ଭୁବନେଶ୍ୱର (ସନ୍ଧାନ ନିୟୁଜ): ଭକ୍ତ ସାଲବେଗଙ୍କ ଲିଖିତ ଲୋକପ୍ରିୟ ଓଡ଼ିଆ ଜଣାଣ ‘ଆହେ ନୀଳ ଶୈଳ’କୁ ଗାୟିକା ସୋନା ମହାପାତ୍ର ବିକୃତ କରି ଗାଇବା ପରେ ଓଡ଼ିଆପ୍ରେମୀମାନେ ସୋନାଙ୍କୁ ଟୁଇଟର୍ରେ ବହୁ ତିରସ୍କାର କରି ଟୁଇଟ୍ କରିଥିବାର ଗତ ୨ ଦିନ ମଧ୍ୟରେ ଦେଖିବାକୁ ମିଳିଛି। ଭାଷା ପ୍ରେମୀ, ଜଗନ୍ନାଥ ପ୍ରେମୀ ତଥା ସାରା ଓଡ଼ିଶାର ସଂସ୍କୃତିକୁ ଏହା ଆଘାତ ଦେଇଥିବା ବେଳେ ସୋନା ସମାଲୋଚକଙ୍କ ସମାଲୋଚନାରେ ଅତିଶୟ ହୋଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
ଜଣେ ଟୁଇଟର୍ ବ୍ୟବହାରକାରୀ ସୋନା ପିନ୍ଧିଥିବା ପୋଷାକ ଉପରେ ଆଙ୍ଗୁଠି ଉଠାଇବା ପରେ ନିଜ ଉପରୁ ଭାରସାମ୍ୟ ହରାଇଛନ୍ତି ସୋନା। ବ୍ୟବହାରକାରୀ ଜଣକ ଲେଖିଛନ୍ତି କି ‘ମ୍ୟାଡାମ! ଆପଣ ଯାହା ଗାଇଛନ୍ତି ତାହା ଏକ ଭଜନ। ଆଧୁନିକ ନୁହେଁ। ଏପରି ଗୀତ ଗାଇବା ପରେ ବେକ କଟା ପୋଷାକ ପିନ୍ଧିଥିବାରୁ ଆପଣଙ୍କୁ ଟିକେ ଲାଜ ଲାଗିବା କଥା। ଆପଣ ଓଡ଼ିଶାର। ଏହି ଗୀତ ଆମ ଓଡ଼ିଆ ସଂସ୍କୃତିକୁ ପ୍ରତିପାଦନ କରୁଛି। ଏହାକୁ ଧ୍ୱଂଶ କରିବାକୁ କିଏ ଆପଣଙ୍କୁ ଅଧିକାର ଦେଲା? ଚୋରି, ତା ଉପରେ ପୁଣି ସେନାଚୋରି! ଓଡ଼ିଆ ଜାତି ପାଇଁ ତୁମେ କଳଙ୍କ।’
ଉଲ୍ଲେଖଯୋଗ୍ୟ, କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଓଡ଼ିଆ ଜଣାଣକୁ ଭୁଲ୍ ଉଚ୍ଚାରଣ କରିବା ସହ ବିକୃତ ଶୈଳୀରେ ଗାଇ ସୋନା ବିଭିନ୍ନ ବୁଦ୍ଧିଜୀବୀ, ସାହିତ୍ୟିକ ମହଲରେ ସମାଲୋଚନନାର ପାତ୍ରୀ ହୋଇଛନ୍ତି। ସୋନା ‘ଆହେ ନୀଳ ଶୈଳ’ ଜଣାଣରେ ମତ୍ତକୁ ମାତ୍ତ, ଜଣାଣକୁ ଜନନ, କରକୁ କଳ, ଘୋରକୁ ଘର, ଜଳେଣକୁ ଜଳେନ, ଉଦ୍ଧାରିଲକୁ ଉଦ୍ଧାରିଲା, ସାଲବେଗଙ୍କୁ ସାଲେବେଗ ଉଚ୍ଚାରଣ କରିଛନ୍ତି।