍ ଆଣ୍ଡ୍ ରିସୋର୍ଟ ଲିମିଟେଡ୍ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପରେ ୮୫୦ ଲୋକ ନିଯୁକ୍ତି ପାଇପାରିବେ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥାଇଲ୍ୟାଣ୍ଡ୍ର କଂପାନି ଇଣ୍ଟେକ୍ ଫିଡ୍ ଓ ଏକ୍ସପ୍ଲୋର ଫୁଡ୍ର ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ଇଣ୍ଟେକ୍ ଫିଡ୍ ଖୋର୍ଦ୍ଧାରେ ୧୦୭.୮୮ କୋଟି ଟଙ୍କା ବିନିଯୋଗରେ ଏକ ଚିଙ୍ଗୁଡ଼ି ଖାଦ୍ୟ ଉତ୍ପାଦନ କାରଖାନା ନିର୍ମାଣ କରିବ। ଏକ୍ସପ୍ଲୋର ଫୁଡ୍ ପକ୍ଷରୁ ସେହି ଖୋର୍ଦ୍ଧାରେ ୫୧.୪୦ କୋଟି ଟଙ୍କା ବିନିଯୋଗରେ ଏକ ରେଡି ଟୁ ଇଟ୍ ସ୍ନାକ୍ସ କାରଖାନା ସ୍ଥାପନ କରାଯିବ। ଏହି ଦୁଇ ପ୍ରକଳ୍ପ ଜରିଆରେ ୪୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶା ଉଦ୍ୟୋଗୀଙ୍କ ଦୁଇଟି ପ୍ରସ୍ତାବକୁ ଆଜିର ବୈଠକରେ ଅନୁମୋଦନ କରାଯାଇଛି। ଚାଲାହ୍ ଇନ୍ଫ୍ରାଟେକ୍ ତରଫରୁ ଖୋର୍ଦ୍ଧାରେ ୯୯.୮୦ କୋଟି ଟଙ୍କା ବିନିଯୋଗରେ ଏକ ଲଜିଷ୍ଟିକ୍ ପାର୍କ ସ୍ଥାପନ କରାଯିବ। ସେହିପରି କେଏଆଇ ଇଣ୍ଟରନ୍ୟାସନାଲ୍ ତରଫରୁ ସୁନ୍ଦରଗଡ଼ରେ ୨୬୫.୭୨ କୋଟି ଟଙ୍କା ବିନିଯୋଗରେ ଏକ ଲୁହା ପଥର ବେନିଫିକେସନ୍ ଆଣ୍ଡ୍ ପେଲେଟ୍ ପ୍ଲାଣ୍ଟ୍ ସ୍ଥାପନ କରାଯିବ।