ଯାଜପୁର,୯/୪ ଚଣ୍ଡୀଖୋଲରୁ ଡୁବୁରୀ ଏବଂ ଡୁବୁରୀରୁ ଚଣ୍ଡୀଖୋଲ ଅଭିମୁଖେ ଯାଇଥିବା ଦୁଇ ଜାତୀୟ ରାଜପଥର ପ୍ରାୟ ୪୦ କିଲୋମିଟର ଏବେ ଲୁହାପଥର ପରି ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ ଗୁଡିକ କବ୍ଚାରେ ରହିଯାଇଛି । ଏଥିପାଇଁ ହଜାର ହଜାର ଲୋକ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବାରୁ ଯାଜପୁର ଜିଲ୍ଲାପାଳ ତୁରନ୍ତ ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି । ୪୦ କିଲୋମିଟର ରାସ୍ତାରେ ଜଣେ ପଥଚାରୀ ଚାଲି ଚାଲି ଯିବାକୁ ବି ରାସ୍ତା ନାହିଁ । ଯିଏ ଯୋଉଠି ସେଇଠି ଟ୍ରକ ମାନେ ସେମିତି ଦିନ ଦିନ ଧରି ଠିଆ ହୋଇ ରହିଛନ୍ତି । ସତେ ଯେମିତି ଏଠି ଆଇନ କାନୁନ କିଛି ନାହିଁ । ଗୁରୁତର ଅସୁସ୍ଥ ଏବଂ ଦୁର୍ଘଟଣାରେ ଜୀବନ ସହ ସଂଘର୍ଷ କରୁଥିବା ରୋଗୀ ଆମ୍ବୁଲାନ୍ସରେ ଆସି ସେହି ରାସ୍ତାରେ ଆମ୍ବୁଲାନ୍ସ ଠିଆ ହୋଇ ହୋଇ ରହୁଛି । ନାଁ ଆଗକୁ ଯାଇ ପାରୁଛି ନାଁ ପଛକୁ ଯାଇ ପାରୁଛି । ଯନ୍ତ୍ରଣାରେ ଛଟପଟ ହୋଇ କେହି କେହି ମୃତ୍ୟୁ ବରଣ କରୁଛନ୍ତି । ଦୀର୍ଘ ଶତାଧିକ କିଲୋମିଟର ଯାଉଥିବା ବସ ବି ସେମିତି ଠିଆ ହୋଇ ରହୁଛି । ବସରେ ଥିବା କୋମଳ ଶିଶୁ ଏବଂ ବୃଦ୍ଧ ବ୍ୟକ୍ତିମାନେ ଖାଇବାକୁ ନପାଇ ବସରେ ଦିନ ଦିନ ଧରି ହତାସ ହୋଇ ମୁଣ୍ଡରେ ହାତ ଦେଇ ବସୁଛନ୍ତି । ଅନେକ ଗାଡି ଆଗକୁ ପଛକୁ ଯାଇ ନପାରି ରାସ୍ତା କଡରେ ଟିକେ ଖାଲି ଜାଗା ପାଇଲେ ସେଠାରେ ଗାଡି ସାଇଡ କରି ଶୋଇ ଯାଉଛନ୍ତି । ରାତି ପାହି ଯାଉଛି ହେଲେ ଯାଇ ପାରୁ ନାହାନ୍ତି । ସ୍କଲ ପିଲାଟିଏ ତାର ସ୍କୁଲକୁ ଯାଇ ପାରୁନି । ଏକ ହଜାରରୁ ଉର୍ଦ୍ଧ୍ୱ ଗାଁର ଲୋକେ ଏଥିପାଇଁ ଏକପ୍ରକାର ନାକାବନ୍ଦୀ । ସତେ ଯେମିତି ଏଠି ସରକାର, ଆଇନ କାନୁନ କିଛି ନାହିଁ । ଜାତୀୟ ରାଜପଥରେ ଏଭଳି ଭିଡ ପାଇଁ କରୋନା ନିୟମ କାର୍ଯ୍ୟକାରୀ ହେଉନି । କାହା ସ୍ୱାର୍ଥ ପାଇଁ ଏଭଳି ଜଙ୍ଗଲରାଜ ଚାଲିଛି? ପାରାଦ୍ୱୀପରେ ଯେତିକି ଟ୍ରକ ମାଲ ଅଲୋଡ ହେଉଛି, ସେହି ଅନୁସାରେ ମାଇନିଂରୁ ଟ୍ରକ ଲୋଡ ହୋଇ ଆସିଲେ ଏହି ଉତ୍କଟ ସମସ୍ୟା ଦେଖାଯାନ୍ତା ନାହିଁ । ଏହି ଛୋଟିଆ ସମସ୍ୟା ପାଇଁ ଲକ୍ଷାଧିକ ଲୋକେ ସମସ୍ୟା ଭୋଗିବା ସହ ସରକାର ବିରୋଧରେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯାଜପୁର ନିଷ୍ଠାପର, ଦକ୍ଷ ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ତୁରନ୍ତ ଏଥିନେଇ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ଅନୁରୋଧ କରିଛନ୍ତି ।