ରସୁଲପୁର,୧୪/୦୪ (ସନ୍ଧାନ ନିୟୁଜ)ରସୁଲପୁର ବ୍ଲକ ଅଂଚଳର ଐତିହାସିକ ସିଂହାପୁର ଯାତ୍ରା ରବିବାର ପ୍ରତୁ୍ୟଷରୁ ଆରମ୍ଭ ହେଉଛି । ଏହି ଅବସରରେ ପ୍ରଭୂ ନାରାୟଣ ଗୋସାଇଁ ଜଳାଶୟନ ଛାଡି ସ୍ଥଳାସନରେ ବିରାଜିତ ହୋଇଛନ୍ତି । ପ୍ରଭୂଙ୍କୁ ଜଳକ୍ରୀଡା ଓ ପୂଜା ରୀତିନୀତି ଓ ସିଂହାସନରୂଢା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ୧୦ହଜାରରୁ ଉର୍ଦ୍ଧ ଭକ୍ତ ଯାତ୍ରା ସ୍ଥଳରେ ସମାଗମ ହୋଇଥିଲେ । ଏହି ଅବସରରେ ପ୍ରଭୂ ୩ଦିନ ପାଇଁ ସ୍ଥଳାଦେଶ ମନ୍ଦିର ସିଂହାସନ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେବେ ।
ଯାତ୍ରାରେ ପୂର୍ବ ନିିର୍ଦ୍ଧାରିତ ପୂଜା ନିର୍ଘଂଟ ଅନୁସାରେ ସକାଳ ୭/୩୦ ମିନିଟ ସମୟରେ ଜଳାସନରୁ ବାହାରକୁ ଅଣାଯାଇଥିଲା । ଜଳକ୍ରିଡା ସହ ପ୍ରଭୂଙ୍କୁ ପୂର୍ବ ପାବଚ୍ଛରେ ଉପବେଶନ କରାଯାଇଥିଲା । ଏଠାରେ ରାଜ ପୁରୋହିତ ନିଳାମ୍ବର ପତିଶର୍ମା ପୂଜା ଅର୍ଚ୍ଚନା କରିଥିଲେ । ରାଜ ଉତ୍ତରାଧିକାରୀ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ପଇଡ ଓ କଂଚାକ୍ଷୀରରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା । ଏଥି ସହ ଚଳନ୍ତି ପ୍ରତିମା ମଦନ ମୋହନ ଜୀଉ ମନ୍ଦିରରୁ ଆସି ଏହି ପାବଚ୍ଛ ନିକଟରେ ପ୍ରଭୂଙ୍କୁ ସ୍ୱାଗତ କରିବାର ବିଧିକୁ ପାଳନ କରାଯାଇଥିଲା । ପରେ ଠାକୁରଙ୍କୁ ପୁଣିି ଜଳକ୍ରିଡାର ସହ ଉତ୍ତର ପାବଚ୍ଛରେ ପହଁଚା ଯାଇଥିଲା । ଉକ୍ତ ସ୍ଥାନରେ ରାଣୀ ଅପର୍ଣ୍ଣାଧିର ସିଂ ଭରଦ୍ୱାଜ ଓ ଜମାତା ବିନୀତ ଭରଦ୍ୱାଜଙ୍କ ସହ ଅନ୍ୟ ସଦସ୍ୟମାନେ ଅର୍ଘ୍ୟ ଓ ବନ୍ଦାପନା ଥାଳି ଧରି ଅପେକ୍ଷା କରିଥିଲେ । ପ୍ରଭୂଙ୍କୁ ପହଁଣ୍ଡି ବିଜେ କରାଇ ସିଂହାସନ ପର୍ଯ୍ୟନ୍ତ ନେଇଥିଲେ । ରାଜ ପରିବାର ଉତ୍ତରାଧିକାରୀ ଭାବେ ଅପର୍ଣ୍ଣା ରାଇ ବାସଙ୍ଗ ପୁଷ୍ପ ଓ ପତ୍ରରେ ସ୍ୱାଗତ କରିଥିଲେ । ଏହି ସମୟରେ ଶଙ୍ଖ, ଘଂଟ,ଘଂଟା, ବାଦ୍ୟ, ସଂକୀର୍ତ୍ତନର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ପ୍ରଭୂ ସିଂହାସନ ରୂଢ ହେବା ପରେ ରୁଦ୍ଧଦ୍ୱାର ପୂଜା କରାଯାଇଥିଲା । ଏହି ଅବସରରେ ପ୍ରଭୂ ମଦନମୋହନ ଜୀଉ ଯଜ୍ଞ ମଣ୍ଡପରେ ଅବସ୍ଥାନ କରିଥିଲେ । ଯଥାବିଧି ପୂଜା ଶେଷ ହେବା ପରେ ସାହଣମେଲା କରାଯାଇଥିଲା । ଶ୍ରଦ୍ଧାଳୁମାନଙ୍କ ଦର୍ଶନାର୍ଥେ ମନ୍ଦିର ଫାଟକ ଖୋଲାଯାଇଥିଲା । ଏଥିସହ ଠାକୁରଙ୍କୁ ଆଦିତ୍ୟନାରାୟଣ ବେଶ, ମୀନ, କୁର୍ମ ଅବତାରରେ ଭୂଶିତ କରାଯାଇଥିଲା । ସଂଧ୍ୟା ଆଳତୀ ପରେ ବରାହ ଅବତାର ଓ ରାତିରେ ପ୍ରଭୂଙ୍କୁ ବଡ ସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାଏ, ସାଂସଦ ପ୍ରାର୍ଥôନୀ ଶର୍ମିଷ୍ଠା ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପୂର୍ବବର୍ଷ ଯାତ୍ରା ପଡିଆରେ ରାଜନୈତିକ ବ୍ୟାନର ଲାଗିବାକୁ ନେଇ ବିବାଦ ଦେଖାଦେଇଥିଲା । ଏପରି କି ବ୍ୟାନର ଚିରାକୁ ନେଇ ମାମଲା ଥାନାକୁ ଯାଇଥିଲା । ଉକ୍ତ ଘଟଣାକୁ ତାଳିପକା ସମାଧାନ କରାଯାଇଥିଲା । ଚଳିତବର୍ଷ ଆଉ ଏକ ନୂଆ ବିବାଦ ଦେଖାଦେଇଛି । ଯାତ୍ରା ପରିଚାଳାନ କମିଟି ଓ ତାଙ୍କର କାର୍ଯ୍ୟକଳାପ ଉପରେ ଅସନ୍ତୋଷବ୍ୟକ୍ତକରି ପଂଚାୟତର ଜନପ୍ରତିନିଧି ଗଣ ଆପତ୍ତି ଉଠାଇଛନ୍ତି । ଏହାକୁ ନେଇ ଯାତ୍ରାରେ ବିଶୃଙ୍ଖଳା ଉପୁଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଏହାକୁ ଦୃଷ୍ଟିଦେଇ ପୋଲିସ ପ୍ରଶାସନ ପକ୍ଷରୁ ଯାତ୍ରା ସ୍ଥଳରେ ଆଇନ ଶୃଙ୍ଖଳା ବଜାଇ ରଖିବା ଉପରେ ଗୁରୁତ୍ୱ ଦେଉଛି ।
ସିଂହାପୁର ଯାତ୍ର ଆରମ୍ଭ: ପ୍ରଭୂ ନାରାୟଣ ଗୋସାଇଁ ଜଳାଶୟନ ଛାଡି ସ୍ଥଳରେ ବିରାଜିିଲେ,୧୦ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ
|
April 16, 2019 |