ବାରିପଦା,୧୧/୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଗ୍ରାମାଞ୍ଚଳର ଯେଉଁ ସଂସ୍ଥା ମାନଙ୍କରେ ଶ୍ରମିକ ମାନେ କାମକରି ପେଟ ପୋଷୁଛନ୍ତି ଏବଂ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ସେହି ଭଳି ରୁଗ୍ମ ସଂସ୍ଥା ମାନଙ୍କ ଠାରୁ ଦୀର୍ଘଦିନ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ପରିଚୟ ଦେଇ ଜଣେ ପୁରୁଷ ଓ ଜଣେ ମହିଳା ମାସିକିଆ ବଟି ଆଦାୟ କରୁଥିବା ଅଭିଯୋଗରୁ ଜଣାପଡିଛି । ସଂସ୍ଥାର ଶ୍ରମିକ ମାନଙ୍କୁ ନେଇ ଅବ୍ୟବସ୍ଥା ଥିବା ଦର୍ଶାଇ ଅସୁବିଧାରେ ପଡ଼ିବାର ଭୟ ସୃଷ୍ଟି କରି ନିର୍ଦ୍ଦିଷ୍ଟ ଦୁଇଜଣ ପୁରୁଷ ଓ ମହିଳା ଏକ କାରରେ ଆସି ବଟି ଆଦାୟ କରି ନେଉଥିବା ଏବେ ପଦାରେ ପଡିଲାଣି । ଶ୍ରମିକ ମାନେ ଦାଦନ ଖଟିବାକୁ ଯାଇ ହଇରାଣ ହେଉଥିବା ବେଳେ ଗ୍ରାମାଞ୍ଚଳର କେତେକ ସଂସ୍ଥା ସେମାନଙ୍କୁ କାମ ଯୋଗାଇ ଦେଉଥିବା ବେଳେ ସେହି ସବୁ ସଂସ୍ଥାକୁ ବ୍ଲାକମେଲିଂ କରି ବଟି ଆଦାୟ କରିବା ଘୋର ଅସନ୍ତୋଷ କାରଣ ହୋଇଥିବା ବେଳେ ଭୟରେ କେହି ଅଭିଯୋଗ କରିବାକୁ ସାହସ କରୁ ନାହାନ୍ତି । ତେବେ ସୋରଡ଼ା ବ୍ଲକ ବାରମାଇଲର ଏକ ଫେବ୍ରିକେସନର ମାଲିକ ଏନେଇ ଗତ୩ ତାରିଖରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରେ ମାସକୁ ୫୦୦ ଟଙ୍କା ଲେଖାଏଁ ବଟି ନେଉଥିବା ଅଭିଯୋଗ କରିଛନ୍ତି । ଏବେ ପ୍ରଶ୍ନ ଉଠିଛି ଏହି ଦୁଇଜଣ ଶ୍ରମ ବିଭାଗ କର୍ମଚାରୀ କି ନୁହଁନ୍ତି । ଯଦି କର୍ମଚାରୀ ତାହାଲେ କେଉଁ ନିୟମରେ ଗରିବ ଦୁର୍ବଳ ସଂସ୍ଥାରୁ ବଟି ଆଦାୟ କରୁଛନ୍ତି ? ଅଭିଯୋଗ ପରେ କି ପଦକ୍ଷେପ ଗ୍ରହଣ କରାଯାଇଛି ? ଏ ସମ୍ପର୍କରେ ଜାଣିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଫୋନ ନମ୍ବର ସଂଗ୍ରହ କରି ତାଙ୍କୁ ଟେଲିଫୋନ କରିଥିଲେ ମଧ୍ୟ ସେ ଫୋନକଲ ରିସିଭ ନକରିବାରୁ କିଛି ମତାମତ ସଂଗ୍ରହ କରିବା ସମ୍ଭବ ହୋଇ ପାରି ନାହିଁ । ସଂପୃକ୍ତ ପୁରୁଷ ଓ ମହିଳା କର୍ମଚାରୀ କୁହା ଯାଉଥିବା ଦୁଇଜଣଙ୍କ ଫଟୋ ଓ ବ୍ୟବହାର ହେଉଥିବା କାର୍ ଫଟୋ ଆମର ହସ୍ତଗତ ହୋଇଛି । ପରବର୍ତ୍ତୀ ଖବର ସହ ତାହା ପ୍ରକାଶ ପାଇବ । ଜିଲ୍ଲା ଶ୍ରମ ଅଧିକାରୀ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ସାଧାରଣରେ ହେଉଛି ।
ଶ୍ରମ ବିଭାଗ କର୍ମଚାରୀ ପରିଚୟ ଦେଇ ବଟି ଆଦାୟ ଅଭିଯୋଗ
|
July 11, 2020 |
