କୋଲକାତା, ୧/୩(ସନ୍ଧାନ ନିଉଜ) : ଭାରତ-ପାକ୍ ମଧ୍ୟରେ ଜାରିଥିବା ଉତ୍ତେଜନାମୂଳକ ପରିସ୍ଥିତି ପରିପ୍ରେକ୍ଷୀରେ ଚୀନ ସୀମା ଉପରେ ତୀକ୍ଷଣ ନଜର ରଖିବା ଲାଗି ଭାରତ ତା’ର ସପ୍ତଦଶ ମାଉଣ୍ଟେନ୍ ଷ୍ଟ୍ରାଇକ୍ କର୍ପସକୁ ଏହାର ହେଡ୍କ୍ୱାର୍ଟରକୁ ଫେରାଇ ଅଣାଯାଇଛି।ଚୀନ୍ ସୀମାର ନିକଟବର୍ତ୍ତୀ ଅଞ୍ଚଳ ପଶ୍ଚିମବଙ୍ଗର ପାନାଗଡରେ ରହିଛି ଏହାର ମୁଖ୍ୟାଳୟ। ଝାଡଖଣ୍ଡର ରାଜଧାନୀ ରାଞ୍ଚରେ ସେନାର ଏହି ସ୍ୱତନ୍ତ୍ର ବାହିନୀକୁ ପ୍ରଶିକ୍ଷଣ ଦିଆଯାଇ ପ୍ରସ୍ତୁତ କରାଯାଇଛି।
୪୦୫୭ କିିଲୋମିଟର ଦୀର୍ଘ ଭାରତ-ଚୀନ୍ ସୀମାରେ ମୁତୟନ ଲାଗି ମାଉଣ୍ଟେନ୍ ଷ୍ଟ୍ରାଇକ୍ କର୍ପସକୁ ମୁଖ୍ୟତଃ ଗଠନ କରାଯାଇଛି। ପାର୍ବତ୍ୟ ଇଲାକାରେ ଯୁଦ୍ଧ କରିବା ଲାଗି ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ ଏହି ବାହିନୀ ‘ବ୍ରହ୍ମାସ୍ତ୍ର କର୍ପସ’ ଭାବେ ମଧ୍ୟ ଜଣାଶୁଣା।
ଗତ ବୁଧବାର ଭାରତୀୟ ସେନାର ପଶ୍ଚିମ କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ଏମ୍.ଏମ୍. ନରାଭାନେ ପାନାଗଡ଼ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ବ୍ରହ୍ମାସ୍ତ୍ର କର୍ପସର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ପି.ଏନ୍ .ରାଓଙ୍କ ସହିତ ଆଲୋଚନା କରିଥିଲେ। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ରାଞ୍ଚଠାରେ ଥିବା ବ୍ରହ୍ମାସ୍ତ୍ର ବାହିନୀକୁ ପାନାଗଡ଼ ଫେରାଇ ଆଣିବା ଲାଗି ନର୍ଦ୍ଦେଶ ଦେଇଥିଲେ।
ବ୍ରହ୍ମାସ୍ତ୍ର ବାହିନୀର ପାର୍ବତ୍ୟାଞ୍ଚଳରେ ପାଦାତିକ ଯୁଦ୍ଧ ସହ ଆକାଶୀ ଯୁଦ୍ଧ ଲଢ଼ିବା ପାରଙ୍ଗମତା ରହିଛି। ବ୍ରହ୍ମାସ୍ତ୍ର ବାହିନୀର ଏ ସ୍ୱତନ୍ତ୍ର ପାରା ଡ୍ରପିଂ ୟୁନିଟ୍ ରହିଛି, ଯାହା ରାତିରେ ଶତ୍ରୁ ପକ୍ଷ ନିକଟରେ ପହଞ୍ଚବାର କ୍ଷମତା ରଖିଛି। ଏହି ବାହିନୀରେ ୯୦,୦୦୦ ପ୍ରଶିକ୍ଷିତ ଯବାନ ରହିଛନ୍ତି।