ନୂଆଦିଲ୍ଲୀ୨୪/୧୦(ସନ୍ଧାନ ନିୟୁଜ) : ଦେଶର ସର୍ବୋଚ୍ଚ ଅପରାଧ ଅନୁସନ୍ଧାନ ସଂସ୍ଥା, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ମୁଖ୍ୟ ଓ ଉପମୁଖ୍ୟଙ୍କ ମଧ୍ୟରେ ଚାଲିଥିବା ସିବିଆଇ ବନାମ ସିବିଆଇ ଲଢ଼େଇରେ, ‘ନେଡ଼ି ଗୁଡ଼ କହୁଣିକୁ ବୋହିଯିବା’ ପରେ ଶେଷରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରର ନିଦ୍ରା ଭଙ୍ଗ ଘଟିଛି। ଏବଂ ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ଉପମୁଖ୍ୟ ରାକେଶ ଆସ୍ଥାନାଙ୍କୁ ରାତି ଅଧିଆ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବାକୁ ସରକାର ନିର୍ଦ୍ଦେଶ ଦେବା ସହ ଯୁଗ୍ମ ନିର୍ଦ୍ଦେଶକ ଥିବା ଏମ୍ ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ଅବସ୍ଥାପିତ କରାଇଛନ୍ତି। ହେଲେ, ପୂରା ଘଟଣାରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏଯାବତ୍ ଅଦ୍ଭୁତପୂର୍ବ ଭାବେ ନିରବ ରହି ଆସିଛନ୍ତି।
ତେବେ, ଏପ୍ରସଙ୍ଗରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଏହି ଘଟଣାକୁ ‘ଦୁର୍ଭାଗ୍ୟଜନକ’ ବୋଲି ସ୍ୱୀକାର କରିବା ସହ ଗଣମାଧ୍ୟମକୁ କହିଛନ୍ତି, ସିବିଆଇରେ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ସର୍ବପ୍ରଥମେ ଅନୁଷ୍ଠାନର ବିଶ୍ୱାସନୀୟତାକୁ ବଜାୟ ରଖିବା ପାଇଁ ସରକାର ଘଟଣାରେ ସଂପୃକ୍ତ ପକ୍ଷମାନଙ୍କୁ ଦୂରେଇ ଦେଇଛନ୍ତି।



