ନୂଆଦିଲ୍ଲୀ, ୩/୮ (ସନ୍ଧାନ ନିଉଜ) : ସରକାର ଭାରତକୁ ଆସନ୍ତା ୫ ବର୍ଷ ମଧ୍ୟରେ ୫ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବା ନେଇ ସ୍ବପ୍ନ ଦେଖୁଛନ୍ତି। ଏଥିନେଇ ବଜେଟରେ ଘୋଷଣା ମଧ୍ୟ କରାଯାଇଛି। କିନ୍ତୁ ଭାରତର ଅର୍ଥନୀତି ନିମ୍ନମୁଖୀ ହେବାରେ ଲାଗିଛି। ୨୦୧୮ ପାଇଁ ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ବିଶ୍ବର ବଡ଼ ଅର୍ଥନୈତିକ ମହାଶକ୍ତିର ଦେଶ ତାଲିକାରେ ଭାରତ ୨୦୧୮ ମସିହାରେ ସପ୍ତମ ସ୍ଥାନକୁ ଖସିଆସିଛି। ଏହା ପୂର୍ବ ବର୍ଷ ଭାରତ ଷଷ୍ଠ ସ୍ଥାନରେ ଥିବାବେଳେ ୨୦୧୮ରେ ଏହା ଗୋଟିଏ ସ୍ଥାନ ତଳକୁ ଖସିଯିବା ଏବେ ଚିନ୍ତାର ବିଷୟ ପାଲଟିଛି। ଏହି ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ ଏବଂ ଜାପାନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତି ଆକାର ସର୍ବାଧିକ ୨୦.୫ ଲକ୍ଷ କୋଟି ଡଲାରରେ ପହଞ୍ଚିଥିବାବେଳେ ଚୀନ ଅର୍ଥନୀତିର ଆକାର ୧୩.୬ ଲକ୍ଷ କୋଟି ଡଲାର ଏବଂ ଜାପାନ ଅର୍ଥନୀତିର ଆକାର ପାଖାପାଖି ୫ ଲକ୍ଷ କୋଟି ଡଲାର ରହିଛି। ଏମାନଙ୍କ ପଛକୁ ଜର୍ମାନୀ ୪ ଲକ୍ଷ କୋଟି ଡଲାର ଜିଡିପି ସହିତ ଚତୁର୍ଥ, ବ୍ରିଟେନ ୨.୮ ଲକ୍ଷ କୋଟି ଡଲାର ଜିଡିପି ସହିତ ପଞ୍ଚମ ଏବଂ ଫ୍ରାନ୍ସ ୨.୭୭ ଲକ୍ଷ କୋଟି ଡଲାର ଜିଡିପି ସହିତ ଷଷ୍ଠ ସ୍ଥାନରେ ରହିଛି। ତେବେ ୨୦୧୮ରେ ଭାରତର ଜିଡିପି ଆକାର ୨.୭୩ ଲକ୍ଷ କୋଟି ଡଲାର ରହିଛି। ଫଳରେ ଭାରତ ସପ୍ତମ ସ୍ଥାନକୁ ଖସିଆସିଛି। ୨୦୧୭ରେ ଭାରତର ଜିଡିପି ୨.୬୫ ଲକ୍ଷ କୋଟି ଡଲାର ରହିଥିଲା।
ରେଟିଂ ଏଜେନ୍ସି କ୍ରିସିଲ ଭାରତର ଜିଡିପି ଅଭିବୃଦ୍ଧି ନେଇ ସେତେଟା ଆଶାବାଦୀ ନାହିଁ। ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୭.୧ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା। କିନ୍ତୁ ପରେ ଏଥିରେ ସଂଶୋଧନ ଆଣି ୬.୯ ପ୍ରତିଶତକୁ କମାଇ ଦେଇଛି। ଜୁନ୍ରେ ମୌସୁମୀ ବର୍ଷା କମ୍ ରହିବା ଏବଂ ବିଶ୍ବରେ ଅର୍ଥନୈତିକ ଅଭିବୃଦ୍ଧିରେ ମନ୍ଥରତା ଆଦି କାରଣରୁ ଏଭଳି ଆକଳନ କରାଯାଇଛି। ତେବେ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଲା ଅଭିବୃଦ୍ଧି ଆଉ କେତେ ତଳକୁ ଖସିବ ସେ ନେଇ କିଛି ଜଣାପଡ଼ୁନାହିଁ। ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନଥିବାରୁ ଭାରତର ଜିଡିପି ଅଭିବୃଦ୍ଧିକୁ ୭ ପ୍ରତିଶତରୁ ଉପରକୁ ନେବା ପାଇଁ ଆବଶ୍ୟକ ନିବେଶ ଯୋଗାଡ଼ କରିବାର ସମ୍ଭାବନା ଖୁବ୍ କମ୍। ତେବେ ନିକଟରେ ସରକାର ଗ୍ରହଣ କରିଥିବା କେତେକ ସଂସ୍କାରଧର୍ମୀ ପଦକ୍ଷେପର ସୁଫଳ ମଧ୍ୟମ ଅବଧିରେ ଯାଇ ମିଳିବ। କିନ୍ତୁ ତାହା କେତେ ପ୍ରଭାବୀ ହେବ ତାହା ହିଁ ବଡ଼ ପ୍ରଶ୍ନ ବୋଲି କ୍ରିସିଲର ମୁଖ୍ୟ ଅର୍ଥନୀତିଜ୍ଞ ଧର୍ମକୃତି ଯୋଶୀ କହିଛନ୍ତି। କେବଳ କ୍ରିସିଲ ନୁହେଁ ଏଡିବି ମଧ୍ୟ ଭାରତର ଜିଡିପି ଅଭିବୃଦ୍ଧିକୁ ନେଇ ଚିନ୍ତାବ୍ୟକ୍ତ କରିଛି। ପୂର୍ବରୁ ଏପ୍ରିଲରେ ଏସୀୟ ବିକାଶ ବ୍ୟାଙ୍କ(ଏଡିବି) ଭାରତର ଅଭିବୃଦ୍ଧି ନେଇ ଯେଉଁ ଆକଳନ କରିଥିଲା ଜୁଲାଇରେ ତାହାକୁ କମାଇ ଦେଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଚଳିତ ଆର୍ଥିକ ବର୍ଷ ଭାରତର ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ଏବଂ ଆସନ୍ତା ଆର୍ଥିକ ବର୍ଷ ୭.୨ ପ୍ରତିଶତ ରହିବ। ତେଣୁ ଭାରତକୁ ୨୦୨୪ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ସରକାର ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହାକୁ ସବୁ ବିଶେଷଜ୍ଞ ସମର୍ଥନ କରିପାରୁନାହାନ୍ତି। ସେମାନଙ୍କ ମତରେ ଏହି ଲକ୍ଷ୍ୟ ଧାର୍ଯ୍ୟ ଅତ୍ୟନ୍ତ ଉଚ୍ଚାଭିଳାଷୀ।