କୋଲକାତା, ୮/୨ (ସନ୍ଧାନ ନିୟୁଜ) : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କର ପଶ୍ଚିମବଙ୍ଗରେ ଥିବା ଦୁଇଟି ଘର ଉପରେ ଆଜି ସନ୍ଧ୍ୟାରେ ଚଢ଼ାଉ କରିଛନ୍ତି କୋଲକାତା ପୋଲିସ୍। ଏଥିସହ ଏମ୍ ନାଗେଶ୍ୱର ରାଓଙ୍କର ପତ୍ନୀଙ୍କର କୋଲକାତା ସଲ୍ଟ ଲେକ୍ରେ ଥିବା ଆଞ୍ଜେଲିନା ପ୍ରାଇଭେଟ୍ ଲିମିଟେଡ୍ ଉପରେ ମଧ୍ୟ କୋଲକାତା ପୁଲିସ୍ ଚଢ଼ାଉ କରିଛି। ତେବେ, କୋଲକାତା ପୋଲିସ୍ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଚଢ଼ାଉ କରିଛି ତାହାର ନିର୍ଦ୍ଧିଷ୍ଟ କାରଣ ଜଣାପଡ଼ି ନାହିଁ।
ତେବେ, ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଅଧିକାରୀମାନେ ଗତ ସପ୍ତାହରେ କୋଲକତା ପୋୁଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚୁରା କରିବାକୁ ଆସିଥିବା ବେଳେ କୋଲକାତା ପୋଲିସ୍ ସେମାନଙ୍କୁ ଅଟକାଇବା ସହ ଅଟକ ରଖିଥିଲା। ଏହି ଘଟଣାକୁ କେନ୍ଦ୍ର କରି କୋଲକାତା ପୋଲିସ୍ ଓ ସିବିଆଇ ମୁହାଁମୁହିଁ ହୋଇଥିଲେ। ଏହି ଘଟଣା ପରେ ଆଜି ସନ୍ଧ୍ୟାରେ ହଠାତ୍ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କର ପଶ୍ଚିମବଙ୍ଗରେ ଥିବା ଦୁଇଟି ଘର ଓ ତାଙ୍କ ପତ୍ନୀଙ୍କ କମ୍ପାନି ଉପରେ କୋଲକାତା ପୋଲିସ ଚଢ଼ାଉ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।



