କେନ୍ଦ୍ରାପଡ଼ା, ୧୭/୫ (ସନ୍ଧାନ ନିୟୁଜ) କେନ୍ଦ୍ରାପଡ଼ା ଜିଲ୍ଲ୍ଲା ରଜନଗର ଗହୀରମଥାରେ ଅସମୟରେ ବିରଳ ସାମୁଦ୍ରିକ ଅଲିଭରିଡଲେ କଇଁଛ ଦୀର୍ଘ ଦୁଇମାସ ଧରି ଅଣ୍ଡା ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟଚକିତ କରିଛି। ଏବେ ବିରଳ ଅଲିଭରିଡ଼ଲେ କଇଁଛଙ୍କୁ ନେଇ ଅସ୍ବାଭାବିକ ପ୍ରକ୍ରିୟା ଘଟଣା ସାମ୍ନାକୁ ଆସିଛି। ଅଲିଭରିଡ଼ଲେ ଗଣ ଅଣ୍ଡାଦାନ କରିବା ପର ଠାରୁ ଆଜିଯାଏଁ ଗହୀରମଥାର ନାଶି-୧ ଓ ନାଶି-୨ରେ ଅଣ୍ଡାଦାନ ପ୍ରକ୍ରିୟା ଜାରି ରଖିଛନ୍ତି। ପ୍ରତିଦିନ ୩୦ରୁ ୫୦ କଇଁଛ ଅଣ୍ଡାଦାନ ଜାରି ରଖିଛନ୍ତି। ସୁଦୂର ଜାଫନା ଉପକୂଳରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଏହି କଇଁଛ ଗହୀରମଥାରେ ଭିଡ଼ ଜମାଇଛନ୍ତି । କଇଁଛଙ୍କ ପ୍ରଜନନ ଋତୁ ପରେ ଦୀର୍ଘ ୭୦ ଦିନ ଧରି କଇଁଛ ଅଣ୍ଡା ଦେବା ଓ ଏବେବି ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିବା ଜଳବାୟୁ ପରିବର୍ତ୍ତନର ଲକ୍ଷଣ ବୋଲି ପରିବେଶବିତ ମତ ଦେଇଛନ୍ତି। ସୁଚନାଯୋଭ୍ୟ- ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମାର୍ଚ୍ଚ ୬ରୁ ଆଜିଯାଏଁ ୭୦ ଦିନ ମଧ୍ୟରେ ୧୭ ହଜାର ୩ଶହ ଅଲିଭରିଡ଼ଲେ ନାଶି-୧ ଓ ନାଶି-୨ରେ ଅଣ୍ଡା ଦେଉଛନ୍ତି। ପୂର୍ବରୁ ଏଭଳି ସ୍ଥିତି କେବେ ଦେଖାଯାଇନଥିଲା। ପ୍ରଥମଥର ପାଇଁ ଗଣ ଅଣ୍ଡାଦାନ ପରେ ଦୀର୍ଘ ୭୦ଦିନ ଧରି ଅଲିଭରିଡ଼ଲେ ଅଣ୍ଡାଦାନ ପ୍ରକ୍ରିୟା ଜାରି ରଖିଛନ୍ତି। ଏହାଛଡା ଅଲିଭରିଡ଼ଲେ ଦେଇଥିବା ଅଣ୍ଡାରୁ ୪୦ରୁ ୫୦ ଦିନ ମଧ୍ୟରେ ଛୁଆ ବାହାରିଥାଏ। ଏବେ ପ୍ରବଳ ବର୍ଷା ଓ ଗରମରେ କଇଁଛ ଅଣ୍ଡା ଦେଉଛନ୍ତି। ଅଣ୍ଡା ଗୁଡିକ ଠିକ୍ ତାପମାତ୍ରା ପାଉଛି କି’ ନାହିଁ ଏବଂ ପ୍ରବଳ ବର୍ଷା ଓ ଗରମ ସତ୍ତ୍ବେ ଅଣ୍ଡାରୁ ଛୁଆ ବାହାରିବେ କି’ ନାହିଁ ତାହା ଜୁନ୍ ଶେଷରେ ଜଣାପଡିବ ବୋଲି ଗହୀରମଥା ଏସିଏଫ୍ ଶ୍ରୀରାମପଦ ଅରବିନ୍ଦ ମିଶ୍ର ସୂଚନା ଦେଇଛନ୍ତି।
Report P Malik