ରସୁଲପୁର, ୨୩/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) ଶିକ୍ଷା ପେଟ ପୋଷିବାର ମାଧ୍ୟମ ନହେଉ । ଶିକ୍ଷାନୁଷ୍ଠାନ ଗୁଡିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ନଦେଇ ପ୍ରକୃତ ମଣିଷ ତିଆରୀ କାରଖାନର ଭୂମିକା ନୀର୍ବାହ କରିପାରିଲେ ସୁସ୍ଥ ସମାଜ ଗଠନ ହୋଇପାରିବ । ଆଦର୍ଶ ଓ ପ୍ରଜ୍ଞା ପୁରୁଷମାନେ ସୃଷ୍ଟି ହୋଇପାରିବେ । ଯାହାକୁ ଯୁବପିଢି ଆଦର୍ଶ ଭାବରେ ଗ୍ରହଣକରି ଜୀବନ ଶୈଳୀରେ ପରିବର୍ତ୍ତନ ଆଣିପାରିବ ବୋଲି ଆଜି ଏହି ବ୍ଲକ ଅଧିନସ୍ଥ ମଧୁପୁର କଲେଜ-କଲଣର ୩୭ତମ ବାର୍ଷିକ ପରୁସ୍କାର ବିତରଣ ଉତ୍ସବରେ ମତ ପ୍ରକାଶ ପାଇଛି । କଲେଜ ପରିସରରେ ଅଧ୍ୟକ୍ଷ କୁଶଧର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ଡଃ ଅସୀମରଂଜନ ପଣ୍ଡା, ମୁଖ୍ୟବକ୍ତା ଭାବରେ ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଡଃ ସନ୍ତୋଷ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ସଂସ୍କୃତି ବିଭାଗ ମୁଖ୍ୟ ଡଃ ପ୍ରଭାସିନୀ ମଲ୍ଲ, ଶିକ୍ଷାବିତ୍ କୈଳାସ ନାୟକ, ପ୍ରାକ୍ତନ ଜିଲାପରିଷଦ ସଦସ୍ୟ ସତ୍ୟସ୍ୱରୂପ ସାହୁ, ସରପଂଚ ରମେଶ ନାୟକ, ଅଧ୍ୟାପକ ସୁବାଷ ଦାଶ, ଅଦୈତ ସ୍ୱାଇଁ, ସୁରଥ ଶତପଥୀ, ଶୁକରଂଜନ ମହାନ୍ତି, ଡଃ ଅଧିର ବେହେରା, ନରହରି ବେହେରା, ପ୍ରଦୀପ ଦାସ, ପୁରୁଷୋତ୍ତମ ଖୁଂଟିଆ, ଝରଣା ନାୟକ ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥମାନଙ୍କୁ ଚରିତ୍ରବାନ ହେବାକୁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ତୁହିନାଂଶୁ ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡଃ ସତ୍ୟପ୍ରିୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗୀତଜ୍ଞ ଅମୁଲ୍ୟକୃଷ୍ଣ ଦାସ ସ୍ୱାଗତ ଓ ଦେଶାତ୍ମକବୋଧ ସଂଗୀତକୁ ସଂଚାଳନା କରିଥିଲେ । ପ୍ରାରମ୍ଭରେ ଅମର ସହିଦ୍ ଯବାନଙ୍କ ଉଦେଶ୍ୟରେ ୨ମିନଟ୍ ନୀରବ ପ୍ରାର୍ଥନା ହୋଇଥିଲା । ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଲୋଡି ପରିବେଶଣ କରାଯାଇଥିଲା । କଲେଜର ବାର୍ଷିକ କ୍ରିଡାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଯୁକ୍ତ ୨ ଓ ୩ର ଛାତ୍ରୀ ଦିପ୍ତିମୟୀ ଶତପଥୀ, ବର୍ଷାରାଣୀ ପତିଙ୍କୁ ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବରେ ପୁରସ୍କୃତ ହୋଇଥିଲେ । କଲେଜର ସମସ୍ତ କର୍ମଚାରୀଗଣ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ଶିକ୍ଷା ପେଟ ପୋଷିବାର ମାଧ୍ୟମ ନହେଉ: ମଧୁପୁର କଲେଜର ୩୭ତମ ବାର୍ଷିକୋତ୍ସବ
|
February 23, 2019 |