ଶଙ୍କରାଚାର୍ଯ୍ୟଙ୍କ ପୈତୃକ ଗ୍ରାମରେ ନିର୍ମାଣ ହେବ ମନଶା ଦେବୀଙ୍କ ମନ୍ଦିର

Spread the love

ପୁରୀ, 29.01.2021 (ସନ୍ଧାନ ନିଉଜ୍) : ପୁରୀ ପିଠାଧିଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପୈତୃକ ଗ୍ରାମ ବିହାର ମଧୁବନୀ ଜିଲ୍ଲାର ହରିପୁର ବକ୍ସି ଟୋଲ ଠାରେ ମନଶା ଦେବୀଙ୍କ ମନ୍ଦିର ନିର୍ମାଣ କରାଯିବ । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଫେବୃଆରୀ ୨୪ରୁ ଆରମ୍ଭ କରାଯିବ। ଗତ ରବିବାର ପାଟନାର ରାମନଗରୀରେ ଥିବା ପୁରୀ ପୀଠ ପରିଷଦର ବିହାର କାର୍ଯ୍ୟାଳୟରେ ଏହି ମନ୍ଦିର ନିର୍ମାଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣା ପଡ଼ିଛି। ଟ୍ରଷ୍ଟର ସମ୍ପାଦକ ଇନ୍ଦିରା ଝା କହିଛନ୍ତି ଯେ, ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରେରଣାରେ ଏହି ମନ୍ଦିରର ପରିକଳ୍ପନା କରାଯାଇଛି । ଏହି ମନ୍ଦିର ପାଖାପାଖି ୫ ହଜାର ବର୍ଗଫୁଟ୍ ଜମିରେ ନିର୍ମାଣ କରାଯିବ । ମନ୍ଦିରର ଗର୍ଭ ଗୃହ ୧୩ ଫୁଟ୍ ଲମ୍ୱା ସହ ୧୩ ଫୁଟ୍ ଚଉଡା ରଖାଯିବ । ପରିକ୍ରମା ପାଇଁ ଗର୍ଭ ଗୃହର ଚାରିପଟ ୮ ଫୁଟ ପ୍ରଶସ୍ତ କରାଯିବ । ଆଗ ପଟେ ୧୨ ଶହ ୫୪ ବର୍ଗଫୁଟର ସଭାସ୍ଥଳ ତିଆରି କରାଯିବ । ମନ୍ଦିରର ଉଚ୍ଚତା ୫୫ ରୁ ୬୦ ଫୁଟ ମଧ୍ୟରେ ରହିବ । ମନ୍ଦିରର ଗମ୍ବୁଜ ଏବଂ ବାହାରର ଖୋଦନ କାର୍ଯ୍ୟ ପୁରୀର ଶିଳ୍ପୀମାନେ କରିବେ ବୋଲି ଟ୍ରଷ୍ଟି ପ୍ରଭାସ ଚନ୍ଦ୍ର ଝା କହିଛନ୍ତି। ପୀଠ ପରିଷଦ ବିହାର ପ୍ରାନ୍ତର ଅଧ୍ୟକ୍ଷ ଅଶୋକ ସିଂ କହିଛନ୍ତି ଯେ, ହରିଦ୍ୱାର ସ୍ଥିତ ମନଶା ମନ୍ଦିର ପରି ଏଠାରେ ପ୍ରତିମା ସ୍ଥାପନ କରାଯିବ । ୩୧ ଜାନୁଆରୀରେ ହରିପୁର ବକ୍ସି ଟୋଲ୍‌ରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟାଳୟର ଆରମ୍ଭ କରାଯିବ। ମନଶା ଦେବୀଙ୍କ ମନ୍ଦିର ୨ ବର୍ଷ ମଧ୍ୟରେ ନିର୍ମିତ ହେବ ବୋଲି ସେ ଆଶା କରିଥିବା କହିଛନ୍ତି।

Related Posts

About The Author

Add Comment