ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

Spread the love

ପୁରୀ, ୧୩/୭ (ସନ୍ଧାନ ନିୟୁଜ ) ମହାପ୍ରଭୁଙ୍କ ପବିତ୍ର ସୁନାବେଶ । ଜନ୍ମ ବେଦିରେ ଅପୂର୍ବ ଲୀଳା ଦେଖାଇ ପୁଣି ରତ୍ନ ବେଦୀକୁ ଫେରିବାର ମନ ବଳାଇ ରଥରେ ବିରଜ ମାନ କରିଛନ୍ତି ୩ ଠାକୁର । ଗତ କାଲି ଥିବା ବାହୁଡା ଯାତ୍ରାରେ ଶ୍ରୀଜିଉଙ୍କ ତିନି ରଥ ସିଂହଦ୍ୱାର ଆଗରେ ଲାଗି ସାରିଛି । ଆଜି ରଥଯାତ୍ରାର ଏଗାର ତମ ଦିନରେ ରଥ ଉପରେ ଶ୍ରୀଜିଉଙ୍କ ହେବ ସୁନାବେଶ । ଏହି ବେଶରେ ମହାପ୍ରଭୁ ପ୍ରାୟ ୨ ଶହ କେଜି ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ସୁନା ବେଶ ସରିବା ପରେ ଆସନ୍ତା ୧୪ ତାରିଖରେ ଅଧରପଣା ନୀତି ଓ ୧୫ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ବେଶକୁ ରାଜ ରାଜେଶ୍ୱର ବେଶ ବୋଲି ମଧ୍ୟ କୁହାଯାଇଥାଏ । ଆଜି ଅପରାହ୍ନ ୪ଟାରୁ ଦେଖିବାକୁ ମିଳିବ ମହାପ୍ରଭୁଙ୍କ ଏହି ପବିତ୍ର ସୁନାବେଶ । ବିଶ୍ୱାସ ରହିଛି ରଥ ଉପରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ବର୍ଷକୁ ୪ ଥର ସୁନାବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ମନ୍ଦିର ଭିତରେ ତିନୋଟି ସୁନାବେଶ ରତ୍ନ ସିଂହାସନ ଉପରେ ହୋଇଥାଏ । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବାହୁଡା ଯାତ୍ରାରେ ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ । ଆଡକାନି, ଘାଘରାମାଳି, କିରିଟି, ବାଘ ନଖ, ପାନପତିରି ପରି ସୁବର୍ଣ୍ଣ ଧାତୁରେ ମଣ୍ଡିତ ହେବେ ଶ୍ରୀଜିଉ । ମହାପ୍ରଭୁଙ୍କ ସୁନାବେଶ ସମୟରେ ସୁନା ଅଳଙ୍କାରରେ ମହାପ୍ରଭୁ ସଜ୍ଜିତ ହୋଇଥିବା ବେଳେ , ରୂପାରେ ତିଆରି ପଂଚଜନ୍ୟ ଶଙ୍ଖକୁ ଧାରଣ କରିଥାନ୍ତି । ବାହୁଡା ଯାତ୍ରା ଭଳି ଆଜି ମଧ୍ୟ ପବିତ୍ର ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ପରିପୂର୍ଣ୍ଣ ରହିବ । ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ତେଣୁ ଏହାକୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପ୍ରଶାସନ ମଧ୍ୟ ଏଥି ପାଇଁ ଅଣ୍ଟା ଭିଡ଼ିଛି । ମିଳିଥିବା ସୂଚନା ଅନୁସାରେ ଶ୍ରୀଜିଉମାନଙ୍କର ସୁନାବେଶ ଆଜି ଅପରାହ୍ଣ ୪ଟାରୁ ଆରମ୍ଭ ହୋଇଯିବ ଏବଂ ଏହି ଆକର୍ଷଣୀୟ ବେଶ ରାତି ୧୧ଟା ଯାଏଁ ଚାଲିବ ।

Related Posts

About The Author

Add Comment