ଢେଙ୍କାନାଳ ୩୧/୧(ସନ୍ଧାନ ନିୟୁଜ/ଅନିତା ବେହେରା) ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ଜାତୀୟତା ଭାବରେ ଉଦ୍ବୁଦ୍ଧ ହୋଇ ନିଜ ଦେଶକୁ ଇଂରେଜ ଶାସନ କବଳରୁ ମୁକ୍ତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଶ୍ରୀ ମହେଶ୍ୱର ସ୍ୱାଇଁ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ତଥା ଶହୀଦ ଦିବସରେ ଇହଧାନ ତ୍ୟାଗ କରିଛନ୍ତି। ୯୫ ବର୍ଷୀୟ ଶ୍ରୀ ସ୍ୱାଇଁ ଗତ ୨୩ ତାରିଖରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ୨୮.୧୨.୧୯୨୪ ମସିହାରେ ଢେଙ୍କାନାଳ ଜିଲ୍ଲାର ସଂଗ୍ରାମୀ ଗ୍ରାମ ବାଲିଗୋରଡରେ ଜଗବନ୍ଧୁ ସ୍ୱାଇଁ ଓ ଉଷାଦେବୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ। ମୂଷା ମଲ୍ଲିକ, ମହେଶ ଚନ୍ଦ୍ର ସୁବାହୁସିଂହ, ବୈଷ୍ଣବ ପଟ୍ଟନାୟକଙ୍କ ଭଳି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ମିଶି ସେ ସ୍ୱାଧୀନତା ସଂଗ୍ରାମରେ କାର୍ଯ୍ୟ କରିଥିଲେ। ପ୍ରଜାମଣ୍ଡଳ ଆନ୍ଦୋଳନରେ ତାଙ୍କର, ତାଙ୍କ ବାପା ଓ ତାଙ୍କ ଭାଇ ଧନେଶ୍ୱର ସ୍ୱାଇଁଙ୍କ ସଂପୃକ୍ତି ଯୋଗୁଁ ଦଣ୍ଡସ୍ୱରୂପ ଢେଙ୍କାନାଳ ରାଜା ତାଙ୍କ ବାପାଙ୍କ ୧୦ ଏକ ଜମି ବାଜ୍ୟାପ୍ତି କରିବା ସହ ତାଙ୍କ ଠାରୁ ଗାଁର ପଧାନୀ ପଦ ପ୍ରତ୍ୟାହାର କରିନେଇଥିଲେ। ମଢି (କାମାକ୍ଷାନଗର)ର ଥାନା ଓ କଚେରୀ ପୋଡି, ମାଳପୁରା ଖମାର ହାଣିବା ଏବଂ ପରଜଙ୍ଗ ଥାନା ଘେରାଉ, ଭାରତଛାଡ ଆନ୍ଦୋଳନ ଭଳି ସଂଗ୍ରାମରେ ମହେଶ୍ୱର ବାବୁ ସଂପୃକ୍ତ ଥିଲେ। ବାନରସେନାର ସାମିଲ ହେବା, ଗାଁ ଗାଁ ବୁଲି ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ପ୍ରଚାର ପାଇଁ ଗୀତ ଗାଇବା, ଚରଖାରେ ସୂତା କାଟିବା, ସେବା ଦଳରେ ସାମିଲ ହୋଇ ଗାଁ ଦାଣ୍ଡ ଝାଡୁ କରିବା ଭଳି କାର୍ଯ୍ୟ ସେ କରିଥିଲେ ଏବଂ ପୋଲିସର ମାଡ ମଧ୍ୟ ଖାଇଥିଲେ। ତାଙ୍କ ଧର୍ମପତ୍ନୀ ସ୍ୱର୍ଗୀୟା ସାବିତ୍ରୀ ଦେବୀ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଏସବୁ କାର୍ଯ୍ୟ କରୁଥିଲେ। ତାଙ୍କ ଶ୍ୱଶୁର ପ୍ରଭାକର ସ୍ୱାଇଁ, କକାଶୁର ବାଇଧର ସ୍ୱାଇଁ, ଆନନ୍ଦ ଚନ୍ଦ୍ର ସ୍ୱାଇଁ ପ୍ରଭୃତି ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିବା ସହ ପୋଲିସର ଅକଥନୀୟ ଅତ୍ୟାଚାର ସହିଥିଲେ।
ସ୍ୱର୍ଗତ ସ୍ୱାଇଁଙ୍କର ବିୟୋଗ ଖବର ପାଇବା ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କ ମର ଶରୀରରେ କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ତହସିଲଦାର ଶ୍ରୀ ସୁଧାଂଶୁ କୁମାର ମହାନ୍ତି, ଲୋକ ସଂପର୍କ ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ବେହେରା, ଅତିରିକ୍ତ ଥାନା ଅଧିକାରୀ ଶ୍ରୀ ଦୋଳେଶ୍ୱର ନାଏକ, ସବ୍ଇନସ୍ପେକ୍ଟର ଶ୍ରୀ ସୁଜ୍ଞାନ କୁମାର ବାରିକ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜିଲ୍ଲା ପୋଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ବା ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ପୂର୍ବକ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଜ୍ୟୋଷ୍ଠପୁତ୍ର ରବି ନାରାୟଣ ସ୍ୱାଇଁ ମୁଖାଗ୍ନି ଦେଇଥିଲେ।
ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଶଳା ଅବସରପ୍ରାପ୍ତ ଆଇଏଏସ୍ ଅରୁଣୋଦୟ ସ୍ୱାଇଁ, ଶଶୀଭୂଷଣ ସ୍ୱାଇଁ, ଗୋଲକ ବିହାରୀ ସ୍ୱାଇଁ, ଝିଅ ଚପଳାବାଳା ନାୟକ, ଜାମାତା ମାୟାଧର ନାୟକ, ପ୍ରଦୀପ କୁମାର ସ୍ୱାଇଁ, ପୁତ୍ରବଧୂ ରୀନାରାଣୀ ସ୍ୱାଇଁ, କାମିନୀ ସ୍ୱାଇଁ, ଅଶାନ୍ତି ନାୟକ, ନାତିନାତୁଣୀ, ପୁତୁରାଝିଆରି ଏବଂ ଅନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। କାମାକ୍ଷାନଗର ବାର୍ ଆସୋସିଏସନ୍ର ସଭାପତି ରଂଜନ କୁମାର ରାଉତ, ପୂର୍ବତନ ଉପସଭାପତି କୁଶ ବାବୁ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଶତାଧିକ ଶୁଭେଚ୍ଛୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲା ବିଶେଷ କରି କାମାକ୍ଷାନଗର ଉପଖଣ୍ଡରେ ଶୋକର ଛାୟା ଖେଳିଯାଇଛି।