ସାଇଁକୁଳା ପଞ୍ଚାୟତରେ ମନରେଗା ଦୁର୍ନୀତି ପ୍ରସଙ୍ଗ : ଉପଯୁକ୍ତ ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଦାବି , ସାତଦିନ ଭିତରେ ନ୍ୟାୟ ନମିଳିଲେ ଧାରଣା ଦେବାକୁ ଚେତାବନୀ

Spread the love

ବାରିପଦା ୧୫/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲାର ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ସାଇଁକୁଳା ପଞ୍ଚାୟତରେ ହୋଇଥିବା ମନରେଗା ଦୁର୍ନୀତିର ତଦନ୍ତ ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ ଠାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ସଦସ୍ୟମାନେ ଦାବି କରିଛନ୍ତି । ଉପଜିଲ୍ଲାପାଳଙ୍କୁ ସଦସ୍ୟମାନେ ଦରଖାସ୍ତ ପ୍ରଦାନ କରିବା ସହ ସାତଦିନ ଭିତରେ ଦାବି ପୂରଣ ସହିତ ନ୍ୟାୟ ନମିଳିଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି । ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଦର୍ଶାଇ କପ୍ତିପଦା ଉପଖଣ୍ଡ ସାଇଁକୁଳା ପଞ୍ଚାୟତ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ସଭାପତି / ସଂପାଦିକାଙ୍କ  ସମେତ ସଭ୍ୟା ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମହିଳା ସମିତିରେ କାର୍ଯ୍ୟ କରୁଥିବା ସଦସ୍ୟା ସସ୍ମିତା ପତି ମନରେଗା ଯୋଜନାରେ କାମ କରି ପ୍ରାପ୍ୟ ପାଇ ନଥିବାରୁ ପ୍ରତିବାଦ କରିଥିଲେ । ଫଳରେ ତାଙ୍କ ଉପରେ ରାଗ ରଖି ସରପଞ୍ଚଙ୍କ ଗୋଚରରେ ତାଙ୍କର ବାପା ଏବଂ ଭାଇ ଉଭୟଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଛି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ଅନ୍ୟାୟର ଶିକାର ହୋଇଥିବା ଏହି ପରିବାରକୁ ଉପଜିଲ୍ଲାପାଳ ନ୍ୟାୟ ପ୍ରଦାନ କରିବାକୁ ମହିଳା  ସମିତିର ସଭ୍ୟମାନେ ଅନୁରୋଧ କରିବା ସହ ଦୁର୍ନୀତିରେ ସାମିଲ ଥିବା ଅଧିକାରୀମାନଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ଘଟଣାର ସବିଶେଷ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ବିଧାନ ଏବଂ ପୀଡ଼ିତାଙ୍କୁ ନ୍ୟାୟ ନମିଳିଲେ ମହିଳା ସମିତି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି ।

Related Posts

About The Author

Add Comment