ରାଉରକେଲା,୨୧/୦୮/୨୦୨୦ (ସନ୍ଧାନ ନିଉଜ) : ‘ସାପ’ କଥା ଶୁଣିଲେ କାହାକୁ ବା ଡର ନଲାଗେ, ସଭିଁଏ ସାପକୁ ଦେଖିବା ମାତ୍ରେ ମନରେ ଭୟ ସଂଚାର ହୋଇ ହୃଦୟର ହୃଦ ସ୍ପନ୍ଦନ ନିମିଷିକ ମଧ୍ୟରେ ବଢି ଯାଇଥାଏ । ମାତ୍ର ରାଉରକେଲାରେ ଅଛନ୍ତି ଏପରି ଜଣେ ବ୍ୟକ୍ତିତ୍ୱ ଯିଏକି ସାପ ଧରିବାକୁ ନିଜ ଜୀବନର ବ୍ରତୀ ଭାବେ ଗ୍ରହଣ କରି ନେଇଛନ୍ତି । ଏହି ସାମାଜିକ କର୍ମୀ ଜଣଙ୍କ ଘରେ ଅଚାନକ ଭାବେ ପ୍ରବେଶ କରୁଥିବା ବିଷହୀନ ଓ ବିଷଧର ସର୍ପଙ୍କୁ କୌଶଳ କ୍ରମେ ଉଦ୍ଧାର କରି ଲୋକଙ୍କ ଜୀବନକୁ ସାପ କବଳରୁ ସୁରକ୍ଷା ଦେଇ ପାରିଛନ୍ତି । ସୁନ୍ଦରଗଡ଼ ଜିଲାର ରାଉରକେଲା ଅନ୍ତର୍ଗତ ସେକ୍ଟର ଅଂଚଳ ସମେତ ଦକ୍ଷିଣ ରାଉରକେଲାର ସାରନଗରୀ, ଆଇଡ଼ିଏଲ, ନବକୃଷ୍ଣନଗର, ଜଲଦା, ଲାଠିକଟା ବ୍ଲକର ଗର୍ଜନ, ବଣାଇଁ, କୋଇଡ଼ା, ବୀରମିତ୍ରପୁର,ନୂଆଗାଁ, ହାତୀବାରୀ, ରାଜଗାଙ୍ଗପୁର ସମେତ ଘରେ ସାପ ପଶିଲେ ଏହି ବ୍ୟକ୍ତି ଜଣଙ୍କୁ ଖୋଜା ପଡ଼ିଥାଏ । ଏପରି ସାପ ଧରାଳୀ ଜଣଙ୍କ ସାପ ଧରିବାକୁ ନିଜର ପେଶା ନୁହେଁ ବରଂ ଏକ ନିଶା ଭାବେ ଗ୍ରହଣ କରି ନେଇଛନ୍ତି ।
ସେ ହେଉଛନ୍ତି ରାଉରକେଲାର ସମ୍ଭ୍ରାନ୍ତ ଅଂଚଳ ଭାବେ ପରିଚିତ ସିଭିଲଟାଉନସିପ ଏଚଏଚଏଚ-୬ରେ ସପରିବାର ବାସ କରୁୁଥିବା ଅବସରପ୍ରାପ୍ତ ଆରଏସପି କର୍ମଚାରୀ ତଥା ପ୍ରକୃତିପ୍ରେମୀ ଦେବାନନ୍ଦ ବେହେରା । ମୟୁରଭଂଜ ଜିଲା ରାଇରଙ୍ଗପୁର ଅର୍ନ୍ତଗତ ତିଗିଆ ଗ୍ରାମର ମୂଳନିବାସୀ ହରିଶ୍ଚନ୍ଦ୍ର ବେହେରା, କମଲି ବେହେରାଙ୍କ ସୁପୁତ୍ର ହେଉଛନ୍ତି ଦେବାନନ୍ଦ । ମାଟ୍ରିକ ପାଶ କଲାପରେ ୧୯୭୮ ମସିହାରେ ଚାକିରି ଅନ୍ୱେଷଣରେ ଚାଲି ଆସିଥିଲେ ରାଉରକେଲା । ମାତ୍ର ସଙ୍ଗେସଙ୍ଗେ କୌଣସି ଜାଗାରେ କାମ ନ ମିଳିବାରୁ ନିଜ ଉଦ୍ୟମରେ ଆରମ୍ଭ କରିଥିଲେ ଏକ ଛୋଟ ତେଜରାତି ଦୋକାନ । ଦୋକାନ କରି ନିଜର ଗୁଜୁରାଣ ମେଂଟାଇବା ସହିତ ବାକି ସମୟ ଚାକିରି ଖୋଜାରେ ସମୟ କାଟୁଥିଲେ ଦେବାନନ୍ଦ ବେହେରା । ଭାଗ୍ୟକୁ ୧୯୮୩ ମସିହାରେ ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର ଅଗ୍ନିଶମ ବିଭାଗରେ ତାଙ୍କୁ ଚାକିରି ଖଣ୍ଡିଏ ମିଳିଲା । ସେ ସମୟରେ ଆରଏସପି ପକ୍ଷରୁ ସ୍ନେକ କ୍ୟାଚର ମାଧ୍ୟମରେ ସାପଧରା ଅଭିଯାନ । ଆରଏସପି କର୍ମଚାରୀଙ୍କ ବାସଭବନରେ ପ୍ରବେଶ କରୁଥିବା ସାପ ଗୁଡିକୁ ଧରି ଅଧିକାରୀ ଓ କର୍ମଚାରୀଙ୍କ ଜୀବନକୁ ସୁରକ୍ଷା ପ୍ରଦାନ କରାଯାଉଥିଲା । ଦେବାନନ୍ଦ ସ୍ୱତପ୍ରବୃତ ଭାବରେ ଏହି କାଯ୍ୟରେ ନିଜକୁ ସାମିଲ କରି ନେଇଥିଲେ । ଗତ ୨୦୦୭ ମସିହାରେ ସ୍ୱେଚ୍ଛାକୃତ ଭାବେ ଆରଏସପି ଚାକିରୀ ଜୀବନରୁ ଦେବାନନ୍ଦ ଅବସର ଗ୍ରହଣ କରି ସାରିଥିଲେ ସୁଦ୍ଧା ଏଯାଏ ସାପ ଧରିବା ତାଙ୍କର ମନୋବୃତି ଅଟଳ ଓ ନିଶ୍ଚଳ ରହିଛି ବୋଲି ସେ ପ୍ରକାଶ କରନ୍ତି ।
ଚାକିରୀ କାଳରେ ଏତେଟା ସମୟ ମିଳି ପାରୁ ନଥିବା ବେଳେ ଅବସର ପରେ ସାପ ଧରିବାକୁ ତାଙ୍କୁ ଏବେ ଯଥେଷ୍ଟ ସମୟ ମିଳୁଛି । ମୋବାଇଲର ଘଂଟି ବାଜିବା ପରେ ଲୋକଙ୍କ ଘରେ ସାପ ଖୋଜିବାକୁ ବାହାରି ଯାଆନ୍ତି ଦେବାନନ୍ଦ । ଖରା ହେଉକି ବର୍ଷା, ଦିନ ହେଉ ଅବା ରାତି କାହାକୁ ନଥାଏ ତାଙ୍କର ଖାତିର । ଆଜିଯାଏ ସେ ୨୫୦୦ରୁ ଉର୍ଦ୍ଧ ସାପ ଧରି ଜଙ୍ଗଲରେ ଛାଡ଼ି ସାରିଲେଣି । ସାପ ମଧ୍ୟରେ ଅନେକ ବିଷଧର ସର୍ପ ଯେପରି ନାଗ, ଚିତି, ପାହାଡ଼ିଚିତି, ରଣା, ଗୋଖର ଥିବା ବେଳେ ଅନ୍ୟ ବିଷହୀନ ସାପ ଯେମତି ଢମଣା, ଧଣ୍ଡ ଆଦି ଅନ୍ୟତମ । ପ୍ରକୃତିପ୍ରେମୀ ତଥା ପଶୁପ୍ରେମୀ ଦେବାନନ୍ଦ ସାପକୁ ଧରିବା ବେଳେ ଟିକେ ହେଲେ କ୍ଷତି ପହଂଚାଇ ନଥାନ୍ତି । ନିଜେ ଜୋତା, ହ୍ୟାଣ୍ଡ ଗ୍ଲୋବ ଆଦି ପିନ୍ଧି ସୁରକ୍ଷିତ ଭାବେ କ୍ୟାରେଷ୍ଟିକ ଦ୍ୱାରା ଘରେ ଲୁଚି ରହିଥିବା ସାପକୁ ଉଦ୍ଧାର କରନ୍ତି । ସାପ ଧରିବାକୁ ଆଜିଯାଏ କୌଣସି ପାରିଶ୍ରମିକ ଦାବି କରି ନାହାନ୍ତି ଦେବାନନ୍ଦ । ଯଦି ଖୁସିରେ କୌଣସି ଲୋକ କିଛି ଅର୍ଥ ସ୍ୱଇଚ୍ଛାରେ ତାଙ୍କୁ ପ୍ରଦାନ କରିଥାନ୍ତି, ସେଥିରେ ମଧ୍ୟ କୁ୍ଣ୍ଡାବୋଧ ପ୍ରକାଶ କରିଥାନ୍ତି ଦେବାନନ୍ଦ ବେହେରା ।
