ତିହିଡି, ୨୪/୧୧ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦପୁର ପଞ୍ଚାୟତ ଅଧିନ ତଳଦୁମୁକା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗତ ତା ୧୪.୧୧.୧୯ରିଖ ଶିଶୁ ଦିବସରେ ମଧ୍ୟାହ୍ନ ଭୋଜନ ବନ୍ଦଥିବା ଏବଂ ପିଲାମାନଙ୍କୁ ଚକୋଲେଟ୍ ଦେଇ ସରକାରୀ ଖାତାରେ ୧୬୨ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରହିଥିବା ନେଇ ଆଗତ ଅଭିଯୋଗର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପୂର୍ବାହ୍ନରେ ତଦନ୍ତ କରାଯାଇଛି । ସିଆରସିସି ସୁଧିର କୁମାର ସାମଲ ବିଦ୍ୟାଳୟରେ ପହଞ୍ôଚ ଛାତ୍ରଛାତ୍ରୀ, ପରିଚାଳନା କମିଟି ସଭାପତି ଓ ଅଭିଭାବକଙ୍କୁ ଭେଟି ତଦନ୍ତ କରିଥିଲେ । ଏହି ତଦନ୍ତ ସମୟରେ ପ୍ରଧାନ ଶିକ୍ଷକଙ୍କ ସହିତ ପରିଚାଳନା କମିଟି ସଭାପତି ବୈଲୋଚନ ନାୟକ, ସଞ୍ଜୟ ନାୟକ, ଦୁଃଶାସନ ନାୟକ, ମଙ୍ଗରାଜ ଖିଲାର, କନକମଣି ଦାସ, ପଦ୍ମିନୀ ମଳିକ, ରମାମଣି ଖିଲାର, ଉର୍ମିଳା ବାରିକ, ମିନାକ୍ଷୀ ନାୟକ ଓ ଶସ୍ମିତା ବିଶ୍ୱଳ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିଶୁ ଦିବସରେ ଏହି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ପାଶ୍ୱର୍ରେ ଥିବା ହାଇସ୍କୁଲର ପିଲାମାନେ ଏକସଂଗେ ସାମିଲ ହୋଇ ସଭାରେ ଉପସ୍ଥିତ ଥିଲେ । ମାତ୍ରାଧିକ ପିଲାମାନଙ୍କୁ ସରକାରୀ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ସମ୍ଭବ ହୋଇନଥିବାରୁ ପରିଚାଳନା କମିଟି ନିଷ୍ପତିକ୍ରମେ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୬୨ ଜଣ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ବଦଳରେ ଚକୋଲେଟ୍ ଓ ବିସ୍କୁଟ୍ ପ୍ରଦାନ କରାଯାଇଥିଲା । ଏନେଇ ସିଆରସିସି ଛାତ୍ରଛାତ୍ରୀଙ୍କ ଠାରୁ ବ୍ୟକ୍ତି ବୟାନ ମଧ୍ୟ ସଂଗ୍ରହ କରିଥିଲେ । ତେବେ କେଉଁ କାରଣ ଓ ପରିସ୍ଥିତିରେ ଏପରି କରାଯାଇଥିଲା ତାହାର କାରଣ ଖୋଜୁଛି ବ୍ଲକ ଶିକ୍ଷା ବିଭାଗ । ଅନ୍ୟପଟେ ମଧ୍ୟାହ୍ନ ଭୋଜନ ଚାଉଳ ସରିଯାଇଥିବା ଏବଂ ମାସିକ ଟଙ୍କା ନଥିବାରୁ ମଧ୍ୟାହ୍ନ ଭୋଜନ ହୋଇନଥିଲା ଏବଂ ପରିଚାଳନା କମିଟିର ନିଷ୍ପତିକ୍ରମେ ବିଦ୍ୟାଳୟ କତ୍ରୁପକ୍ଷ ଏପରି ପଦକ୍ଷେପ ନେଇଥିବା ଏବଂ ମଧ୍ୟାହ୍ନ ଭୋଜନ ଲାଗି ୧୬୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମେସେଜ୍ ଦିଆଯାଇଥିବା ପ୍ରଧାନ ଶିକ୍ଷକ ସେକ୍ ସୋଏବ୍ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି, ଗତ ତା ୧୪.୧୧.୧୯ରିଖ ଶିଶୁଦିବସରେ ଏହି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବା କେତେକ ଅଭିଭାବକ ଅଭିଯୋଗ କରିଥିଲେ । ମାତ୍ର ଉକ୍ତ ଦିନ ୧୬୨ ଜଣ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ହୋଇଥିବା ଏକ ବିଶେଷ ସୂତ୍ରରୁ ସେମାନେ ଜାଣିବାକୁ ପାଇଥିଲେ । ତେବେ ମଧ୍ୟାହ୍ନ ଭୋଜନରେ ଦୂର୍ନିତୀ ହେଉଥିବା ସନ୍ଦେହ କରିବା ସହିତ ତଦନ୍ତ କରି ବିହିତ ପଦକ୍ଷେପ ନେବାଲାଗି ମାଳତୀ ଖିଲାର, ସୁନିତା ଖରଲାର, ଉମାକାନ୍ତ ଦାସ, ତୁଳସୀ ଖିଲାର, ସୁକାନ୍ତୀ ଖିଲାର, ତରୁଲତା ସାମଲ, ଛବିରାଣୀ ବେହେରା, ଲକ୍ଷ୍ମୀପ୍ରିୟା ବାରିକ, କବିତା ଖିଲାର, ଧନେଶ୍ୱର ଖିଲାର ଓ ନନ୍ଦକିଶୋର ଖିଲାର ପ୍ରମୁଖ ଅଭିଯୋଗ କରିଥିଲେ । ଯାହାକୁ ନେଇ ବ୍ଲକ ଶିକ୍ଷା ବିଭାଗ ତଦନ୍ତ କରିଛି । ଏଠାରେ ସୂଚନା ଥାଉକି, ବିଗତ କିଛି ମାସ ହେଲା ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଇ ଦେବାରେ ବ୍ୟାପକଭାବେ ଅବହେଳା ପ୍ରଦର୍ଶନ କରାଯାଉଛି । କୌଣସି ପରିସ୍ଥିତିରେ ମଧ୍ୟାହ୍ନ ଭୋଜନ ବନ୍ଦ କରାଯାଇ ପାରିବ ନାହିଁ ବୋଲି ଶିକ୍ଷା ବିଭାଗର ନାଲିଆଖି ମଧ୍ୟ ରହିଛି । ଏପରିସ୍ଥଳରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ, ପରିଚାଳନା କମିଟି ବା ମହିଳା ମଣ୍ଡଳ କିପରିଭାବେ ପରଚାଳନା କରିବେ ତାହା ଏବଂ ବଡ ପ୍ରଶ୍ନ ହୋଇଛି ।
ଶିଶୁ ଦିବସରେ ମଧ୍ୟାହ୍ନ ଭୋଜନ ଅନିମିତତା : ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ-ଚକୋଲେଟ୍ ସହିତ ବିସ୍କୁଟ୍ ଦିଆଯାଇଥିଲା
|
November 24, 2019 |
