ସମସ୍ୟାରେ ବନ୍ଦୀ ସରକାରୀ ପ୍ରାଥମିକ ବିଦ୍ୟାଳୟ!

Spread the love

ରାଉରକେଲା,୧୨/୮ (ସନ୍ଧାନ ନିୟୁଜ): ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ସ୍ଥିତ କନଷ୍ଟ୍ରକସନ କଲୋନୀ ନିକଟରେ କନଷ୍ଟ୍ରକସନ କଲୋନୀ(କ) ପ୍ରାଥମିକ ବିଦ୍ୟାଳୟ ପ୍ରଥମେ ସ୍ଥାପନ ହୋଇଥିଲା । ଏହି ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିଲେ । ଏହି ବିଦ୍ୟାଳୟ ପରିସରରେ ଥିବା କବିସମ୍ରାଟ ଉପେନ୍ଦ୍ରଭଂଜ ୟୁପି ସ୍କୁଲ ୧୯୮୦ରେ ସ୍ଥାପନ ହେବା ସହ ଏଥିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀ ଅଧ୍ୟୟନ କରୁଥିଲେ । ପରେ ୧୯୮୩ ମସିହାରେ ଏହି ବିଦ୍ୟାଳୟ କନଷ୍ଟ୍ରକସନ କଲୋନୀ(ଖ) ନାମରେ ନାମିତ ହେଲା । କାଳକ୍ରମେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ କରାଯିବା ସହ ବିଦ୍ୟାଳୟ ସରକାରୀ ମାନ୍ୟତା ପାଇଲା । । ବିଦ୍ୟାଳୟରେ ଦିନକୁ ସମସ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଓ ୩ଜଣ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥବବାରୁ, ଏଠାରେ ଶିକ୍ଷାର ମାନ କେତେ ସୁଦୃଢ ତାହା ସହଜେ ଅନୁମେୟ କରାଯାଇପାରେ! ସ୍କୁଲରେ ଶୈକ୍ଷିକ ବାତାବରଣ ଧିରେ ଧିରେ ଲୋପ ପାଉଥିବାରୁ ଏହାକୁ ନେଇ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଚିନ୍ତିତ ଥିବା ଜଣାପଡ଼ିଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାଇ, ସାରା ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲୁଥିବା ବେଳେ,ଏହି ବିଦ୍ୟାଳୟଟି ଅସ୍ୱଚ୍ଛ ପରିବେଶ ମଧ୍ୟରେ ଥିବା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି । ବଣବୁଦାରେ ମଝିରେ ରହିଛି ବିଦ୍ୟାଳୟ । ବର୍ତମାନ ବର୍ଷାଦିନେ ସବୁଆଡେ ସାପର ଭୟ ଲୋକଙ୍କୁ ଘାରୁଥିବା ବେଳେ, ଏଠାରେ ଥିବା ଗଛ ଲତା ଗୁଡ଼ିକ ସଫା କରାଯାଉନଥିବାରୁ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଜୀବନ ବିପଦକୁ ଟାଣି ନେଉଛି । ସେହପିରି ସଂଜ ନଇଁଲେ ବିଦ୍ୟାଳୟ ପରିସରରେ ଅସାମାଜିକ ତତ୍ୱଙ୍କ ଆଡ଼ା ଜମୁଛି । ଅସାମାଜିକ ଯୁବକ ମାନେ ବିଦ୍ୟାଳୟ ପରିସରରେ ରାତ୍ରୀ ସମୟରେ ନିଶା ସେବନ କରିବା ସହ, ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହିବା ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସମୟ ସମୟରେ ରାତ୍ରୀ ସମୟରେ ସ୍କୁଲଊ ପରିସରରେ କୌଣସି କଥାକୁ ନେଇ ଛୋଟବଡ଼ ଗଣ୍ଡଗୋଳ ହେଉଥିବା ଯୋଗୁ ଅଂଚଳରେ ଶାନ୍ତିର ବାତାବରଣ କଲୁଷିତ ହେବା ସହ ଆଇନଶୃଖଂଳା ଭଙ୍ଗ ହେଲା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ବିଦ୍ୟାଳୟଟି ପୁରୁଣା ହୋଇଥିବାରୁ ବିଭିନ୍ନ ସମସ୍ୟା ଏଠାରେ ଦେଖାଦେଇଥାଏ । ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା କିଛି ଶୌଚାଳୟ ସୂଚାରୁରୂପେ ଚାଲୁଥିବା ବେଳେ, ଆଉ କିଛି ଶୌଚାଳୟର ଅବସ୍ଥା ନକହିଲେ ଭଲ! ମାତ୍ର କନଷ୍ଟ୍ରକସନ କଲୋନୀ ରାଉରକେଲା ମହାନଗର ନିଗମ ଅଧିନରେ ଆସୁନଥିବାରୁ ସଂପୃକ୍ତ ଅଂଚଳ ଓ ଉକ୍ତ ବିଦ୍ୟାଳୟର ବିକାଶ ପ୍ରତି ଏତେଟା ଧ୍ୟାନ ଦିଆଯାଉନାହିଁ । ଏହି ସରକାରୀ ବିଦ୍ୟାଳୟ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ବହୁଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Report- Subodh Nayak

Related Posts

About The Author

Add Comment