କେନ୍ଦୁଝର ୩/୪ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) : କେନ୍ଦୁଝର ରାଜନୀତିରେ ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଙ୍କ ବେଶ ଦବ୍ଦବା ରହିଛି। ଯାହା ଗତ ନିର୍ବାଚନରେ ଦେଖିବାକୁ ମିଳିଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ଲୋକପ୍ରିୟତା ସତ୍ତ୍ୱେ ସନା ବିଜୟୀ ହୋଇଥିଲେ। ଏଥିରୁ ଜଣାପଡ଼ିଥିଲା ନବୀନଙ୍କ ଲୋକପ୍ରିୟତା ଆଗରେ ସନାଙ୍କ ଦବ୍ଦବା କେତେ ଅଧିକ। ଏଥର କିନ୍ତୁ ନବୀନ ପୁରୁଣା ଚାଲ୍ ନ ଖେଳି ସନାଙ୍କ ଶରଣରେ ପଶିଥିବା ଚର୍ଚ୍ଚା ହେଉଛି। ଆଉ ସନାଙ୍କର ମନପସନ୍ଦର ପ୍ରାର୍ଥୀଙ୍କୁ କେନ୍ଦୁଝର ଲୋକସଭା ଓ ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ କରିଛି। ଯାହାର ଗୁମର ଖୋଲିଛନ୍ତି ଖୋଦ୍ ସନା ମହାକୁଡ଼।
ସେ କହିଛନ୍ତି-“ମାଛ ପାଣି ବିନା ବଞ୍ଚିପାରିବ ନାହିଁ କି ସନା ମହାକୁଡ଼ ରାଜନୀତିକୁ ଛାଡ଼ି ରହିପାରିବ ନାହିଁ। ଦେହ ଯେତେ ଅସୁସ୍ଥ ରହିଲେ ମଧ୍ୟ ମୁଁ ରାଜନୀତି କରିବି। ଦେଖିବାକୁ ଗଲେ ବର୍ତ୍ତମାନ ରାଜ୍ୟରେ ବିଜେଡି ଏକ ଆଞ୍ଚଳିକ ଦଳ ଯିଏ ୧୯ ବର୍ଷ ଧରି ଶାସନ ଗାଦିରେ ରହିଛି। ତାଙ୍କର ରାଜନୈତିକ କାର୍ଯ୍ୟକଳାପ ମୋତେ ଭାରି ଭଲ ଲାଗିଥିଲା। ଠିକ୍ ଏତିକି ବେଳେ ବିଜେଡି ସୁପ୍ରିମୋ ମୋତେ ସମର୍ଥନ ମାଗିଥିଲେ। ଯାହାକୁ ସମ୍ମାନ ଜଣାଇ ମୁଁ ବିଜେଡିକୁ ସମର୍ଥନ ଦେଇଥିଲି। ମାତ୍ର ବିଜେଡିରେ ମିଶିନାହିଁ।”
ସେ ଆହୁରି କହିଛନ୍ତି,“କେନ୍ଦୁଝର ଲୋକସଭା ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଜଣେ ଇଞ୍ଜିନିୟର। ସେ ଚାହିଁଥିଲେ ଭଲ ଚାକିରି କରିପାରି ଥାଆନ୍ତେ। ମାତ୍ର ରାଜନୀତି କରିବା ପାଇଁ ତାଙ୍କୁ ମୁଁ ପରାମର୍ଶ ଦେଇଥିଲି। ଏପରିକି ଚନ୍ଦ୍ରାଣୀଙ୍କୁ କେନ୍ଦୁଝର ଲୋକସଭାରୁ ପ୍ରାର୍ଥୀ କରିବା ପାଇଁ ବିଜେଡି ସୁପ୍ରିମୋଙ୍କୁ ପରାମର୍ଶ ଦେଇଥିଲି। ଯାହାକୁ ସମ୍ମାନ ଜଣାଇ ବିଜେଡି ସୁପ୍ରିମୋ ତାଙ୍କୁ ପ୍ରାର୍ଥୀ କରିଛନ୍ତି।”