ନୂଆଦିଲ୍ଲୀ, ୩୦/୧ (ସନ୍ଧାନ ନିୟୁଜ) : ସିିନ୍ଧୁନଦୀ ଜଳବଣ୍ଟନ ଚୁକ୍ତି ଅନୁଯାୟୀ ଚେନାବ ନଦୀ ଅବବାହିକା ରେ ଭାରତ ପକ୍ଷରୁ ନିର୍ମାଣାଧୀନ ୧୦୦୦ ମେଗାଓ୍ଵାଟର ପାକଲ ଡୁଲ ହାଇଡ୍ରୋଇଲେକ୍ଟ୍ରିକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ପାକ ବିଶେଷଜ୍ଞ ଟିମ । ଏହି ପ୍ରକଳ୍ପଟି ଜାମ୍ମୁ ଓ କାଶ୍ମୀରର କିସ୍ତଓ୍ଵାର ଜିଲ୍ଲାରେ ଅବସ୍ଥିତ ।
ଏହି ପାକିସ୍ତାନି ଟିମରେ ପାକିସ୍ତାନ ସିନ୍ଧୁ କମିଶନର ସୟଦ ମହମ୍ମଦ ମେୟର ଅଲ୍ଲୀ ଶାହ ଓ ତାଙ୍କର ଦୁଇ ଜଣ ପରାମର୍ଶଦାତା ରହିଥିଲେ । ପ୍ରକଳ୍ପଟି ସିନ୍ଧୁ ଜଳବଣ୍ଟନ ଚୁକ୍ତି ଅନୁସାରେ ହୋଇଛି କି ନା ତାହା ସେମାନେ ଯାଞ୍ଚ କରିଥିଲେ ।
ଗତବର୍ଷ ଅଗଷ୍ଟ ମାସରେ ପାକିସ୍ତାନର ଲାହୋରଠାରେ ସ୍ଥାୟୀ ସିନ୍ଧୁ ନଦୀ ଆୟୋଗର ବସିଥିବା ବୈଠକରେ ଉଭୟ ପକ୍ଷର ପ୍ରତିନିଧିମଣ୍ଡଳକୁ ପରସ୍ପରର ପ୍ରକଳ୍ପ ଅଂଚଳ ପରିଦର୍ଶନ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ସତ୍ତ୍ୱେ ଭାରତ ପାକ ପ୍ରତିନିଧିମଣ୍ଡଳକୁ ଚେନାବ ନଦୀ ଉପରେ ନିର୍ମିତ ଡ୍ୟାମ ପରିଦର୍ଶନ ପାଇଁ ଅନୁମତି ଦେଉନାହିଁ ବୋଲି ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିଲା । କିନ୍ତୁ ଭାରତ ଏହାକୁ ଅସ୍ୱୀକାର କରଥିଲା । ତେବେ ଜାମ୍ମୁ ଓ କାଶ୍ମୀରର ପଂଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ଟିକିଏ ଘୁଞ୍ଚାଇ ଦିଆଯାଇଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଥିଲା ।