ନୂଆଦିଲ୍ଲୀ,୬/୪ (ସନ୍ଧାନ ନିଉଜ : ସୋସିଆଲ ମିଡିଆରେ ଖରାପ ଆଚରଣ କରୁଥିବା ଲୋକମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟ୍କୁ ବ୍ୟବହାରକାରୀଙ୍କ ଫୋନ୍ ନମ୍ବର କିମ୍ବା ପରିଚୟପତ୍ର ସହିତ ଲିଙ୍କ୍ କରିବା ଉପରେ ବିଚାର କରାଯାଉଛି। ଏହି ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯିବ। ଯଦି ଏହି ଯୋଜନା କାର୍ଯ୍ୟକାରୀ ହେବ ତେବେ ଆଗାମୀ ଦିନରେ ଫେସବୁକ୍ ଓ ଟ୍ବିଟର୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଆକାଉଣ୍ଟ୍ ସହିତ ଫୋନ୍ ନମ୍ବର ଲିଙ୍କ୍ କରିବାକୁ ପଡ଼ିବ। ବର୍ତ୍ତମାନ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମରେ କେତେକ ବ୍ୟକ୍ତି ନିଜ ପରିଚୟକୁ ଗୋପନ ରଖି ଅପ୍ରୀତିକର ବ୍ୟବହାର କରୁଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ସହଜ ହେଉନାହିଁ। କିନ୍ତୁ ସେମାନଙ୍କ ବ୍ୟବହାର ଯୋଗୁ ଅନେକ ଲୋକ ନିଜର ମାନସମ୍ମାନ ଏବଂ ପ୍ରତିଷ୍ଠା ହରାଉଛନ୍ତି। ବିନା କୌଣସି ଭୟରେ ସେମାନେ ଏଭଳି କାମ କରୁଛନ୍ତି। ସେହି ଲୋକମାନଙ୍କ ଉପରେ ନଜର ରଖିବାକୁ ସରକାର ଏହି ଯୋଜନା ପ୍ରସ୍ତୁତ କରୁଛନ୍ତି। ସାରା ବିଶ୍ବରେ ସୋସିଆଲ ମିଡିଆ ଆକାଉଣ୍ଟ୍ ଭେରିଫିକେସନକୁ ନେଇ କ’ଣ ସବୁ ବ୍ୟବସ୍ଥା ରହିଛି ତାହାର ଅନୁଧ୍ୟାନ କରାଯାଉଛି। ଫୋନ୍ ନମ୍ବର କିମ୍ବା ପରିଚୟପତ୍ରକୁ ସୋସିଆଲ ମିଡିଆ ଖାତା ସହ ଲିଙ୍କ୍ କରାଗଲେ ସେହି ସବୁ ତଥ୍ୟର ଗୋପନୀୟତା ଯେଭଳି ବଜାୟ ରହିପାରିବ ତାହାକୁ ସରକାର ନିଶ୍ଚିତ କରିବେ।
ସୋସିଆଲ୍ ମିଡିଆ ଆକାଉଣ୍ଟ୍-ଫୋନ୍ ନମ୍ବର ଲିଙ୍କ୍ କରାଯିବ
|
April 6, 2019 |
