ନୂଆଦିଲ୍ଲୀ, (ସନ୍ଧାନ ନ୍ୟୁଜ): ଗତ କିଛି ଦିନ ହେବ କଂଗ୍ରେସରେ ଗୋଟିଏ ପରେ ଗୋଟିଏ ବଡ଼ ଝଡ ଦେଖିବାକୁ ମିଳୁଛି । ପ୍ରଥମେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫା ତା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ । ଗତ କାଲି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍ ସିଂ ସିଦ୍ଧୁଙ୍କ ନିଜ ପଦବୀରୁ ଇସ୍ତଫା ଆଉ ଅନ୍ୟପଟେ କ୍ୟାପ୍ଟେନ୍ ଅମରିନ୍ଦର ସିଂଙ୍କ ଦିଲ୍ଲୀ ଗସ୍ତ । ଏସବୁ କୁ ନେଇ କଂଗ୍ରେସର ଚର୍ଚ୍ଚା ଲାଗି ରହିଛି । ତେବେ ପଞ୍ଜାବ ନିର୍ବାଚନ ପୂର୍ବରୁ କଂଗ୍ରେସ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ଚାଲିଛି ଯାହାକୁ ନେଇ ଏବେ ରାଜନିତିକ ମାହୋଲ ବେଶ୍ ସରଗରମ ରହିଛି ।
ଏହି ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ ପୁଣି କଂଗ୍ରେସରେ ଆଉ ଏକ ବଡ଼ ଝଡ଼ ଆସିବାର ଆଶଙ୍କା କରାଯାଉଛି । ଦିଲ୍ଲୀ ଗସ୍ତରେ ଥିବା ପଞ୍ଜାବର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ପହଞ୍ଚିଛନ୍ତି । ଅମିତ ଶାହାଙ୍କୁ ଭେଟିବା ପରେ ଅମରିନ୍ଦର ସିଂ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି ତଥା ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଯଦି ପ୍ରକୃତରେ କ୍ୟାପ୍ଟେନ୍ ଅମରିନ୍ଦର ସିଂ ବିଜେପିରେ ଯୋଗ ଦିଅନ୍ତି ନିହାତି ଭାବରେ ପଞ୍ଜାବ ରାଜନୀତିରେ ଏକ ବଡ଼ ଝଡ ଆସିବା ସହିତ କଂଗ୍ରେସକୁ ଏକ ଶକ୍ତ ଧକ୍କା ଲାଗିବାକୁ ଯାଉଛି ।