ଚିତ୍ରଡା, ୨୬/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):-ମୟୂରଭଞ୍ଜ ଜିଲା ମୋରଡା ବ୍ଳକ ଭାଲିଆଡିହା ପଞ୍ଚାୟତ ଡାକୋଇ ଅମନାମା ଗ୍ରାମର ଦମ୍ପତ୍ତି ଗିରି ଦେହୁରୀ (୫୮) ଓ ସ୍ତ୍ରୀ ଝାଟୀ ଦେହୁରୀ(୫୪) ଅତ୍ୟନ୍ତ ଗରିବ । ଝିଅ ବାହା ହୋଇ ଯିବା ପରେ ସେମାନେ ଅସହାୟ ହୋଇପଡିଛନ୍ତି । କରୋନା ପାଇଁ କାମଧନ୍ଦା ମିଳି ନଥିବାବେଳେ କଷ୍ଟକର କାମ କରି ପାରୁନାହାନ୍ତି । ଫଳରେ ଭୋକ ଓପାସରେ ଦିନ କାଟିବାକୁ ପଡୁଛି । ନିଜର ଘରଟିଏ ନାହିଁ । ତେଣୁ ପଡୋଶୀ ଫୁଲ ମାଣ୍ଡିଙ୍କ ଦୟାରୁ ତାଙ୍କ ବାରଣ୍ଡାରେ ଅସୁରକ୍ଷିତ ଭାବେ ବାସ କରୁଛନ୍ତି । ରାସନ କାର୍ଡ ନଥିବାରୁ ଖାଦ୍ୟ ସାମଗ୍ରୀ ପାଉନାହାନ୍ତି । ବ୍ୟବହାର ଅନୁପଯୋଗୀ ପାଇଖାନାକୁ ଜିନିଷପତ୍ର ରଖି ବ୍ୟବହାର କରୁଛନ୍ତି । ଝାଟୀ ଦେହୁରୀ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଭିନ୍ନକ୍ଷମ ଭତ୍ତା ପାଇ ନାହାନ୍ତି । ଦମ୍ପତ୍ତିଙ୍କ ସଚେତନତା ଅଭାବରୁ ସବୁ ପ୍ରକାର ସୁବିଧା ସୁଯୋଗରୁ ବଂଚିତ ହୋଇଥିବା ଜଣାପଡିଛି । ନିର୍ବାଚିତ ଲୋକପ୍ରତିନିଧୂ ମାନେ ସହାୟତା ନକରିବା ଚର୍ଚ୍ଚାର ବିଷୟ ହୋଇଛି । ପ୍ରଶାସନ ଦୃଷ୍ଟି ଦେବାକୁ ସମାଜସେବୀ ମହେଶ୍ବର ମହାନ୍ତି, ରାମକୁଣ୍ଡିଆ ମୁର୍ମ, ପ୍ରତାପ ଚନ୍ଦ୍ର ମହାନ୍ତ, ଏଭେନ ହେମ୍ରମ ପ୍ରମୁଖ ଦାବି କରିଛନ୍ତି । ଏ ସମ୍ପର୍କରେ ବିଡିଓ ପ୍ରିୟବ୍ରତ ପାଢୀଙ୍କୁ ପଚାରିବାରୁ ସଂପୃକ୍ତ ଦମ୍ପତ୍ତି ଆଧାରକାର୍ଡ କରିବାରେ ବିଳମ୍ବ କରିଥିବାରୁ ସବୁକିଛି ବିଳମ୍ବିତ 1 ହୋଇଛି ବୋଲି କହିଛନ୍ତି । ତେବେ ଅନ୍ତୋଦୟ କାର୍ଡ ହୋଇଯାଇଛି । ଖୁବଶୀଘ୍ର ରାସନ ମିଳିଯିବ। ଡାକ୍ତରୀ ପରୀକ୍ଷା ପରେ ଭିନ୍ନକ୍ଷମ ଭତ୍ତା ବ୍ୟବସ୍ଥା କରା ଯିବ ଓ ବାସଗୃହ ବ୍ୟବସ୍ଥା ମଧ୍ୟ କରାଯିବ ।
ସରକାରୀ ସୁବିଧାରୁ ବଞ୍ଚିତ ଗରିବ ଦମ୍ପତ୍ତି
|
September 26, 2020 |