ବାରିପଦା, ୦୬/୧୦/୨୦ (ସନ୍ଧାନ ନିଉଜ) : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଥିରେ ରୋକ୍ ଲାଗିବାର ନାଁ ଧରୁନି । ଗତ ସେପ୍ଟେମ୍ବର ମାସରୁ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଇବା ଫଳରେ ଏବେ ଘରେ ଘରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । କରୋନା ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି । ଏଯାଏଁ ଜିଲ୍ଲାରେ ମୋଟ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ସରକାରୀ ରିପୋର୍ଟକୁ ବିଚାର କଲେ ଅନ୍ୟ ଜିଲ୍ଲା ତୁଳନାରେ ମୟୂରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ବୋଲି ଜଣାପଡ଼ିଛି । ମାତ୍ର ଜିଲ୍ଲାରେ କରୋନାର ସ୍ବରୂପ ଓ ପ୍ରକୃତ ଚିତ୍ରର ସ୍ଥିତି କିନ୍ତୁ ଢେର୍ ଅଲଗା। ଏପରିକି ଆକାଶ ପାତାଳ ପ୍ରଭେଦ । ସରକାରୀ ରିପୋର୍ଟ ଅନୁଯାୟୀ ସୋମବାର ଜିଲ୍ଲାରୁ ପୁଣି ୧୦୧ ଜଣ ଆକ୍ରାନ୍ତ ବୋଲି ତଥ୍ୟ ପ୍ରଦାନ କରାଯାଇଥିବା ବଳେ ୧୩୯ ଜଣ ସୁସ୍ଥ ହୋଇଥିବା କୁହାଯାଉଛି । ଜିଲ୍ଲାରେ ଏ ଯାଏଁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ରିପୋର୍ଟ ଅନୁଯାୟୀ ୮୭୨୧| ସେଥି ମଧ୍ୟରୁ ୭୪୬୯ଜଣ ସୁସ୍ଥ ବୋଲି କୁହାଯାଉଛି । ସେପଟେ ଏଯାଏ ମାତ୍ର ୨୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିଲେ ମଧ୍ୟ ପ୍ରକୃତ ତଥ୍ୟ କିନ୍ତୁ ଭିନ୍ନ । ବର୍ତ୍ତମାନ ପରିପ୍ରେକ୍ଷୀରେ ବିଶେଷ କରି ଜିଲ୍ଲା ସଦର ମହକୁମା ବାରିପଦାରେ ଏଇ କିଛି ଦିନ ମଧ୍ୟରେ ଅନେକ ମୁଣ୍ଡ ଗଡ଼ିଲାଣି । ଅନେକ ଆକ୍ରାନ୍ତଙ୍କ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଥିଲେ ମଧ୍ୟ ଆରଟିଫିସିଆର ଟେଷ୍ଟ ହୋଇ ନ ଥିବାରୁ ସେମାନଙ୍କ ମୃତ୍ୟୁ ପରେ କୋଭିରେ ମୃତ୍ୟୁ ବୋଲି ଦର୍ଶାଯାଉ ନାହିଁ । ସେପଟେ ଜିଲ୍ଲାରେ ବାଙ୍କିଶୋଳଠାରେ କୋଭିଡ୍ ହସ୍ପିଟାଲ୍ ହୋଇଥିଲେ ମଧ୍ୟ ସେଠାରେ ଆଇସିୟୁ ଏବଂ ଭେଣ୍ଟିଲେଟର୍ ସୁବିଧା ନଥିବାରୁ ଅଧୂଶ ରୋଗୀଙ୍କର ମୃତ୍ୟୁ ହେଉଛି । ଅଧିକାଂଶଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ଵ ର ଘରୋଇ ମେଡିକାଲକୁ ନେବା ବାଟରେ ସେମାନଙ୍କର ମୃତ୍ୟୁ ମଧ୍ୟ ହେଉଛି । ଏଥିପାଇଁ ଜିଲ୍ଲାରେ ଥିବା ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲ ଏବଂ ବାଙ୍କିଶୋଳ କୋଭିଡ୍ ହସ୍ପିଟାଲରେ ତୁରନ୍ତ ଆଇସିୟୁ ଏବଂ ଭେଣ୍ଟିଲେଟରର ବ୍ୟବସ୍ଥା କରିବାକୁ ଦାବି ହେଉଛି।
ସଂକ୍ରମଣରେ ଲାଗୁନି ରୋକ୍, ବଢୁଛି ମୃତ୍ୟୁ ପ୍ରତିଦିନ ଶହେ ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା
|
October 6, 2020 |