ସାଙ୍ଗର ଦାମୀ ଗାଡି ଚଲାଇବା ପଡିଲା ମହଙ୍ଗା ଘଟିଲା ଅଘଟଣ

Spread the love

ଫୁଲବାଣୀ, 10.02.2021 (ସନ୍ଧାନ ନିଉଜ୍) :-  ସାଙ୍ଗର ଦାମୀ ଗାଡି ଚଲାଇବା ପଡିଲା ମହଙ୍ଗା ।  ପୁଅ ସାଙ୍ଗଠାରୁ ମାଗି ଆଣିଥିଲା ସୌଖିନ ଗାଡ଼ି । କିନ୍ତୁ ଘଟିଲା ଅଘଟଣ । କିନ୍ତୁ ଚଲାଇଲା ବେଳେ ଦୁର୍ଘଟଣାରେ ଭାଙ୍ଗି ଗଲା ଦାମିକା ବାଇକ୍‌ । ଗାଡ଼ି ମାଲିକ ମାଗି ଥିବା ଟଙ୍କା କ୍ଷତିପୂରଣ ଦେଇପାରିଲେନି ବାପା । ଉପାୟ ନ ପାଇ ଶେଷରେ କୀଟନାଶକ ପିଇ ଆତ୍ମହତ୍ୟା କଲେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ପିଲୁପାଙ୍ଗା ଗ୍ରାମରେ । ଗୋଚ୍ଛାପଡ଼ା ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ୨/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।   ଥାନାଧିକାରୀଙ୍କ କହିବାନୁସାରେ, ପିଲୁପାଙ୍ଗା ଗ୍ରାମରେ ରୁହନ୍ତି ନବ କିଶୋର କହଁର । ତାଙ୍କ ପୁଅ ତାର ଜଣେ ସାଙ୍ଗଠାରୁ ଏକ ଦାମିକା ବାଇକ୍‌ ମାଗି ଆଣିଥିଲା । କିନ୍ତୁ ଏହି ଗାଡ଼ି ଚଳାଇବା ବେଳେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ ଭାଙ୍ଗି ଯାଇଥିଲା । ଏହି ଘଟଣା ପରେ ଗାଡ଼ି ମାଲିକ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଥିଲେ । ନବ କିଶୋରଙ୍କର କିନ୍ତୁ ଏତେ ଟଙ୍କା ଦେବାର ସାମର୍ଥ୍ୟ ନ ଥିଲା । ଏହାକୁ ନେଇ ନବଙ୍କ ପରିବାର ଭିତରେ ବାପପୁଅ ଭିତରେ ମନାନ୍ତର ହୋଇଥିଲା । ରବିବାର ରାତିରେ ଖାଇ ପିଇ ଅଲଗା ଘରେ ଶୋଇଥିଲେ ନବକିଶୋର । ରାତି ପ୍ରାୟ ୧୨ଟା ବେଳେ ପରିବାର ଲୋକ ଡାକିବାରେ ଦୁଆର ଖୋଲିଥିଲେ ନବ । ତେବେ ସେତେବେଳକୁ ସେ କୀଟନାଶକ ପିଇ ଦେଇଥିବା ଜଣାପଡ଼ିଥିଲା । ପରିବାର ଲୋକ ତାଙ୍କୁ ତୁରନ୍ତ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଜୀବନ ହାରିଥିଲେ । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ତେବେ କ୍ଷତିପୂରଣ ମାଗିବା ନେଇ ଗାଡ଼ି ମାଲିକଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

Related Posts

About The Author

Add Comment