ସେ ଲୋକଙ୍କୁ ବାର୍ତା ଦିଅନ୍ତି ଯେ, ସାପ କାହାର କେବେ ଅନିଷ୍ଟ କରି ନଥାଏ, ଯଦି ତାକୁ କୌଣସି ବାଧା ଉତ୍ପନ ହୁଏ, ତେବେ ଯାଇ ସେ ଦଂଶନ କରିବାୁ ଆଗଭର ହୁଏ । ଏଣୁ ସାପକୁ ନମାରି ବରଂ ଘରୁ ଘଉଡ଼ାଇ ଦେବା ଆବଶ୍ୟକ ବୋଲି ସେ ଲୋକଙ୍କୁ ନିବେଦନ କରନ୍ତି । ସାପ କବଳରୁ ବର୍ତିବାକୁ ହେଲେ, ଘର ଭିତର ଓ ବାହାର ପରିଷ୍ପାର ରଖିବାକୁ ସେ ସର୍ବଦା ପରାମର୍ଶ ି ଦିଅନ୍ତି । ପଶୁପ୍ରେମୀ ଦେବାନନ୍ଦ ବେହେରା… ମସିହାରେ ରାଉରକେଲାର ବନ୍ୟପ୍ରାଣୀ ସଂରକ୍ଷଣ ସଙ୍ଗଠନର ସଦ୍ୟସ ହୋଇ ପଶୁ ମାନଙ୍କ ସେବାରେ ନିଜ ଜୀବନ ଅତିବାହିତ କରିଥିଲେ । ଏହାପରେ ନିଜେ ସାପ ମାନଙ୍କୁ ଧରିବା ନିଶାରେ ଆଗେଇ ଯାଇ ଆଉ ପଛକୁ ଫେରି ନାହାନ୍ତି ଦେବାନନ୍ଦ । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଅନେକ ପୁରସ୍କାର ମିଳିଛି । ୨୦୦୩ ମସିହାରେ ନେହେରୁ ପୁରସ୍କାର, ୨୦୧୬ରେ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଏହା ବ୍ୟତିତ ଆର୍ମି ସଙ୍ଗଠନ, ଧନଜଂୟ ସ୍ମୃତି ସମିତି,ଜଗଦା ସାସ୍କୃତିକ ପରିଷଦ ଏସିବିଆଇ ଓ ଜଙ୍ଗଲ ବିଭାଗ ପକ୍ଷରୁ ଦେବାନନ୍ଦ ବେହେରାଙ୍କୁ ସମ୍ମାନିତ କରାଯାଇଛି । ମାତ୍ର ଏଯାଏ ତାଙ୍କୁ ମିଳିନି କୌଣସି ସରକାରୀ ପ୍ରୋତ୍ସାହନ । ତଥାପି ତାଙ୍କ ମନରେ ତିଳେ ହେଲେ ଦୁଃଖ ନାହିଁ! ସାପ ଧରିବା ସମାଜସେବାର ଏକ ଅଙ୍ଗ ଭାବେ ସେ ଗ୍ରହଣ କରି ନେଇଛନ୍ତି । ଦେହରେ ବଳ ଓ ମନରେ ଉତ୍ସାହ ଥିବା ପର୍ଯ୍ୟନ୍ତ ତାଙ୍କର ଏହି ଧାରା ଜାରି ରହିବ ବୋଲି ହସହସ ମୁଖରେ ପ୍ରକାଶ କରିଛନ୍ତି । ବର୍ତମାନ ଏହି ସମାଜିକ କର୍ମୀ ସାପଧରାଳିଙ୍କ ଚର୍ଚ୍ଚା ଏଠି, ସେଠି, ସବୁଠି ।
ସାପ ପଶିଲେ ଖୋଜାପଡ଼ନ୍ତି ପ୍ରକୃତିପ୍ରେମୀ ଦେବାନନ୍ଦ
|
August 21, 2020 |