ନୂଆଦିଲ୍ଲୀ, ୧୯/୨ (ସନ୍ଧାନ ନିଉଜ) : ପୁଲଓ୍ଵାମା ଆକ୍ରମଣ ପରେ ସେ ଦିନର ହୃଦୟ ଥରାଇବା ଭଳି ଦୃଶ୍ୟ ଦେଖିଥିବା ଯବାନଙ୍କ ବୟାନ ଏବେ ସାମ୍ନାକୁ ଆସିବାରେ ଲାଗିଛି । ହଠାତ୍ କିଭଳି ଜୋରରେ ଶବ୍ଦ କରି ଚାରି ଆଡ଼ ଧୁଆଁ ପାଲଟି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ୪୦ଜଣ ଯବାନ ସହିଦ୍ ହୋଇ ଯାଇଥିଲେ । ସେ ସବୁକୁ ମନେ ପକାଇ ଏବେ ପ୍ରତିଶୋଧର ନିଆଁରେ ଜଳୁଛନ୍ତି ଭାରତୀୟ ଯବାନ । ଏ ମଧ୍ୟରେ ଠାକା ବେଲ୍କର ନାମକ ଜଣେ ଯବାନ କିପରି ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ, ସେ ଘଟଣା ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଠାକାଙ୍କ ବିବାହ ଫେବୃଆରୀ ୨୪ରେ ହେବାକୁ ଥିବା ବେଳେ ସେ ଛୁଟି ପାଇଁ ଆବେଦନ କରିଥିଲେ । କିନ୍ତୁ ଶ୍ରୀନଗର ଯିବା ପର୍ଯ୍ୟନ୍ତ ତାଙ୍କ ଛୁଟି ଆବେଦନ ପତ୍ରକୁ ମଞ୍ଜୁରି ମିଳି ନଥିଲା । ଯାହା ପାଇଁ ସେ ଅନ୍ୟ ଯବାନମାନଙ୍କ ସହ ଶ୍ରୀନଗର ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବସ୍ରେ ବସିବା ପରେ ତାଙ୍କୁ ଛୁଟି ମଞ୍ଜୁର ହୋଇ ଯାଇଥିବା ଖବର ମିଳିଥିଲା । ଯାହା ପାଇଁ ସେ ବସ୍ରୁ ଓହ୍ଲାଇ ନିଜ ସାଥୀ ଯବାନମାନଙ୍କୁ ବିଦାୟ ଦେଇଥିଲେ । ଘରେ ପହଞ୍ଚିବା ପରେ ଠାକା ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଜାଣିବାକୁ ପାଇଥିଲେ ।
ଠାକାଙ୍କ ଭାଇଙ୍କ କହିବା ଅନୁଯାୟୀ, ସେ ପୁଲଓ୍ଵାମା ଘଟଣା ବିଷୟରେ ଜାଣିବା ପରେ କାହା ସହ କଥା ହୋଇ ନାହାନ୍ତି । ବିବାହର ଖୁସି ମନାଇବେ ନା ସହିଦ୍ ଯବାନଙ୍କ ପାଇଁ ଦୁଃଖପ୍ରକାଶ କରିବେ ତାହା ସ୍ଥିିର କରି ପାରୁ ନାହାନ୍ତି । ଏହି ଘଟଣା ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଥିବା କହିଛନ୍ତି ଠାକାଙ୍କ ଭାଇ।