ନର୍ଲା, ୨୮/୦୮/୨୦ (ସନ୍ଧାନ ନିଉଜ/ପ୍ରଦୀପ କୁମାର ଗଉଡ) : ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ପ୍ରାଚୀନ ଶିଶୁପାଳଗଡଠାରୁ ଅସୁରଗଡର ସଭ୍ୟତା ବହୁ ପୁରାତନ I ପୂର୍ବରୁ ଏହି ଐତିହ୍ୟ ସ୍ମାରକୀର ସମୟ କାଳ ହଜାରରୁ ୨୩୦୦ ବର୍ଷ ପୂର୍ବେ ବୋଲି ଆକଳନ ହୋଇଥିଲା I ହେଲେ ଏବେ ନୂଆ ଗବେଷଣାତ୍ମକ ତଥ୍ୟ ଅନୁସାରେ ବର୍ତମାନ ଅସୁରଗଡର ସମୟ କାଳ ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀ ବୋଲି ଜଣା ପଡିଛି I ଅର୍ଥାତ ୨୮୦୦ ବର୍ଷ ପୂର୍ବେ ଅସୁରଗଡରେ ବସତି ସ୍ଥାପନ ହୋଇଥିବାର ସୂଚନା ମିଳିଛି I
ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତ୍ନତତ୍ତ୍ୱବିତ୍ ଡି. ଗଡ଼ନାୟକ ସ୍ପଷ୍ଟ କହିଥିଲେ ଯେ, ଖନନବେଳେ ପୁରୁଣା ଅର୍ଦ୍ଧ ଗୋଲାକାର ଆକୃତିର ଇଟା ନିର୍ମିତ ଗୃହ, ଖମ୍ବ ଉପରେ ଟାଇଲର ଛପର, ଗୃହର ଗୋଟିଏ କୋଣ ଭିତରେ ପୋଡ଼ା ମାଟିରେ ତିଆରି ନନ୍ଦ କୂଅ, ଖାଦ୍ୟ ଗ୍ରହଣ ପରେ ବଳକା ଖାଦ୍ୟକୁ ଡଷ୍ଟବିନରେ ରଖିବା ଅର୍ଥାତ ଏକାଠି କରିବା ଆଦି ଆବିଷ୍କୃତ ହୋଇଥିଲା। ମାଟିଆ ରଙ୍ଗର ପଥର,ରକ୍ତମଣି ପଥର, ଗୋଲାକାର ରେଖାଥିବା ପଥର, ବିଭିନ୍ନ ରଙ୍ଗର କାଚ, କାଚ ଚୁଡିର ଖଣ୍ଡ, ଲୁହାର ଚକ, ଲୁହାର ଚକ୍ରୀ,ଧନୁର ମୁନିଆ ତୀର,ଏକ ପାଖିଆ ତୀର, ପୋଡ଼ା ମାଟିରେ ତିଆରି ନଙ୍ଗଲ ପାହାଡ଼ ଚିତ୍ରିତ ହୋଇଥିବା ମୋହର, କ୍ଷୁଦ୍ର ଆକୃତିର ସୂକ୍ଷ୍ମ ଟେରାକୋଟା ସିଂହର ମୂର୍ତ୍ତି, ପଥର ମାଳି, ରୁପା ଖୋଦେଇ ମୁଦ୍ରା,ଘରକଣା ମସଲାବଟା ପଥର, ମାଟି ପାତ୍ରର ଲାଲ ଓ କଳା ରଙ୍ଗର ଖଣ୍ଡ ଅଂଶ, ପଶୁ ପକ୍ଷୀ ଅସ୍ଥି , ବିଭିନ୍ନ ଆକୃତିର ପୋଡ଼ା ଇଟା ଆଦି ମିଳିଥିଲା। ଅର୍ଦ୍ଧ ଗୋଲାକାର ଆକୃତିର ଇଟା ଆବିଷ୍କୃତ ହୋଇଥିଲା ଯାହାର ଲମ୍ବ ୪୪ ସେ.ମି.ଓ ଓସାର ୨୩ ସେ.ମି .ମୋଟାଇ ୬ ସେ.ମି. ହୋଇଥିଲା। ଦୁର୍ଗର ନିକଟ ଭୀମକେଲା ଗ୍ରାମର ସାନ୍ଦୁଲ ନଦୀ କୂଳରୁ ଲୋକଙ୍କ ଦ୍ଵାରା ସଂଗୃହୀତ ଶିଳାର ବିଷ୍ଣୁ ପ୍ରତିମା, କଳା ମୁଗୁନି ପଥରରେ ନିର୍ମିତ ନାରୀ ମୂର୍ତ୍ତି ଗୁଡ଼ିକ ଖନନ ସମୟରେ ଚିହ୍ନଟ କରାଯାଇଛି। ଗଡନାୟକ ପୁଣି କହିଥିଲେ, ଅସୁରଗଡର ଖନନ ସମୟରେ ମୌର୍ଯ୍ୟ ଶାସନ କାଳରୁ କୁଶାଣ ଶାସନ ପର୍ଯ୍ୟନ୍ତ ବହୁ ସାମଗ୍ରୀ ମିଳିଥିଲା ସତ୍ତ୍ବେ ଏହା ଲୈIହ ସଭ୍ୟତାର ପ୍ରତୀକ ବୋଲି ପ୍ରମାଣ ମିଳୁଛି ।

ଯାହାକି, ଶିଶୁପାଳଗଡ଼ଠାରୁ ମଧ୍ୟ ପୁରୁଣା। ଲୌହର କଳା କୈIଶଳ ବ୍ୟବହାର କରି ଏଠାକାର ଆଦିମ ଅଧିବାସୀ ଏକ ପୁରାତନ ସହରୀକରଣ ପ୍ରକ୍ରିୟାରେ ଯଥେଷ୍ଟ ଉନ୍ନତି କରିଥିବା ବେଳେ ମହ୍ଲାର ଅଞ୍ଚଳ ସହ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସହିତ ପ୍ରାଚୀନ ବାଣିଜ୍ୟିକ ସଂଯୋଗ ରହିଥିବା ଦର୍ଶାଇଛନ୍ତି।
ତେଣୁ ପୂର୍ବରୁ ଦୁଇ ହଜାରରୁ ୨୩୦୦ ବର୍ଷ ପୂର୍ବେ ଅସୁରଗଡ ସଭ୍ୟତାର ବିକାଶ ଉପରେ ଯେଉଁ ଆକଳନ କରାଯାଇଥିଲା ତା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବର୍ତମାନ ଅସୁରଗଡର ସମୟସୀମା ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀ ଅର୍ଥାତ ୨୮୦୦ ବର୍ଷ ପୂର୍ବେ ଅସୁରଗଡରେ ବସତି ସ୍ଥାପନ ହୋଇଥିବାର ସୂଚନା ଦେଇଛନ୍ତି ଏଏସ୍ଆଇର ବରିଷ୍ଠ ପ୍ରତ୍ନତତ୍ତ୍ଵବିତ୍ ଶ୍ରୀ ଗଡ଼ନାୟକ ।
ଉଲ୍ଲେଖଯୋଗ୍ଯେ ଯେ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଭୁବନେଶ୍ୱର ସ୍ଥିତ ଉତଖନନ ଶାଖା- ୪ ଦ୍ଵାରା କଳାହାଣ୍ଡି ଜିଲ୍ଲା ଅସୁରଗଡ ଦୁର୍ଗର ଉତଖନନ କାର୍ଯ୍ୟ ୨୦୧୮/୧୯ ମସିହାରେ ଆରମ୍ଭ ହୋଇଥିଲା। ଉତଖନନ ବିଭାଗର ମୁଖ୍ୟ ପ୍ରତ୍ନତତ୍ତ୍ଵବିତ୍ ଶ୍ରୀ ଗଡ଼ନାୟକଙ୍କ ନେତୃତ୍ବରେ ଆଶିଷ ସାହୁ, ଜିତେନ୍ଦ୍ର ନାଗ, ଉମାକାନ୍ତ ଭୋଇ, ବିଭୁତି ଭୂଷଣ ବଡମାଳି,ଏସ ଏନ୍ କୁଅଁର, ସୁବ୍ରତ ଦାଶ ପ୍ରମୁଖ ସାମିଲ ହୋଇଥିଲେ। ବର୍ତ୍ତମାନ ସେଠାରୁ ମିଳିଥିବା ପୁରାତନ ଜିନିଷର ବୈଜ୍ଞାନିକ ପରୀକ୍ଷଣ କରାଯାଇ ଏହାର ବିଜ୍ଞାନ ସମ୍ମତ ସମୟ ଉନ୍ମୋଚିତ ହୋଇଛି।