ବ୍ୟାଙ୍ଗକକ୍, ୦୮/୦୨ (ସନ୍ଧାନ ନିୟୁଜ): ଥାଇଲାଣ୍ଡରେ ଗୁଳିକାଣ୍ଡ । ବୁଦ୍ଧ ମନ୍ଦିରରେ ଘଟିଥିବା ଗୁଳିକାଣ୍ଡରେ 12ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଥାଇଲାଣ୍ଡ ସେନାର ଜଣେ ଅଧିକାରୀ କମାଣ୍ଡିଂ ଅଫିସରଙ୍କୁ ଆକ୍ରମଣ କରି ଅସ୍ତଶସ୍ତ୍ର ଚୋରି କରିନେଇଥିଲା । ପରେ ଏହାର ବ୍ୟବହାର କରି ସ୍ଥାନୀୟ ଏକ ବୁଦ୍ଧ ମନ୍ଦିରରେ ଗୁଳି ଚାଳନା କରିଥିଲା ।
କେବଳ ବୁଦ୍ଧ ମନ୍ଦିରରେ ନୁହେଁ ସପିଂ ମଲରେ ଆଖିବୁଜା ଗୁଳି ଚାଳାନା କରିଥଲା ସେନା ଅଧିକାରୀ । ମୁଆଙ୍ଗ ଜିଲ୍ଲାର ଏକ ସପିଂ ମଲରେ ଗୁଳି ଚାଳନା ହୋଇଛି । ଆଖିବୁଜା ଗୁଳି ଚାଳନା କରିବା ଦ୍ୱାରା ପାଖରେ ଥିବା ଏକ ସିଲିଣ୍ଡରରେ ଗୁଳି ବାଜିଥିଲା । ଫଳରେ ସେଠାରେ ଏହା ବିସ୍ଫୋରଣ ହେବା ଦ୍ୱାରା ବହୁ ଲୋକଙ୍କ ଜୀବନ ଯାଇଛି । ଏବେ ସୁଦ୍ଧା 12 ଜୀବନ ଯାଇଥିବା କୁହାଯାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭବନା ଥିବା କୁହାଯାଉଛି ।
ସେପଟେ ଏହି କାଣ୍ଡ ଭିଆଇବା ପୂର୍ବରୁ ଅଭିଯୁକ୍ତ ସେନା ଅଧିକାରୀ ନିଜ ଫେସବୁକ୍ ପେଜ୍ରେ ବନ୍ଧୁକ ଏବଂ ଗୁଳିର ଫଟୋ ସେୟାର କରିଥିବା ପୋଲିସ ଜାଣିବାକୁ ପାଇଛି । ଏହାସହ ଏହି ଗୁଳିକାଣ୍ଡ ପଛରେ କାରଣ କଣ ଜଣାନଥିବା ବେଳେ କମାଣ୍ଡିଂ ଅଫିସରଙ୍କୁ ନିଜ କ୍ୟାମ୍ପରେ ବି ଗୁଳି କରି ମାରିଛି ଅଭିଯୁକ୍ତ ।
ଏପରି ଏକ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଘଟଣା ଉପରେ ନଜର ରଖିଛନ୍ତି ଥାଇ ପିଏମ୍ । ସେପଟେ ଥାଇ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରଖାନା ଯାଇ ରକ୍ତ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି ।