ବାଲେଶ୍ଵର/ବାଲିଆପାଳ ୧୧/୦୮/୨୦୨୦ (ସନ୍ଧାନ ନିଉଜ):- କୋଭିଡ଼ କଟକଣା ଭାଙ୍ଗି ବାଲିଆପାଳରେ ବିଶାଳ ସମାବେଶ ଚାଲିଥିବା ବେଳେ ପୁଲିସ ଓ ପ୍ରଶାସନ ଜାଣିଶୁଣି ଚୁପ୍ ରହିଲେ । ଆଜି ବିଭିନ୍ନ ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ପୁଲିସ ଆୟୋଜକ, ଅତିଥିଙ୍କ ସମେତ ୭୦୦ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଗତକାଲି ବାଲିଆପାଳ ବ୍ଲକ ବାଲିବିଲ ଠାରେ ବିଶାଳ ସମାବେଶ ଆୟୋଜନ କରିଥିବା ଉପକୂଳ ଭିଟାମାଟି ସୁରକ୍ଷା କମିଟି ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର ଆୟୋଜକ କମିଟିର ସମସ୍ତ ସଦସ୍ୟ, ସଭାରେ ଯୋଗ ଦେଇଥିବା ନେତୃବୃନ୍ଦଙ୍କ ସମେତ ସେଠାରେ ଉପସ୍ଥିତ ଥିବା ୭ଶହ ଲୋକଙ୍କ ନାମରେ ବାଲିଆପାଳ ଥାନାରେ ଏତଲା ଦେଇଥିବା ବେଳେ କେସ ନମ୍ବର ୧୭୨/୨୦ରେ ମାମଲା ରୁଜୁ ହୋଇଛି ।
ଉପକୂଳ ଭିଟାମାଟି ସୁରକ୍ଷା କମିଟିର ସଭାପତି ସୁଭାଷ ଚୌଧୁରୀ, ଆବାହକ ଅରୁଣ ଜେନା, ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା କଂଗ୍ରେସ ନେତା ତଥା ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ସିପିଆଇ ନେତା ଜୟନ୍ତ ଦାସ, ଆଇନଜୀବୀ ମନୋଜ ନାୟକ, କମିଟିର ମୁଖ୍ୟ ସଦସ୍ୟା କାର୍ତ୍ତିକ ଜେନା, ମାୟାଧର କୁହ୍ଲାରି, ବନମାଳୀ ଦାସ, କମଳାକାନ୍ତ ଜେନା, ମୃତ୍ୟୁଞ୍ଜୟ ରାଉତ, ପୂର୍ଣଚନ୍ଦ୍ର ବେହେରା, ଜତୀନ୍ଦ୍ର କୁହ୍ଲାରୀ, ଭାସ୍କର ବିଶ୍ବାଳ, ସେକ ଆକବର ସାହା, ଜନ୍ମେଜୟ ଜେନା ପ୍ରମୁଖଙ୍କ ନାଁରେ ଅଭିଯୋଗ ହୋଇଥିବା ପୁଲିସ ସୂଚନା ଦେଇଛି। ରବିବାର ସଟଡାଉନ କଟକଣା ବଳବତ୍ତର ଥିବା ବେଳେ ହଜାର ହଜାର ଲୋକ ଏକାଠି ହୋଇ ପ୍ରସ୍ତାବିତ ପେଟ୍ରୋକେମିକାଲ୍ ପ୍ରକଳ୍ପକୁ ବିରୋଧ କରିଥିଲେ । ସୂଚନା ଅନୁସାରେ ପୁଲିସ ପାଖରେ ଏ ସମ୍ପର୍କରେ ଖବର ଥିଲା । ସେଥିପାଇଁ ବିନା ୟୁନିଫର୍ମରେ ପୁଲିସ ଜଗିଥିଲା । ହେଲେ କାହିକି ମୂଳରୁ ଏ ସମାବେଶକୁ ବାତିଲ ନ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। । ଏହାଛଡ଼ା ବସ୍ତା ଅଞ୍ଚଳରେ ପୁଲିସ ବିଭାଗର ଉପଖଣ୍ଡୀୟ ଅଧିକାରୀ (ଏସଡିପିଓ)ଙ୍କ କାର୍ଯ୍ୟାଳୟ ଥିବା ବେଳେ ଆଜି ଏ ବିଷୟରେ ତାଙ୍କୁ ପଚାରିବାରୁ ସେ ଘଟଣା ବାବଦରେ ସମ୍ପୂର୍ଣ୍ଣ ଅବଗତ ନାହାନ୍ତି ବୋଲି କହିଛନ୍ତି । ସେପଟେ କମିଟିର ଆବାହକ ଅରୁଣ ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,
ପ୍ରଶାସନ ବର୍ତ୍ତମାନର ସଙ୍କଟ ସମୟରେ ପେଟ୍ରୋ କେମିକାଲ୍ ପ୍ରକଳ୍ପ ପାଇଁ ଅହେତୁକ ଆଗ୍ରହ ଦେଖାଇ ପ୍ରଥମେ ଆଇନର ଉଲ୍ଲଘନ କରିଛି । ୨୦୧୮ ମସିହାରୁ ଏଠାରେ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ଆଦେଶ ରହିଥିବା ବେଳେ ସେତେବେଳେ ତାହା କାର୍ଯ୍ୟକାରୀ ନ କରି ବର୍ତ୍ତମାନ ପେଟ୍ରୋକେମିକାଲ୍ ପ୍ରସ୍ତାବିତ ଅଞ୍ଚଳରେ ଘେରି ଉଚ୍ଛେଦ ନାଁରେ ସରକାରୀ ଜମି ଅଧିଗ୍ରହଣ କରାଯାଉଛି । ଲୋକଙ୍କୁ ଅନ୍ଧାରରେ ରଖି ସରକାର ଜିଦ୍ଖୋର ମନୋଭାବ ପୋଷଣ କରି ପୁଲିସଫୋର୍ସ ସହ ଉକ୍ତ ଅଞ୍ଚଳକୁ ଉଚ୍ଛେଦ ପାଇଁ ଯାଉଛନ୍ତି । ତେବେ କ୍ରାନ୍ତି ଦିବସରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ସ୍ବଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ସେଠାରେ ସଭା ଚାଲିଥିବା ବେଳେ କରୋନାକୁ ନ ଡରି ସ୍ଥାନୀୟ ବାସିନ୍ଦା ଆପଣାଛାଏଁ ଆସିଗଲେ ବୋଲି ସେ କହିଛନ୍ତି । ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜନ ନାୟକ କହିଛନ୍ତି, କ୍ରାନ୍ତିଦିବସ ଅବସରରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ସେ ସେଠାକୁ ନିମନ୍ତ୍ରିତ ହୋଇଥିଲେ । ତେବେ ସେ ସେଠାରେ ଥିବା ସମୟରେ ସମାବେଶ ସ୍ଥଳରେ ମାତ୍ର ୨୦ରୁ ୩୦ ଜଣ ଲୋକ ଉପସ୍ଥିତ ଥିଲେ ।