ଅନୁଗୋଳ, ୧୩ /୬ (ସନ୍ଧାନ ନିୟୁଜ) : ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସମଲ ବ୍ୟାରେଜସ୍ଥିତ ଜଳବିଦ୍ୟୁତ୍ କେନ୍ଦ୍ରର ତଳମୁଣ୍ଡରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଆଜି ଅପରାହ୍ନରେ ଏଠାରେ ତିନି ଜଣ ଯୁବକ ଗାଧୋଉଥିବା ବେଳେ ତନ୍ମଧ୍ୟରୁ ୨ଜଣ ଜଳର ପ୍ରଖର ସ୍ରୋତରେ ଭାସି ଯାଇ ଅକାଳରେ ମୃତ୍ୟୁବରଣ କରିଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ, ସମଲ ବ୍ୟାରେଜ୍ ନଦୀବନ୍ଧ ଯୋଜନାରେ ଓଡିଶା ପାୱାର କନସୋରଟିଅମ୍ ଲିମିଟେଡ୍ ନାମକ ଏକ ଘରୋଇ ସଂସ୍ଥା ଜଳ ବିଦ୍ୟୁତ୍ ପ୍ରକଳ୍ପ ପ୍ରତିଷ୍ଠା କରିଛି। ସେହି ଜଳବିଦ୍ୟୁତ୍ କେନ୍ଦ୍ର ଟରବାଇନ୍ର ତଳମୁଣ୍ଡରେ ନିଷ୍କାସିତ ପାଣିରେ ୩ଜଣ ଯୁବକ ଗାଧୋଇବାକୁ ଯାଇଥିଲେ। ସମଲ ବ୍ୟାରେଜ୍ କଲୋନୀର କେଦାର ମହାରଣାଙ୍କ ପୁଅ କାହ୍ନୁ ଚରଣ ମହାରଣ ଓରଫ କାହ୍ନା (୨୪), ମେଡିକାଲ କଲୋନୀର ବିନୋଦ ନାଏକଙ୍କ ପୁଅ ବିଶ୍ୱରଞ୍ଜନ ନାଏକ ଓରଫ ଲାଲା (୨୭) ଓ ବଜ୍ରକୋଟ୍ ଗ୍ରାମର ବିଜୟ କୁମାର
ଖିଲାର ଗାଧୋଇବାକୁ ଯାଇଥିଲେ। ତେବେ ଗାଧେଇବା ସମୟରେ ଜଣେ ଯୁବକଙ୍କ ଗୋଡ଼ ଖସି ଯିବାରୁ ଜଳ ସ୍ରୋତରେ ଭାସି ଯାଉଥିବା ସମୟରେ ଅନ୍ୟ ୨ ଜଣ ଯୁବକ ହାତକୁ ହାତ ଧରି ତାକୁ ଉଦ୍ଧାର କରିବାକୁ ଚେଷ୍ଟାକରୁଥିଲେ। ମାତ୍ର ଉଦ୍ଧାର କରୁଥିବା ଦୁଇବନ୍ଧୁଙ୍କ ମଧ୍ୟରୁ ଆଉଜଣେ ମଧ୍ୟ ଜଳସ୍ରୋତରେ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ। ଅନ୍ୟଜଣେ ସୈାଭାଗ୍ୟକ୍ରମେ କୂଳକୁ ଫେରିଥିଲେ। ଏ ସମ୍ପର୍କରେ ବଂଚି ଯାଇଥିବା ଯୁବକଜଣକ ଅନ୍ୟମାନଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଏବଂ ସମଲ ଥାନାର ଭାରପ୍ରାପ୍ତ ଅଧିକାରୀ ସୁନିଲ୍ କୁମାର କର ସଦଳ ବଳେ ଘଟଣାସ୍ଥଳରେ ପହଁଚିଥିଲେ। ବହୁ ଖୋଜାଖୋଜି ପରେ ଦୁଇ ଜଣ ଯୁବକଙ୍କ ଶବକୁ୍ ଉଦ୍ଧାର କରାଯିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ମଣ୍ଡାପାଳ ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ଏହି ଘଟଣାରେ ସମଲ ପୋଲିସ୍ କେସ୍ନଂ-୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କିଭଳି ପରିସ୍ଥିତିରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି, ସେ ସମ୍ପର୍କରେ ବଂଚି ଯାଇଥିବା ଯୁବକ ବିଜୟକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହି ହୃଦୟସ୍ପର୍ଷୀ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସମଲ ବ୍ୟାରେଜରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ



