ଯାଜପୁର,୬/୧୨ (ସନ୍ଧାନ ନିୟୁଜ/ମାନସ ରାଉତ) ୩୪ବର୍ଷ ତଳେ ବହୁ ଜମାକାରୀଙ୍କ ସ୍ଵଳ୍ପ ସଞ୍ଚୟ ଜମା ଟଙ୍କା ଆତ୍ମସାତ୍ ନେଇ ଡାକ ବିଭାଗ ପକ୍ଷରୁ ରୁଜୁ ଏକ ମାମଲାରେ ଜେନାପୁର ଥାନା ଅନ୍ତର୍ଗତ ଅଣ୍ଟିଆ ଶାଖା ଡ଼ାକଘରର ତତ୍କାଳୀନ ପୋଷ୍ଟ ମାଷ୍ଟର ଗୋଲକ ବିହାରୀ ମହାନ୍ତି(୭୨ ବର୍ଷ)ଙ୍କୁ ଗତ ୪ତାରିଖ ବୁଧବାର ଦିନ ମାନ୍ୟବର ଯାଜପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ଦୌରା ଜଜ୍ ଶ୍ରୀ ରାଜେଶ କୁମାର ନାୟର୍ ଭି.ଜି. ୧୦ହଜାର ଟଙ୍କା ଜରିମାନା ସହ ୨ ବର୍ଷ ୬ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି | ଜରିମାନା ରାଶି ଅନାଦେୟ ହେଲେ ଆଉ ୬ମାସ ପାଇଁ ଅଧିକ ଜେଲଦଣ୍ଡ ହେବ ବୋଲି ମଧ୍ୟ ରାୟରେ ନିର୍ଦ୍ଦେଶ ରହିଛି | ଜେଲ୍ ଦଣ୍ଡାଦେଶ ପାଇଥିବା ଗୋଲକ ବିହାରୀ ମହାନ୍ତି ୧୯୮୪ମସହାରେ ଅଣ୍ଟିଆ ଶାଖା ଡ଼ାକଘରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ ଥିବା ବେଳେ ବିଭିନ୍ନ ଜମାକାରୀଙ୍କଠାରୁ ଜମା ବାବଦରେ ଗ୍ରହଣ କରିଥିବା ମୋଟ ୨୬,୯୮୨.୬୦ଟଙ୍କାକୁ ସେମାନଙ୍କ ଜମାଖାତାରେ ଲିପିବଦ୍ଧ କରିଥିଲେ ମଧ୍ୟ ତାହାକୁ ଲେଜରରେ ଲିପିବଦ୍ଧ କରାଇ ସେହି ଅର୍ଥ ରାଶିକୁ କିନ୍ତୁ ବିଭାଗୀୟ ତହବିଲରେ ଜମା ନ କରି ସେ ନିଜେ ଆତ୍ମସାତ୍ କରିଥିବା ନେଇ ବିଭାଗୀୟ ଅଡିଟରେ ଜଣାପଡ଼ିବା ପରେ ତାଙ୍କ ବିରୁଦ୍ଧରେ ଯାଜପୁର ରୋଡ ଡାକ ବିଭାଗ ଉପଖଣ୍ଡର ତତ୍କାଳୀନ ନିରୀକ୍ଷକ ନୂପୁର ରାୟ ଚୌଧୁରୀ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ | ଏଥିନେଇ ଆଇପିସିର ଦଫା ୪୦୯ ଓ ୪୭୭ରେ ଏକ ଏତଲା (ନଂ. ୨୫୯/୧୯୮୪) ରୁଜୁ ହୋଇ ପୋଲିସ ତଦନ୍ତ କରିଥିଲେ ମଧ୍ୟ ଘଟଣାରେ ସତ୍ୟତା ରହିଛି କିନ୍ତୁ ଆବଶ୍ୟକ ପ୍ରମାଣ ଅଭାବ ଦର୍ଶାଇ ୧୯୮୬ମସିହାରେ ମାମଲାକୁ ବନ୍ଦ କରି ଯାଜପୁର ଏସଡିଜେଏମ୍ କୋର୍ଟରେ ପୋଲିସ ଫାଇନାଲ ଫର୍ମ ଦାଖଲ କରି ଦେଇଥିଲା | ଏହାପରେ ଡାକ ବିଭାଗ ପକ୍ଷରୁ ପୋଲିସ ଫାଇନାଲ ଫର୍ମ ବିରୁଦ୍ଧରେ ଯାଜପୁର ରୋଡ ଡାକ ବିଭାଗ ଉପଖଣ୍ଡର ତତ୍କାଳୀନ ନିରୀକ୍ଷକ ଭରତ ଚନ୍ଦ୍ର ସେଠୀ ଦ୍ବାରା ଏକ ପ୍ରୋଟେଷ୍ଟ ପିଟିସନ୍ (ଆଇସିସି ନଂ.୧୮୮/୨୦୦୨) ଦାଖଲ ହେବା ଯୋଗୁଁ ପୁନଶ୍ଚ କେଶ୍ ଖୋଲିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲାର ଶୁଣାଣୀ ଆରମ୍ଭ ହୋଇଥିଲା | ଏଥିନେଇ ଅଭିଯୁକ୍ତ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବି ତାଙ୍କୁ କୌଣସି ପ୍ରକାର ଫଳ ମିଳି ନ ଥିଲା ସତ ମାତ୍ର ବିଚାର ପ୍ରକିୟା ବିଳମ୍ବିତ ହୋଇ ଚାଲିଥିଲା | ମୋଟ ୯ଜଣ ସାକ୍ଷୀଙ୍କ ବୟାନ ଓ ୫୧ଗୋଟି ଲିଖିତ ପ୍ରାମାଣିକ ଦସ୍ତାବିଜ୍ ଆଧାରରେ ସିଜେଏମ୍ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ବୁଧବାର ଏହି ଦଣ୍ଡାଦେଶ ଦେଇଛନ୍ତି | ଡାକ ବିଭାଗ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲା ନିମନ୍ତେ ନିଯୁକ୍ତ ଆଡ଼ିସନାଲ୍ ଷ୍ଟାଣ୍ଡିଙ୍ଗ୍ ଗଭର୍ଣମେଣ୍ଟ୍ କାଉନସେଲ୍ ଉଦୟନାଥ ସାହୁ ମାମଲା ପରିଚାଳନା କରୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନିଜିବୀ ଉଦୟନାଥ ଶତପଥି ମାମଲା ପରିଚାଳନା କରୁଥିଲେ |
ସ୍ୱଳ୍ପ ଜମାକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗରେ ପୋଷ୍ଟ ମାଷ୍ଟରଙ୍କୁ ୨ ବର୍ଷ ୬ମାସ ଜେଲ୍
|
December 6, 2018 |