ରାଉରକେଲା, ୧୭/୧୦ (ସନ୍ଧାନ ନିଉଜ) : ରାଉରକେଲା ଇସ୍ପାତ କାରଖାନାର ରିଫ୍ରାକ୍ଟୋରିଜ ବିଭାଗରେ ସିନିୟର ମ୍ୟାନେଜର, ଶ୍ରୀ ସମ୍ପଦ ମିଶ୍ର ଏବଂ ଏମଟିଆଇ ରାଞ୍ଚିର ଜିଏମ, ଶ୍ରୀ ଶ୍ରୀମନ୍ତ କୁମାର ମଲ୍ଲିକଙ୍କୁ ନେଇ ଗଠିତ ଦଳ ଦିଲ୍ଲୀ ସ୍ଥିତ ହୋଟେଲ ତାଜରେ ଅନୁଷ୍ଠିତ ଟାଟା କୃସିବୁଲ କର୍ପୋରେଟ ବିଜିନେସ କୁଇଜ-୨୦୧୯ର ଉତ୍ତର ଜୋନ ଫାଇନାଲରେ ବିଜେତା ହୋଇଛନ୍ତି । ଏଥିରେ ସେଲ ସମେତ ଭେଲ, ଟାଟା କନସଲ୍ଟାନ୍ସି ସର୍ଭିସେସ, ବ୍ୟାଙ୍କ ଅଫ ବରୋଦା, ବାର୍କଲେଜ ଓ ଓଲା ଉତ୍ତର ଜୋନ ଫାଇନାଲରେ ଅଂଶଗ୍ରହଣ କରିଥିଲେ । ସେଲ ଆରଏସପି ଦଳ ବର୍ତ୍ତମାନ ଅକ୍ଟୋବର ୧୯ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଫାଇନାଲରେ ଅଂଶଗ୍ରହଣ କରିବ । ଏଥିରେ ଦେଶର ଚାରିଟି ଜୋନରୁ ୮ ଟି ଦଳ ଭାଗ ନେବେ ।
ଏଥିପୂର୍ବରୁ ଆରଏସପି ଦଳ ଜାମଶେଦପୁରରେ ଅନୁଷ୍ଠିତ ସିଟି ଯୋଗ୍ୟତା ପର୍ଯ୍ୟାୟରେ ବିଜୟୀ ହୋଇଥିଲା। ଦଳ ଏଥିରେ ବିଜେତା ରୂପେ ୭୫ ହଜାର ଟଙ୍କାର ପୁରସ୍କାର ରାଶି ଲାଭ କରିଥିଲେ । ଏହି ପ୍ରତିଯୋଗିତାରେ ଦଳ ଉତ୍କୃଷ୍ଟ ପ୍ରଦର୍ଶନ ପୂର୍ବକ ବିଜେତା ହୋଇଥିଲା।
ଉଲ୍ଲେଖନୀୟ ଯେ, ଟାଟା କୃସିବୁଲ କର୍ପୋରେଟ ବିଜିନେସ କୁଇଜ ଟାଟା ଗୃପ ଦ୍ଵାରା ଆୟୋଜିତ ଏକ ମର୍ଯ୍ୟାଦାଜନକ ଜାତୀୟ ସ୍ତରୀୟ ପ୍ରତିଯୋଗିତା ଅଟେ । ଦେଶର ଯୁବ କର୍ପୋରେଟ ପ୍ରତିଭାଙ୍କୁ ଏକାଠି କରି କଠିନତମ ବିଜିନେସ କୁଇଜର ସମ୍ମୁଖୀନ କରିବା ଲକ୍ଷ୍ୟରେ ଏହି କୁଇଜ ଅନୁଷ୍ଠିତ ହେଉଛି ।