ବାରିପଦା ଅଫିସ, ୧୨/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):- ସଚେତନତାର ଅଭାବ ଓ ପାରିପାର୍ଶିକ ପରିସ୍ଥିତି ଯୋଗୁ ମୟୂରଭଞ୍ଜ ଜିଲାରେ ବହୁ ଶିଶୁ ଓ ମା’ ଅପପୁଷ୍ଟି ରୋଗର ଶିକାର ହେଉଛନ୍ତି । ବିଭାଗର ପ୍ରଚେଷ୍ଟା ସତ୍ତ୍ବ ଜୀବନଜୀବିକାକୁ ନେଇ ବହୁ ପରିବାର ସରକାରୀ ସାହାଯ୍ୟଠାରୁ ଦୂରେଇ ଯାଇ ପ୍ରମାଦ ଗଣୁଛନ୍ତି। ଏଭଳି ଘଟଣା ପ୍ରତି ବ୍ଲକରେ ଦେଖୁକୁ ମିଳୁଥିବା ବେଳେ ଜିଲ୍ଲାର ଅପହଞ୍ଚ ଇଲାକାର ଅନେକ ଶିଶୁ ପୁଷ୍ଟିହୀନତାର ଶିକାର ହୋଇ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ପାରୁନାହାନ୍ତି । ଫଳରେ ସରକାରୀ ଯୋଜନାର ସଫଳ ରୂପାୟନରେ ବିଳମ୍ବ ଘଟୁଛି । ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ରହିଛି ପୃଷ୍ଟି ବିକାଶ କେନ୍ଦ୍ର। ୨୦୦୯ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଖୋଲାଯାଇଥିବା ଏହି କେନ୍ଦ୍ରରେ ରହିଛି ୧୦ଟି ବେଡ୍ । ଅପପୁଷ୍ଟିର ଶିକାର ହୋଇଥିବା ଶୂନରୁ ୫ବର୍ଷ ବୟସ୍କା । ପିଲାଙ୍କୁ ଏଠାରେ ଚିକିତ୍ସା କରାଯାଇଥାଏ । ସରକାରଙ୍କ ପକ୍ଷରୁ ଶିଶୁର ଓଜନ ବୃଦ୍ଧି ହେବା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ଓ ଔଷଧ ଖର୍ଚ୍ଚ ବହନ କରାଯାଉଥିବା ବେଳେ ସେବାକାରୀ ଭାବେ ରହୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନିଶୁଳ୍କ ସେବା ଯୋଗାଇ ଦିଆଯାଇଥାଏ । ସେହିପରି ଯିବା ଆସିବା ଖର୍ଚ୍ଚଠାରୁ ଆରମ୍ଭ କରି ସେବାକାରୀଙ୍କ ଦୈନିକ ରୋଜଗାର ଭରଣା ବାବଦରେ ଏକ ଶହ ଟଙ୍କା, ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପର୍ଯ୍ୟନ୍ତ ଶିଶୁ ଓ ସେବାକାରୀଙ୍କୁ ଦିଆଯାଇଥାଏ । ୧ବର୍ଷ ତଳର ଶିଶୁଙ୍କୁ ସମ୍ପୂର୍ଣ୍ଣା ଯୋଜନାରେ ୫ଶହ ଟଙ୍କା ପ୍ରଦାନ କରାଯାଇଥାଏ। ରିପୋର୍ଟରୁ ଜଣାଯାଏ, ୨୦୧୪-୧୫ରେ ୨୧୮ଜଣ, ୧୫-୧୬ରେ ୧୭୨, ୧୬- ୧୭ରେ ୨୦୫, ୧୭-୧୮ରେ ୧୧୭, ୧୮-୧୯ରେ ୧୬୬ ଓ ୨୦୧୯- ୨୦ରେ ୧୫୫ଜଣ ଶିଶୁ ପୁଷ୍ଟିହୀନତାର ଶିକାର ହୋଇ ଏହି ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ୮୦ପ୍ରତିଶତ ରୋଗୀ ପୁଷ୍ଟି ବିକାଶ କେନ୍ଦ୍ରରୁ ଭଲ ବନ ହୋଇ ଫେରୁଥିବା ବେଳେ ଗତ ୪ ମାସ ମଧ୍ୟରେ ମାତ୍ର ୧୭ଜଣ ଶିଶୁ ପୃଷ୍ଟି ବିକାଶ କେନ୍ଦ୍ରରେ ଚିସ୍ଥିତ ହୋଇଛନ୍ତି । ଅଗଷ୍ଟ ମାସରେ ମାତ୍ର ୪ଜଣ ଶିଶୁ ଚିକିତ୍ସାଧିନ ଥିବା ବେଳେ ବେତନଟୀ ବ୍ଲକ ସାରିଆବା ଗ୍ରାମର କରମି ମୁର୍ମୁଙ୍କ ଦେଢ଼ ବର୍ଷର ଙ୍କ ଶିଶୁ ପୁତ୍ରଙ୍କ ବୟସ ବୃଦ୍ଧି ପାଉଥିବା ବେଳେ ଶରୀର ଓଜନ ବୃଦ୍ଧି ପାଉନାହିଁ। ଏପରିକି ତାଙ୍କ ପ୍ରଥମ ସନ୍ତାନଙ୍କ ଅବସ୍ଥା ମଧ୍ୟ ଅନୁରୂପ ପୁଷ୍ଟିହୀନତା ଯୋଗୁ ଉଭୟ ଶିଶୁ ଓ ମା’ ଏହି ରୋଗର ଶିକାର ହୋଇଛନ୍ତି । ସେହିଭଳି କୁଳିଅଣା ଗ୍ରାମର ସେବତୀ ମାଝା ଓ ରାସଗୋବିନ୍ଦପୁର ଗ୍ରାମର ଫୁଲମଣି ଟୁଡ଼ୁଙ୍କ ଶିଶୁ ମଧ୍ୟ ପୁଷ୍ଟିହୀନତା ରୋଗର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ବହୁ ଶିଶୁ ଏହି ରୋଗରେ ପୀଡିତ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ପ୍ରଚେଷ୍ଟା ଫେଲ୍ ମାରୁଛି । ଏ ସଂକ୍ରାନ୍ତରେ ପୁଷ୍ଟିକର ପରାମର୍ଶଦାତା ସୋନାଲୀ ସାହୁଙ୍କୁ ପଚାରିବାରୁ ଅଙ୍ଗଡି କର୍ମୀମାନେ ଘର ଘର ବୁଲି ପୁଷ୍ଟିହୀନ ଶିଶୁଙ୍କୁ ବାରିପଦା ଡାକ୍ତରଖାନା ପଠାଇବାକୁ ଚେଷ୍ଟା କରୁଛନ୍ତି । ମାତ୍ର ଧାନ ରୋଇବା ଓ’ କାଟିବା ସମୟରେ ପରିବାର ଲୋକେ ଏଥିପ୍ରତି ଅଣଦେଖା କରି ଶିଶୁଙ୍କ ଚିକିତ୍ସା କରିବାକୁ ଆସୁନାହାନ୍ତି । ସେହିପରି କରୋନା ମହାମାରୀ କାରଣରୁ ଡାକ୍ତରଖାନାକୁ ରୋଗୀ ଆସିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ବୋଲି ସେ କହିଥିଲେ। ତେବେ ଆଦିବାସୀ ବହୁଳ ଜିଲ୍ଲାରେ ସଚେତନତା ଅଭାବରୁ ଅପପୁଷ୍ଟି ରୋଗ ବଢୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ସଚେତନତା ଅଭାବରୁ ବଢ଼ିଛି ଅପପୁଷ୍ଟି
|
September 12, 2020 |
